ବିଜୟ ଦିବସ ପାଳିଲା ବିଜେଡି ଆଇନଜୀବି ସାମ୍ମୁଖ୍ୟ
କେନ୍ଦ୍ରାପଡା- ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିର ବିଧାୟିକା ଭାବେ ବିଜୁ ଜନତା ଦଳ ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ ବିଜୟ ଲାଭ କରିଥିବାରୁ କେନ୍ଦ୍ରାପଡା ଜିଲ୍ଲା ବିଜେଡି ଆଇନଜୀବି ସାମ୍ମୁଖ୍ୟ ପକ୍ଷରୁ ବୁଧବାର ଅପରାହ୍ନରେ ଜିଲ୍ଲା ଜଜକୋର୍ଟ ସମ୍ମୁଖରେ ବିଜୟ ଦିବସ ପାଳନ କରାଯାଇଛି । ଜିଲ୍ଲା ଆଇନଜୀବି ସାମ୍ମୁଖ୍ୟ ପକ୍ଷରୁ ନବ ନିର୍ବାଚିତ ବିଧାୟିକା ଶ୍ରମତୀ ଅଗ୍ରୱାଲଙ୍କୁ ସ୍ୱାଗତ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଆଇନମନ୍ତ୍ରୀ ପ୍ରତାପ କୁମାର ଜେନା,ସମସ୍ତ ବିଧାୟକମାନଙ୍କୁ କୃତଜ୍ଞତା ଅର୍ପଣ କରାଯାଇଛି । ଏଥିସହିତ ପାଟକୁରା ନିର୍ବାଚନ ମଣ୍ଡଳିର ଅଧିବାସୀମାନଙ୍କୁ ସେମାନଙ୍କ ଆକୁଣ୍ଠ ସମର୍ଥନ ନିମନ୍ତେ ଧନ୍ୟବାଦ ଅର୍ପଣ କରାଯାଇଛି । ଆଇନଜୀବି ସାମ୍ମୁଖ୍ୟର ଓକିଲମାନଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିନ୍ଦାବାଦ,ବିଜେଡି ଜିନ୍ଦାବାଦ ଧ୍ୱନିରେ ସେହି ଅଚଂଳ ପ୍ରକମ୍ପିତ ହୋଇ ଉଠିଥିଲା । ବିଜେଡି ପ୍ରାର୍ଥୀନୀଙ୍କ ଏହି ବିଜୟ ଫଳରେ କେନ୍ଦ୍ରାପଡା ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରରେ ବିଜେଡି ଦଳର ପ୍ରାର୍ଥୀମାନଙ୍କ ବିଜୟ ସମ୍ଭବ ହୋଇଛି କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱ ଓ ବିକାଶ ଯୋଗୁ ବୋଲି ସାମ୍ମୁଖ୍ୟର ଓକିଲମାନେ ମତବ୍ୟକ୍ତ କରିଥିଲେ । ରାଜ୍ୟ ବିଜେଡି ଆଇନଜୀବି ସାମ୍ମୁଖ୍ୟର ସଦସ୍ୟ ସଞ୍ଜୟ କୁମାର ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବି ତଥା ଜିଲ୍ଲା ବିଜେଡି ଆଇନଜୀବି ସାମ୍ମୁଖ୍ୟର ଆବାହକ ଭୀମସେନ ଭୂୟାଁ,ଗଗନବିହାରୀ ଜେନା,ମନୋଜ ସାହୁ,ରମାକାନ୍ତ ସ୍ୱାଇଁ,ସୁରେଶ ନାୟକ, ଗୋକୁଳିରଞ୍ଜନ ଦାସ, ଅରୁଣ ପ୍ରସାଦ ଦାସ, ନିରଞ୍ଜନ ବଳ, ମାନସରଞ୍ଜନ ଧଳ, ଧିରେନ୍ଦ୍ର କୁମାର ଦାସ, ଦିଲ୍ଲିପ ସେଠୀ, କୁଞ୍ଜ ବିହାରୀ ପରିଡା,ବ୍ରଜସୁନ୍ଦର ରାଉତ ପ୍ରମୁଖ ଶତାଧିକ ଆଇନଜୀବି ସାମିଲ ହୋଇଥିଲେ ।


