ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଗସ୍ତ ଅବସରରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ ଜିଲାର ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ଓ ସରକାରୀ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି । ସଦଭାବନା ସଭାଗୃହରେ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଉପସ୍ଥିତିରେ କରାଯାଇଥିବା ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ନୀଲୁ ମହାପାତ୍ର, ପିଡି-ଡିଆରଡିଏ ରବୀନ୍ଦ୍ର କୁମାର ସାହୁ, ଉପ-ଜିଲାପାଳ ତଥା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ ଈଶ୍ୱର ପାଟିଲ, ବାଲେଶ୍ୱର ଉପ-ଜିଲ୍ଲାପାଳ କୁନାଲ ଚୌହାନ, ନୀଳଗିରି ଉପ-ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଅତିରିକ୍ତ ଏସ.ପି. ଅମରେଶ କୁମାର ପାଣିଗ୍ରାହୀ, ଡି.ଏଫ.ଓ. ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟ ଓ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିଲାର ବିଭିନ୍ନ ଥାନାରେ ପଞ୍ଜୀକରଣ ହୋଇଥିବା ଆପରାଧିକ ମାମଲା, ତାହାର ତଦନ୍ତ, ଫଇସଲା ଏବଂ ପୋଲିସ ବିଭାଗ ପକ୍ଷରୁ ଜାରି ରହିଥିବା ନିର୍ମାଣ କାର୍ଯ୍ୟର ଅଗ୍ରଗତି ଇତ୍ୟାଦି ସମ୍ପର୍କରେ ବିଭାଗୀୟ ଅଧିକାରୀ ତଥ୍ୟ ରଖିଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା, ଶୌଚାଳୟ ନିର୍ମାଣ, ବାହ୍ୟ ମଳମୁକ୍ତ ଗ୍ରାମ ଇତ୍ୟାଦି ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା । ବାଲେଶ୍ୱର ଜିଲା ଏକ ବାତ୍ୟାପ୍ରବଣ ଜିଲା ହୋଇଥିବାରୁ ଆବାସ ଯୋଜନାରେ ସମ୍ପ୍ରତି ଚାଲିଥିବା ଗୃହନିର୍ମାଣ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ରାଜସ୍ୱ ଆୟୁକ୍ତ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜିଓ ଟ୍ୟାଗିଂ ମାଧ୍ୟମରେ ନିର୍ମାଣ କାର୍ଯ୍ୟର ତଦାରଖ କରିବାକୁ ସେ କହିଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବ୍ୟାଙ୍କ ମଧ୍ୟରେ ସଂଯୋଗୀକରଣ(ଲିଙ୍କେଜ୍) ଉପରେ ସେ ଗୁରୁତ୍ୱାରୋପ କରିବା ସହିତ ଗ୍ରାମୀଣ କୌଶଳ ଯୋଜନାରେ ଯୁବକ-ଯୁବତୀଙ୍କ ଦକ୍ଷତା ବୃଦ୍ଧି, ମିଶନ ଶକ୍ତି ଗୃହ ନିର୍ମାଣ ଶେଷ, ଆମ ଗାଁ-ଆମ ବିକାଶ ଯୋଜନାର କାର୍ଯ୍ୟାନ୍ୱୟନ ଉପରେ ସେ ଜୋର୍ ଦେଇଥିଲେ । ଜିଲ୍ଲାରେ ଶିକ୍ଷା ଓ ସ୍ୱାସ୍ଥ୍ୟର ଭିତିଭୂମି ଓ ଏହି ଦୁଇ ବିଭାଗର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ଜଙ୍ଗଲ ଅଧିକାର ଅଧିନିୟମର କାର୍ଯ୍ୟକାରିତା ପ୍ରସଙ୍ଗରେ ବନଖଣ୍ଡ ଅଧିକାରୀଙ୍କ ପାଖରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସହିତ ବନୀକରଣକୁ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ । ଅନୁରୂପ ଭାବେ ଜିଲ୍ଲାରେ ଧାନସଂଗ୍ରହ ସ୍ଥିତି, ଜମି ଅଧିଗ୍ରହଣ ସମେତ କୃଷି , ଉଦ୍ୟାନକୃଷି, ପୂର୍ତ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ଜଳସେଚନ, କ୍ଷୁଦ୍ର ଜଳସେଚନ, ଡ୍ରେନେଜ୍ ଇତ୍ୟାଦି ବିଭାଗର ବିଭିନ୍ନ ପ୍ରକଳ୍ପ ଓ ସେ ସମ୍ପର୍କିତ ସମସ୍ୟା ସମ୍ପର୍କରେ ବିଭାଗର ବରିଷ୍ଠ ଅଧିକାରୀମାନେ ଗୃହରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଜମିଜମା ମାମଲା ପାଇଁ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁ ନ ଥିବାରୁ ଏଥିପାଇଁ ବରିଷ୍ଠ ଇଞ୍ଜିନିୟର, ତହସିଲଦାର ଓ ରାଜସ୍ୱ ବିଭାଗ ଅଧିକାରୀମାନେ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଚାଲୁ କରିବାକୁ ସେ ତାଗିଦ୍ କରିଥିଲେ । ଜିଲ୍ଲାର ସହରାଂଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଜାଗା ମିଶନ୍ ସମ୍ପର୍କରେ ସେ ସମୀକ୍ଷା କରିବା ସହ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଗ୍ରୀଷ୍ମ ପ୍ରବାହରେ ଯେପରି ଶ୍ରମିକମାନେ ଦିନ ୧୧ଟାରୁ ସାଢେ ୩ଘଟିକା ପର୍ଯ୍ୟନ୍ତ କାମ ନ କରନ୍ତି ତାହା ସୁନିଶ୍ଚିତ କରିବାକୁ ଶ୍ରମ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍ବ୍ୟତୀତ ଅନ୍ୟାନ୍ୟ ବିଭାଗ ସମ୍ପର୍କରେ ମଧ୍ୟ ସଂକ୍ଷେପରେ ଆଲୋଚନା କରିଥିଲେ ।


