ବିଲେଇ ଗନ୍ଧରେ ଅତିଷ୍ଠ ଥାନାର ଦ୍ୱାରସ୍ଥ ହେଲେ ସାହି ବାସିନ୍ଦା

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଏନଏସି ଅନ୍ତର୍ଗତ ୧୦ ନଂ ୱାର୍ଡର ଶଙ୍କରମଠ ସାହି ସଂଲଗ୍ନ ପାଣି କଲୋନିର ବିପର୍ଯ୍ୟୟ ପରିମଳ ସୁଧାର ଆଣିବା ଲାଗି ୧୦ ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ବହୁ ସାହି ବାସିନ୍ଦା ରବିବାର ଛତ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ସାହିରେ ଜଣେ ବ୍ୟକ୍ତି ନିଜର ପରିତ୍ୟକ୍ତ ଘରେ ୩୦ ରୁ ଉର୍ଦ୍ଧ୍ୱ ବିଲେଇକୁ ରଖିଛନ୍ତି । ସେମାନଙ୍କ ଉପଯୁକ୍ତ ଯତ୍ନ ନ ନେବା ଫଳରେ ସେମାନଙ୍କ ମଳମୁତ୍ର ଇତ୍ୟାଦି ଗନ୍ଧରେ ସାହି ବାସିନ୍ଦା ଅତିଷ୍ଠ ହୋଇ ପଡିଲେଣି । ସାହିକୁ ଆସୁଥିବା ଲୋକେ ମଧ୍ୟ ଏଥିରେ ଅତିଷ୍ଠ ହୋଇ ସାହିକୁ ଆସିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏପରିକି, ପରିବା ବିକାଳି ମାନେ ମଧ୍ୟ ସାହିକୁ ପରିବା ବିକ୍ରି କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିବାରୁ ସାହି ବାସିନ୍ଦା ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହା ସହ ଆଗକୁ ସାହିରେ ଦୁଇ ଦୁଇଟି ବିବାହ କାର୍ଯ୍ୟ ରହିଥିବାରୁ ସେମାନଙ୍କ ଘରକୁ ସମ୍ପର୍କୀୟ ମାନେ ଆସିବାରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଥିବାରୁ ସେମାନେ ଉକ୍ତ ଘର ମାଲିକଙ୍କୁ ଘର ସଫା କରିବା ଲାଗି ଅନୁରୋଧ କରିଥିଲେ । ହେଲେ ଘର ମାଲିକ ଜଣକ ସାହିକୁ ଆସି ସାହିରେ ବାସ କରୁଥିବା ମହିଳା ଓ ପୁରୁଷ ମାନଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ । ଏଣୁ ସେମାନେ ବାଧ୍ୟ ହୋଇ ସେମାନେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସାହି ବାସିନ୍ଦା ମାନେ ଆଜି ବାଧ୍ୟ ହୋଇ ଛତ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପତ୍ର ପ୍ରଦାନ ବେଳେ ଡି. ଜମୁନାରାଣୀ, ରଞ୍ଜିତା ପାଣି, କିଶୋର ପଟ୍ଟନାୟକ, ଲକ୍ଷ୍ମୀ ସାହୁ, ଅନିତା ପଣ୍ଡା, ଝୁନୁ ପଣ୍ଡାଙ୍କ ସମେତ ବହୁ ସାହି ବାସିନ୍ଦା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ