ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ଗ୍ରାମବାସୀଙ୍କ ବିରୋଧ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ରାଜ୍ୟ ସରକାର ଏବେ ଅନେକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହିପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ୨୮ଗୋଟି ବିଦ୍ୟାଳୟ ବନ୍ଦ ହେବବୋଲି ଚୂଡାନ୍ତ ନିଷ୍ପତ୍ତି ହୋଇସାରିଛି । ଏଣୁ ରହଣିଆ ପଞ୍ଚାୟତ କେଶପୁର ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ଜଣାପଡିବା ପରେ ଅଭିଭାବକ ମାନେ ଏହାକୁ ବିରୋଧ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୦୧୨ମସିହାରେ ପ୍ରତିଷ୍ଠା ହୋଇଥିବାବେଳେ ବର୍ତ୍ତମାନ ଏଠାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪୦ରୁ ଅଧିକ ରହିଛି । ନିୟମ ଅନୁଯାୟୀ ୨୦ରୁ ଅଧିକ କମ ସଂଖ୍ୟକ ପିଲାଥିବା ବିଦ୍ୟାଳୟ ବନ୍ଦ ହେଉଥିବାବେଳେ ଏଠାରେ ବ୍ୟତୀକ୍ରମ ଦେଖାଦେଇଥିବା ଜଣାପଡିଛି । କେଶପୁର ଏକ ହରିଜନ ବହୁଳ ଗ୍ରାମ ହୋଇଥିବାବେଳେ ଶତକଡା ୯୦ଭାଗ ହରିଜନ ପିଲା ଏଠାରେ ପାଠ ପଢନ୍ତି । ଗାଁ ନିକଟରେ ବିଦ୍ୟାଳୟ ଥିବାରୁ ପାଠପଢାରେ ପିଲାଙ୍କ ଆଗ୍ରହ ସୃଷ୍ଟି ହେଉଥିବାବେଳେ ଗତବର୍ଷ ବିଦ୍ୟାଳୟକୁ ଗାରିମାରେ ବ୍ରୋଞ୍ଜ ଓ ସିଲଭର ମିଳିପାରିଥିଲା । ତେଣୁ ଏହାକୁ ବନ୍ଦ କରି ପ୍ରାୟ ୩ କିଲୋମିଟର ଦୂରରେ ଥିବା ବିଦ୍ୟାଳୟରେ ମିଶ୍ରଣ କରାଯିବାକୁ ନିଷପତ୍ତି ହୋଇଥିବାବେଳେ ଅଭିଭାବକ ମାନେ ଏହାକୁ ବିରୋଧକରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗ୍ରମବାସୀ କାଳନ୍ଦୀ ଜେନା, ବଳରାମ ମାଝୀ, ମାଗୁଣି ଜେନା, ବାବନ ମଲ୍ଲିକ, ସୁରେନ୍ଦ୍ର ଜେନା, ରମେଶ ଜେନା, ମେନକା ଜେନା, ମଦନମୋହନ ଜେନା ପ୍ରମୁଖଙ୍କ ସମେତ ବିଦ୍ୟାର୍ଥୀ ମାନେ ଆଜି ବିଦ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହିତ ବିଦ୍ୟାଳୟକୁ ବନ୍ଦ ନକରିବା ପାଇଁ ଓଡିଶା ସରକାରଙ୍କ ଶିକ୍ଷା ନିର୍ଦ୍ଦେଶକ, ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।


