ବିଦେଶରୁ ୫୫୩ଶହ ଓ ରାଜ୍ୟ ବାହାରୁ ୭୮୯୭ ଜିଲ୍ଲାକୁ ଆସିଛନ୍ତି

କେନ୍ଦ୍ରାପଡା : ସାରା ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସରକାରଙ୍କ ଲକ ଡାଉନ ବ୍ୟବସ୍ଥା ଜାରି ରହିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଅଷ୍ଟମଦିନ ପାଇଁ ଲକ ଡାଉନ ବ୍ୟବସ୍ଥା ବଳବତ୍ତର ରହିଥିବା ଦେଖିବାକୁ ମିଳିଛି । ସହରର ରାସ୍ତାଘାଟ ଗୁଡିକ ଶୁନଶାନ ହୋଇଯାଇଥିବା ପରିଲକ୍ଷିତ ହୋଇଛି । ୨୧ଦିନ ପାଇଁ ଏହି ଲକ ଡାଉନ ବ୍ୟବସ୍ଥା ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା ପରେ ସାଧାରଣ ଲୋକ ଧିରେ ଧିରେ ସରକାରଙ୍କ ଏହି ବ୍ୟବସ୍ଥାକୁ ଗ୍ରହଣ କରିନେଇଥିବା ଦେଖିବାକୁ ମିଳିଛି । ଆଜି ସୁଦ୍ଧା ଜିଲ୍ଲାକୁ ବିଦେଶରୁ ୫୫୩ ଜଣ ଲୋକ ଆସିଥିବା ବେଳେ ରାଜ୍ୟ ବାହାରୁ ୭୮୯୭ ଜଣ ଲୋକ ଆସିଥିବା ଜିଲ୍ଲା ଜରୁରୀ ଅଧିକାରୀ ସମ୍ବିତ ଶତପଥୀଙ୍କ ଠାରୁ ସୂଚନା ମିଳିଛି । ସହରର ବଡହାଟରେ ବସୁଥିବା ସାପ୍ତାହିକ ହାଟକୁ ବନ୍ଦ କରାଯାଇ ଇଛାପୁର ରଥଦାଣ୍ଡକୁ ସେହି ହାଟକୁ ସ୍ଥାନାନ୍ତରଣ କରାଯିବା ସହ ଅନ୍ୟୁନ ଦୁଇମିଟର ଦ୍ୱରତାରେ ପରିବା ବେପାରୀମାନଙ୍କୁ ବସି ବିକ୍ରୀ କରିବାକୁ ନିର୍ଦେଶ ଦିଆଯାଇଛି । ପ୍ରତ୍ୟେକ ବ୍ଲକ ସ୍ତରରେ ବିଡିଓ, ତହସିଲଦାର ଓ ସିଡିପିଓଙ୍କୁ ନେଇ କମିଟି ଗଠନ କରାଯାଇ ସାମାଜିକ ଦ୍ୱରତ୍ୱ ବ୍ୟବସ୍ଥା, ଅସ୍ଥାଇ ଆଇସୋଲେଟେଡ ଗୃହ ଓ ବିନା ଆବଶ୍ୟକତାରେ ବାହାରକୁ ନଆସିବା ପାଇଁ ଲୋକମାନଙ୍କୁ ସଚେତନ କରିବା ଭଳି ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିଭଳି କରୋନା ସମ୍ପର୍କୀତ ଆବଶ୍ୟକତାକୁ ପରିଚାଳନା ପାଇଁ ଜିଲ୍ଲା ସ୍ତରରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ, ଉପଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନେଇ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଛି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର, ଛତା ପଲିଟେକନିକ ସ୍କୁଲ , କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ଓ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନା ନିକଟ ସଂଖ୍ୟାଲଘୁ ଛାତ୍ରାବାସରେ ଅଦ୍ୟାବଧି ମୋଟ ୯୪୬୫ଟି ଆଇସୋଲେସନ ଗୃହର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିବା ବେଳେ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଂଚାୟତରେ ମଧ୍ୟ ଆଇସୋଲେସନ ଶଯ୍ୟା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ସହରର ମୁଖ୍ୟ ରାସ୍ତା ଗୁଡିକରେ ପୋଲିସ ପକ୍ଷରୁ ଗାଡି ଗୁଡିକ ଯାଂଚ କାର୍ଯ୍ୟ କରାଯାଉଥିବା ବେଳେ ତିନିମୁହାଣି ଛକରେ ସକାଳେ ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମି ବିଶ୍ୱାଳ ପୋଲିସ ଫୋର୍ସ ସହିତ ଗାଡି ଗୁଡିକ ଯାଂଚ କରିିଥିଲେ । କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ସହରର ଦୁହୁରିଆ, ତିନିମୁହାଣି , ଗୋପଛକ, ସାନ୍ତସାହି, ଇଛାପୁର, ଛଗରିଆ, ଶ୍ୟାମସୁନ୍ଦରପୁର ଗଡା ପ୍ରଭୃତି ସ୍ଥାନ ପରିଦର୍ଶନ କରି ପୋଲିସର କାର୍ଯ୍ୟକଳାପକୁ ତଦାରଖ କରିବା ସହ ଲୋକମାନଙ୍କୁ ସଚେତନ କରି ନିତ୍ୟାନ୍ତ ଆବଶ୍ୟକ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଥିଲେ । ଆଜି କଟକ – ଚାନ୍ଦବାଲି ରାଜ୍ୟ ରାଜପଥର ଦୁହୁରିଆ ଠାରୁ ତିନିମୁହାଣି ଛକ ପର୍ଯ୍ୟନ୍ତ ରାସ୍ତାଟି ଖାଁ ଖାଁ ଲାଗୁଥିଲା । କଦବା କୋଚିତ ଜଣେ ଅବା ୨ଜଣଙ୍କୁ ରାସ୍ତାରେ ଦେଖିବାକୁ ମିଳିଥିଲା । ସରକାରଙ୍କ ଦ୍ୱାରା ବାରମ୍ବାର ଘୋଷଣା ହେବା ପରେ ଧିରେ ଧିରେ ଲୋକମାନେ ଘର ବାହାରକୁ ବିଶେଷ ଆସୁନଥିବାର ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା ବ୍ୟବସ୍ଥାକୁ ମଧ୍ୟ ଆଜି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ କଡାକଡି ପାଳନ କରାଯାଉନଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ