ବିରୋଧୀ ଦଳ ବୈଠକ ୨୨ରେ : ଅଧ୍ୟକ୍ଷତା କରିବେ ସୋନିଆ
ନୂଆଦିଲ୍ଲୀ: ସାମ୍ପ୍ରତିକ ସମୟରେ ଦେଶରେ ପ୍ରବାସୀ ଶ୍ରମିକମାନଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିଚାଲିଛି। ବିଭିନ୍ନ ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବା ସକାଶେ କେନ୍ଦ୍ର ସରକାର ଯଥେଷ୍ଟ ବ୍ୟବସ୍ଥା କରିଥିଲେ ମଧ୍ୟ ପ୍ରତିଦିନ ସୋସିସାଲ୍ ମିଡିଆ ଓ ଗଣମାଧ୍ୟମରେ ସେମାନଙ୍କ ଦୁର୍ଦ୍ଦଶାର ଚିତ୍ର ବ୍ୟଥିତ କରିଚାଲିଛି। ତେବେ ଏହି ପ୍ରସଙ୍ଗରେ ବିରୋଧୀ ଦଳମାନେ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ବିଜେପିକୁ ଘେରିଆସୁଥିବା ବେଳେ ଆଗାମୀ ମେ’ ୨୨ ତାରିଖରେ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅପରାହ୍ନ ୩ଟା ବେଳେ ହେବ ଓ ଏଥିରେ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଅଧ୍ୟକ୍ଷତା କରିବେ ବୋଲି ଜଣାପଡ଼ିଛି। କଂଗ୍ରେସ ପକ୍ଷରୁ ଆହୂତ ଏହି ବୈଠକରେ କୋରୋନା ଭୂତାଣୁଜନିତ ସ୍ଥିତି ଓ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଆଲୋଚନା ହେବ। ଏହି ବୈଠକରେ ଏନ୍ସିପି ମୁଖ୍ୟ ଶରଦ ପାଓ୍ୱାର୍, ଜେଏମ୍ଏମ୍ ନେତା ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ଟିଏମ୍ସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡିଏମ୍କେ ନେତା ଏମ୍କେ ଷ୍ଟାଲିନ୍, ସିପିଆଇ(ଏମ୍) ନେତା ସୀତାରାମ ୟେଚୁରୀ, ଆର୍ଜେଡି ନେତା ତେଜସ୍ବୀ ଯାଦବଙ୍କ ସମେତ ୨୦ ଜଣ ବିରୋଧୀ ଦଳ ନେତା ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ବିଶେଷକରି ଗତ ୨୦୧୯ ଲୋକସଭା ନିର୍ବାଚନ ପରଠାରୁ ବିଜେପି ବିରୋଧରେ ବିଷୋଦ୍ଗାର କରିଆସୁଥିବା ମମତା ବାନାର୍ଜୀ ବିରୋଧୀ ଦଳମାନଙ୍କ ବୈଠକରେ ଅଂଶଗ୍ରହଣ କରିବା ନେଇ ଗତ ସୋମବାର ଘୋଷଣା କରିଥିଲେ।


