ଆସୁଛି ନୂଆବର୍ଷ, ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୁରୀ : ଆଉ ଦୁଇ ଦିନ ପରେ ନୂଆବର୍ଷ। ତେଣୁ ଧୀରେ ଧୀରେ ଚଳଚଞ୍ଚଳ ହେବାରେ ଲାଗିଛି ନୀଳାଚଳଧାମ ଶ୍ରୀକ୍ଷେତ୍ର। ପ୍ରଶାସନିକସ୍ତରରେ ଏନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସୁରକ୍ଷାକୁ ବଢାଇ ଦିଆଯାଇଛି । ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପୁରୀ ସହର ଏବଂ ସହର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ଭିତର ଓ ବାହାର ସହ ସହର ଭିତରେ ଓ ବାହାରେ ୨୭୬ ଜଣ ଅଧିକାରୀ ଓ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଅନ୍ୟପଟେ ନୂଆବର୍ଷରେ ଟ୍ରାଫିକ୍ ସମସ୍ୟା ଦୂର ପାଇଁ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ପାଇଁ ଡିସେମ୍ବର ୩୧ ଓ ଜାନୁଆରି ୧ରେ ମାଲବାହୀ ଗାଡ଼ି ଚଳାଚଳରେ କଟକଣା ଲଗାଯାଇଛି। ଏହି ଦୁଇଦିନ ସହର ଭିତରେ ମାଲବାହୀ ଗାଡ଼ି ପ୍ରବେଶରେ ରୋକ୍ ଲଗାଯାଇଛି। ଦୈନନ୍ଦିନ ଯାତାୟାତ କରୁଥିବା ଯାତ୍ରୀବାହୀ ବସ ଓ ଟୁରିଷ୍ଟ ବସ ଚଳାଚଳର ରୁଟ୍ ପରିବର୍ତ୍ତନ କରାଯାଇନି। ପୂର୍ବଭଳି ପୁରୀ ବସଷ୍ଟାଣ୍ଡକୁ ଦୈନନ୍ଦିନ ଯାତାୟାତ କରୁଥିବା ବସ୍ ନିଜ ରୁଟରେ ଚଳାଚଳ କରିବ। ଟୁରିଷ୍ଟ ବସଗୁଡ଼ିକ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବେ। ସେପଟେ ନୂଆବର୍ଷ ପାଇଁ ନବ ନିର୍ମିତ ସେଡକୁ ଅଧିକ ଆକର୍ଷଣୀୟ କରାଯାଇଛି। ଫୁଲ କୁଣ୍ଡ ସଜାକାମ ସରିଥିବା ବେଳେ ସେଡ୍ ଉପରେ ଫୁଲ ସଜାହେଉଛି। ଏହି ବାଟ ଦେଇ ଭକ୍ତମାନେ ଯିବା ବେଳେ ସେମାନଙ୍କ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ପାଇଁ ସେଡରେ ସାଉଣ୍ଡ୍ ବକ୍ସ (ସ୍ପିକର୍) ଲଗାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ