ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଓ ବିଧାୟକ
ବାଲେଶ୍ବର(ସରୋଜ ପଣ୍ଡା) : ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ପୂର୍ତ୍ତ ବିଭାଗ ଅଧୀନରେ ଚାଲୁଥିବା ଏବଂ ପ୍ରସ୍ତାବିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି, ଗୁଣବତ୍ତା ଓ ଲୋକଙ୍କ ଆବଶ୍ୟକତାକୁ ନେଇ ଆଜି ଲୋକସେବା ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ପୂର୍ତ୍ତ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଲେଶ୍ୱର ସଦରର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ଉପସ୍ଥିତ ରହି ବାଲେଶ୍ୱର ସଦର ଅଞ୍ଚଳରେ ପୂର୍ତ୍ତ ବିଭାଗ ସମ୍ପର୍କିତ ବିଭିନ୍ନ ସମସ୍ୟା, ଚାଲୁଥିବା କାର୍ଯ୍ୟ ଏବଂ ଆବଶ୍ୟକ ନୂତନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ପୂର୍ତ୍ତ ବିଭାଗ ଅଧୀନରେ ଚାଲୁଥିବା ବିଭିନ୍ନ ରାସ୍ତା, ସେତୁ, ନିର୍ମାଣ କାର୍ଯ୍ୟ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କଠାରୁ ତଥ୍ୟ ନିଆଯାଇଥିଲା। ଯେଉଁ କାର୍ଯ୍ୟଗୁଡ଼ିକରେ ବିଭିନ୍ନ କାରଣରୁ ବିଳମ୍ବ ଘଟୁଛି, ସେଗୁଡ଼ିକୁ ଆବଶ୍ୟକ ସମନ୍ୱୟ କରି ଶୀଘ୍ର ଆଗେଇ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ସଦରର ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା, ଯାତାୟାତରେ ସମସ୍ୟା ଓ ରାସ୍ତାର ଅବସ୍ଥା ଖରାପ ହେବା ସମ୍ପର୍କରେ ବିଧାୟକ ଶ୍ରୀ ଦତ୍ତ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବର୍ଷା ଓ ପ୍ରାକୃତିକ ପରିସ୍ଥିତି ଯୋଗୁଁ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକର ତୁରନ୍ତ ମରାମତି, ଆବଶ୍ୟକ ସ୍ଥାନରେ ପୁନଃନିର୍ମାଣ ଏବଂ ଲୋକଙ୍କ ନିରାପଦ ଯାତାୟାତ ସୁନିଶ୍ଚିତ କରିବା ଉପରେ ବୈଠକରେ ବିଶେଷ ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ ମାନ୍ୟବର ପୂର୍ତ୍ତ ମନ୍ତ୍ରୀ ବର୍ଷା ଯୋଗୁଁ ପ୍ରଭାବିତ ରାସ୍ତାଘାଟର ତୁରନ୍ତ ମରାମତି ଓ ଆବଶ୍ୟକ ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇ ଶୀଘ୍ର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କ ଦୈନନ୍ଦିନ ଯାତାୟାତ ଓ ସୁବିଧାକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ବାଲେଶ୍ୱର ସଦରର ଆଗାମୀ ଦିନର ଭିତ୍ତିଭୂମି ବିକାଶକୁ ଦୃଷ୍ଟିରେ ରଖି ଆବଶ୍ୟକ ନୂତନ ପ୍ରକଳ୍ପ, ରାସ୍ତାର ଉନ୍ନତିକରଣ, ଯାତାୟାତ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ବିଭିନ୍ନ ଅଞ୍ଚଳକୁ ଉନ୍ନତ ରାସ୍ତା ଯୋଗାଯୋଗ ମାଧ୍ୟମରେ ସଂଯୋଗ କରିବା ନେଇ ମଧ୍ୟ ଆବଶ୍ୟକ ଆଲୋଚନା କରାଯାଇଥିଲା। ବାଲେଶ୍ୱର ସଦରକୁ ଏକ ସୁଦୃଢ଼, ସୁଗମ ଓ ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ସମ୍ପନ୍ନ ନିର୍ବାଚନମଣ୍ଡଳୀ ଭାବେ ବିକଶିତ କରିବା ଦିଗରେ ସମସ୍ତ ଚାଲୁଥିବା ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ଆଗେଇ ନେବା ସହିତ ଆବଶ୍ୟକ ସ୍ଥାନରେ ନୂତନ ପ୍ରକଳ୍ପ ଚିହ୍ନଟ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ପୂର୍ତ୍ତ ବିଭାଗର ଇ.ଆଇ.ସି, ମୁଖ୍ୟ ଯନ୍ତ୍ରୀ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ବାଲେଶ୍ୱର ପୂର୍ତ୍ତ ବିଭାଗ ଡିଭିଜନ-୧ ଓ ଡିଭିଜନ-୨ର ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ସମ୍ପୃକ୍ତ ଯନ୍ତ୍ରୀମାନେ ଉପସ୍ଥିତ ରହିଥିଲେ।


