ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ଆଦାୟ ହେବ ୭ ହଜାର କୋଟି

ଭୁବନେଶ୍ବର : “ବିଦ୍ୟୁତ୍‌ ବିତରଣକାରୀ ସଂସ୍ଥା ସେସୁକୁ ବିକ୍ରି ଦେବା ପଛରେ ଗଭୀର ଷଡ଼ଯନ୍ତ୍ର ରହିଛି । ୧୯ ବର୍ଷ ଧରି ଘରୋଇକରଣ ସୂତ୍ରରେ ଚାଲିଥିବା ସେସୁର ବିପୁଳ କ୍ଷତି ହୋଇଛି । ଆଇଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ ଅଧିକାରୀଙ୍କୁ ସେସୁରେ ନିଯୁକ୍ତି ଦେଇ ସର୍ବାଧିକ ଦୁର୍ନୀତି କରାଯାଇଛି । ଦକ୍ଷତା ନଥାଇ ଅବିଚାରିତ ଭାବେ ସେସୁର ପରିଚାଳନା ଭାର ଏଭଳି ଅନଭିଜ୍ଞଙ୍କ ହାତରେ ଦିଆଯିବାରୁ ଏବେ ୭ ହଜାର କୋଟି ଟଙ୍କା କ୍ଷତି ହେବାକୁ ବସିଛି । ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ ଓ ବିଦ୍ୟୁତ୍‌ ସଂସ୍କାର କାର୍ଯ୍ୟ ଚାଲିଥିବା ବେଳେ ଟାଟା ପାୱାରକୁ ଶାଗମାଛ ଦରରେ କାହିଁକି ଟେକି ଦିଆଗଲା” ବୋଲି ସେସୁ ଶ୍ରମିକ- କର୍ମଚାରୀ- ଇଞ୍ଜିନିୟର ମିଳିତ ମଞ୍ଚ ପ୍ରଶ୍ନ କରିଛି । ରାଜ୍ୟ ସରକାର ମିଳିତ ମଞ୍ଚ ଦାବି ପୂରଣ ନକଲେ ଆସନ୍ତା ଦିନରେ ସମଗ୍ର ଡିଭିଜନ ଅନ୍ଧକାର ହୋଇଯିବ ବୋଲି ଚେତାବନୀ ଦିଆଯାଇଛି ।
ସେସୁ ଶ୍ରମିକ- କର୍ମଚାରୀ- ଇଞ୍ଜିନିୟର ମିଳିତ ମଞ୍ଚ ପକ୍ଷରୁ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେସୁ ବିକ୍ରି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି । ମଞ୍ଚର ନେତାମାନେ କହିଛନ୍ତି ଯେ ଦୂରଦୃଷ୍ଟି ନଥାଇ ସରକାର ବିଦ୍ୟୁତ୍‌ ବ୍ୟବସ୍ଥାକୁ ଘରୋଇକରଣ କରିବା ପରେ ଲାଭ ପରିବର୍ତ୍ତେ କ୍ଷତି ହେବାରେ ଲାଗିଛି । ପ୍ରଶାସନିକ ଅଧିକାରୀମାନଙ୍କୁ ଏଠାରେ ଦାୟିତ୍ୱ ଦିଆଯାଉଥିବା ବେଳେ ସେସୁର କ୍ଷତି ଘଟୁଛି । ବର୍ତ୍ତମାନ ସେସୁର ସମୁଦାୟ ସମ୍ପତ୍ତି ୪୦୦୦ କୋଟି ଟଙ୍କା ହୋଇଥିବା ବେଳେ ବୁଝାମଣା ହେଲେ ଅଂଶଧନ ଅନୁସାରେ ଟାଟା ପାୱାର ମାତ୍ର ୧୭୫ କୋଟି ଟଙ୍କା ଦେଇ ଏଠାରେ ରାଜ୍‌ ଚଳାଇବ । ବର୍ତ୍ତମାନ ସେସୁର ସମୁଦାୟ ୭ ହଜାର କୋଟି ଟଙ୍କାର ବୋଝ ନେବା ପାଇଁ ଟାଟା ପାୱାର ରାଜି ହେଉନାହିଁ । ଓଇଆରସିର ନିଷ୍ପତ୍ତି ଅନୁସାରେ ୭ ହଜାର କୋଟି ଟଙ୍କାର କ୍ଷତି ଭରଣା ପାଇଁ ଗ୍ରୀଡ୍‌କୋକୁ ଦାୟିତ୍ୱ ଦିଆଯିବ । ଯାହାର ଅର୍ଥ ହେଲା ସାଧାରଣ ଲୋକଙ୍କ ଉପରେ ବୋଝ ପକାଇ ଦିଆଯିବ ।
ସେମାନଙ୍କର ଅଭିଯୋଗ ଥିଲା ୧୯ ବର୍ଷ ଧରି ଘରୋଇକରଣ ବ୍ୟବସ୍ଥା ଚାଲିଥିବା ବେଳେ ଅଂଶୀଦାର କମ୍ପାନୀମାନେ ପୁଞ୍ଜି ଲଗାଣ କରୁନାହାଁନ୍ତି । ରାଜ୍ୟ ସରକାର ଭିତ୍ତିଭୂମି ବିକାଶ ସହ ବିଭିନ୍ନ ଉପକରଣ କିଣିବାରେ ଲାଗିଛନ୍ତି । ସରକାରଙ୍କ ପକ୍ଷରୁ ଉପଭୋକ୍ତାଙ୍କ ଘରେ ମିଟର ସ୍ଥାପନ ପ୍ରକ୍ରିୟା ଜାରି ରହିଛି । ଏଭଳି ସ୍ଥଳେ କମ୍ପାନୀ ବିକ୍ରି ପାଇଁ ନିଷ୍ପତ୍ତି ହୋଇଛି । ବିଗତ ଦୁଇ ବର୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ଏହି ଡିଭିଜନରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଫୋନି ବାତ୍ୟା ପରେ ୪୦୦ କୋଟି ଟଙ୍କା ଏଠାରେ ଖର୍ଚ୍ଚ ହୋଇଛି । ଏହି ସବୁ ଅର୍ଥର ଅଡିଟ୍‌ କରାଯିବ ନାହିଁ ବୋଲି ସରକାର ଉଲ୍ଲେଖ କରିଛନ୍ତି । ଭିତ୍ତିଭୂମି ବିକାଶରେ ଏତେ ଟଙ୍କା ଖର୍ଚ୍ଚ କରୁଥିବା ସରକାର ସେସୁକୁ ତରବରିଆ ଭାବେ ବିକ୍ରି ନିଷ୍ପତ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସେମାନେ । ଓଇଆରସିର ଅଧ୍ୟକ୍ଷ କାହା ଅର୍ଥରେ ଅଷ୍ଟ୍ରେଲିଆ ଯାଇଥିଲେ ତାହାର ତଦନ୍ତ କରାଯାଉ ଓ ଏୟାର ଟିକେଟ କିଏ କରିଥିଲା ତାହାର ତଦନ୍ତ ହେଲେ ସେସୁ ବିକ୍ରି ରହସ୍ୟ ପଦାରେ ପଡ଼ିଯିବ ବୋଲି ମିଳିତ ମଞ୍ଚ କହିଛି ।
୪୦୦୦ କୋଟି ଟଙ୍କାର ଏହି ବିତରଣକାରୀ ସଂସ୍ଥାର ଦାୟିତ୍ୱ ପ୍ରଥମେ ଏଇଏସ୍‌ ନେଇ ୮୦୦ କୋଟି ଟଙ୍କା ଲୁଟି ବୁଝାମଣାରୁ ଓହରି ଗଲା । ପରେପରେ ରିଲାଏନ୍ସ କମ୍ପାନୀ ଦାୟିତ୍ୱ ନେଇ ୪୦୦୦ କୋଟି ଟଙ୍କା ସହ ପଳାୟନ କଲା । ଏଥିପାଇଁ ହୋଇଥିବା ମାମଲାରେ କମ୍ପାନୀକୁ ଅନୁଚିତି ଅନୁକମ୍ପା ଦେଖାଇ ଏହି ଟଙ୍କା ଲୋକଙ୍କ ପାଖରୁ ଆଦାୟ ହେବ ବୋଲି ରାସ୍ତା ସଫା କରାଗଲା । ଏବେ କ୍ଷତି ଭରଣା ପାଇଁ ଉପଭୋକ୍ତାଙ୍କଠାରୁ ଆଦାୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେଥିପାଇଁ ନିର୍ବାଚନ ପରେ ଟାଟା ପାୱାରକୁ ଏହାକୁ ଟେକି ଦିଆଯାଇ ବିଦ୍ୟୁତ୍‌ ଟ୍ୟାରିଫ୍‌ ବୃଦ୍ଧି କରିବାକୁ ମସୁଧା ଚାଲିଛି । ଦେଶରେ ଓଡ଼ିଶା ଏବଂ ଦିଲ୍ଲୀକୁ ଛାଡ଼ିଦେଲେ କୌଣସି ରାଜ୍ୟ ବିଦ୍ୟୁତ୍‌ ଘରୋଇକରଣ କରୁନାହାଁନ୍ତି । ଏପରି ପ୍ରକ୍ରିୟା ଦ୍ୱରା ରାଜ୍ୟ ସରକାର ଦୁର୍ନୀତି ପାଇଁ ରାସ୍ତା ସଫା କରୁଛନ୍ତି । ସରକାର କହିଲେ ସେସୁର ୫୧ ଭାଗ ଟାଟା ପାୱାର ଓ ୪୯ ଭାଗ ରାଜ୍ୟ ସରକାରଙ୍କ ଅଂଶ ରହିବ । କର୍ମଚାରୀଙ୍କ ପାଇଁ ରହିଥିବା ୧୦% ଅଂଶ କୁଆଡ଼େ ଗଲା ବୋଲି ମିଳିତ ମଞ୍ଚ ପ୍ରଶ୍ନ କରିଛି । ଆସନ୍ତା ୩ ତାରିଖରେ ରାଜ୍ୟ ସରକାର ଓ ଟାଟା ପାୱାର ମଧ୍ୟରେ ହେବାକୁ ଥିବା ବୁଝାମଣା ବାତିଲ କରାଯାଉ ବୋଲି ମଞ୍ଚ ନେତାମାନେ ଦାବି କରିଛନ୍ତି । ଆସନ୍ତା ୩୦ ତାରିଖ ଦିନ ମିଳିତ ମଞ୍ଚର ଦୁଇ ହଜାର ପ୍ରତିନିଧି ଚନ୍ଦ୍ରଶେଖରପୁର କାର୍ଯ୍ୟାଳୟରୁ ବାହାରି ଓଇଆରସି ସମ୍ମୁଖକୁ ଆସିବେ ଓ ସେଠାରେ ପ୍ରତିବାଦ ପ୍ରଦର୍ଶନ ସହ ଧାରଣାରେ ବସିବେ । ଜାନୁଆରୀ ୮ ତାରିଖ ଦିନ ସର୍ବ ଭାରତୀୟ ଡାକରାରେ ସେସୁ କର୍ମଚାର, ଇଞ୍ଜିନିୟର କାର୍ଯ୍ୟ ବନ୍ଦ କରିବେ । ଏହା ପରେ ଦାବି ମାନି ନନେଲେ ୧୮ ତାରିଖରୁ ମିଳିତ ମଞ୍ଚ ଧର୍ମଘଟକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ