ବିଦ୍ୟାଳୟ ବନ୍ଦ ଓ ମିଶ୍ରଣ ତାଲିକା ରେ କନ୍ଧମାଳ ଜିଲ୍ଲାର ଶତାଧିକ ବିଦ୍ୟାଳୟ ବନ୍ଦ ହେବ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ବିଦ୍ୟାଳୟ ମିଶ୍ରଣକୁ ନେଇ ସମଗ୍ର କନ୍ଧମାଳ ଜିଲ୍ଲାରେ ଏକ ଅଶାନ୍ତର ବାତାବରଣ ସୃଷ୍ଟି ହେବାରେ ଲାଗିଛି l ଯାହାକି ସରକାରୀ ଆକଳନ ରେ କନ୍ଧମାଳ ଜିଲ୍ଲାର ୨୭୫ଟି ସ୍କୁଲ ବନ୍ଦ ହେବ । ପ୍ରଥମରୁ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫ଟି ଶ୍ରେଣୀରେ ୧୫ ଜଣ କିମ୍ବା ୧୫ରୁ କମ୍ ଛାତ୍ରଛାତ୍ରୀ ଉପସ୍ଥାନ ଥିବା ୧୬୯ଟି ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶାଇ ଦିଆଯିବ। ସେହିଭଳି ଯେଉଁ ସ୍କୁଲରେ ମୋଟ ଉପସ୍ଥାନ ୨୫ ଥିବା ସହ ଏହାଠାରୁ ୧ କିଲୋମିଟର ଦୂରରେ ଯଦି ଅନ୍ୟ ଏକ ସ୍କୁଲ ଥିବ, ତାହା ସହ ଉକ୍ତ ସ୍କୁଲକୁ ମିଶାଇ ଦିଆଯିବ। କନ୍ଧମାଳ ଜିଲ୍ଲାରେ ଏଭଳି ସ୍କୁଲ ସଂଖ୍ୟା ୧୫ଟି ରହିଛି । ଅର୍ଥାତ୍ ଏଭଳି ୧୫ଟି ସ୍କୁଲ ବନ୍ଦ କରାଯିବ। ସେହିଭଳି ପ୍ରଥମଶ୍ରେଣୀରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ଥିବା ଉଚ୍ଚପ୍ରାଥମିକ ସ୍କୁଲ ଯେଉଁଥିରେ ୨୦ ଜଣ କିମ୍ବା ୨୦ରୁ କମ୍ ଉପସ୍ଥାନ ଥିବ ଏବଂ ୩ କିଲୋମିଟର ଦୂରରେ ଯଦି ଅନ୍ୟ ଏକ ସ୍କୁଲ ଥିବ, ସେ କ୍ଷେତ୍ରରେ ସ୍କୁଲ ମିଶ୍ରଣ କରାଯିବ । କନ୍ଧମାଳ ଜିଲ୍ଲାରେ ଉଚ୍ଛେଦ ହେବାକୁ ଥିବା ଏଭଳି ସ୍କୁଲ ସଂଖ୍ୟା ୯୧ । ଏଣୁ କନ୍ଧମାଳ ଜିଲ୍ଲାରେ ମୋଟ ୨୭୫ ସ୍କୁଲରେ ଏବେ ତାଲା ପଡ଼ିବାକୁ ଯାଉଛି । ଏସବୁ ସ୍କୁଲ ଘରକୁ ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଏଭଳି ସ୍ଥଳେ ବନ୍ଦ ହେବାକୁ ଥିବା ସ୍କୁଲର ଛାତ୍ରଛାତ୍ରୀମାନେ କିଭଳି ଅନ୍ୟ ସ୍କୁଲକୁ ଗ୍ରହଣ କରିବେ ତାହା ବଡ଼ ପ୍ରଶ୍ନବାଚୀ ପାଲଟିଛି । ଏ ନେଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କରି ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଙ୍କ ନିକଟରେ ଗ୍ରାମବାସୀ ମାନେ ଲିଖିତ ଭାବେ ଦାବୀ ଜଣାଇଛନ୍ତି l ଏହି ଦାବି ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ବୃନ୍ଦା ଡି. ସୂଚନା ଦେଇଛନ୍ତି ।


