ବିବାଦ ସମାଧାନ କରିବାକୁ ଆସି ଝିଅର ନଣଦେଇ ଗୁଳି ରେ ପ୍ରାଣ ହାରିଲେ

ପୋଲସରା, (ଅନିଲ କୁମାର ମହାରଣା):ନିଜ ଝିଅର ପାରିବାରିକ ବିବାଦ ସମାଧାନ କରିବାକୁ ଆସିଥିବା ବାପା ଶେଷରେ ଝିଅର ନଣଦେଇର ଗୁଳି ମାଡ଼ରେ ପ୍ରାଣ ହରାଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଖଲିକୋଟ ଥାନା ଅନ୍ତର୍ଗତ କୁଣ୍ଡ ଗ୍ରାମର ବିଜୟ ବେହେରାଙ୍କ ଝିଅ ଗାୟତ୍ରୀ ପୋଲସରା ବ୍ଳକ ଅନ୍ତର୍ଗତ ସୋଡକ ଗ୍ରାମର ସନ୍ତୋଷ ବେହେରାଙ୍କୁ ବିବାହ କରିଛନ୍ତି। ସନ୍ତୋଷ ସ୍ଥାନୀୟ ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ଦରଜୀ କାମ କରୁଛନ୍ତି। ସନ୍ତୋଷଙ୍କ ପରିବାରରେ ଥିବା କୌଣସି ବିବାଦର ସମାଧାନ କରିବା ପାଇଁ ବିଜୟ ଆଜି ପୋଲସରା ଆସିଥିଲେ। ତେବେ ବିଜୟ ବେହେରାଙ୍କ ଝିଅ ଗାୟତ୍ରୀର ନଣଦେଇ ବୁଗୁଡା ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ ଝୋଲାରୀ ଗ୍ରାମର ପ୍ରଶାନ୍ତ କୁମାର ବେହେରା ଜୁଲାଇ ୧୨ ତାରିଖ ସଂଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ବିଜୟଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଗୁରୁତର ଆହତ ବିଜୟଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ତେବେ ଡାକ୍ତର ବିଜୟ ବେହେରାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଗୁଳି ମାଡ଼ରେ ବିଜୟଙ୍କ ଝିଅ ଗାୟତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଖବର ପାଇ ସ୍ଥାନୀୟ ପୋଲିସ ଶବକୁ ଜବତ କରି ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ହତ୍ୟା ଅଭିଯୁକ୍ତ ପ୍ରଶାନ୍ତ କୁମାର ବେହେରାକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଅପରାହ୍ନ ୪ଟା ସମୟରେ ପ୍ରଶାନ୍ତ କୁମାର ବେହେରା ବନ୍ଧୁକ ଧରି ବୁଲୁଥିବା ନେଇ ପରିବାର ଲୋକେ ପୋଲସରା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ତୁରନ୍ତ ପଦକ୍ଷେପ ଗ୍ରହଣରେ ଅବହେଳା ଯୋଗୁଁ ଗୋଟିଏ ଅମୂଲ୍ୟ ଜୀବନ ଚାଲିଗଲା ବୋଲି କ୍ଷୋଭ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ