ବିଶ୍ୱ ମାନଚିତ୍ରରୁ ହଜିଯାଇଥିବା ୧୦ଟି ସହର
ସମୟ ସହ ତାଳ ଦେଇ ବଦଳୁଛି ଦୁନିଆ । ବଦଳୁଛି ପରିବେଶ, ପରିସ୍ଥିିତି ଓ ଭୌଗୋଳିକ ନକ୍ସା । କେତେ କ’ଣ ଭଙ୍ଗାହେଉଛି ପୁଣି ଗଢ଼ା ହେଉଛି । ଦୁନିଆରେ ଏମିତି ଅନେକ ସହର ଅଛି ଯାହା ବିଭିନ୍ନ କାରଣରୁ କାଳର କରାଳ ଗତିରେ ଠେଲି ହୋଇଯାଇଛି ଅନ୍ଧକାର ଭିତରକୁ । ଅତୀତରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ ପରିସ୍ଥିତି ପାଇଁ ଅନେକ ସହର ବିଶ୍ୱ ନକ୍ସାରୁ ହଜିଯାଇଛି । ଏଗୁଡିକ ମଧ୍ୟରେ କେତେକ ସହର ନଜର ନିଆରା ପରମ୍ପରା ପାଇଁ ଜନମାନସରେ ସ୍ମୃତି ହୋଇ ରହିଥିବାବେଳେ କେତେକକୁ ସନ୍ଧାନ କରିବାରେ ଲାଗିପଡିଛି ପତ୍ନତତ୍ତ୍ୱ ବିଭାଗ । ଆସନ୍ତୁ ଜାଣିବା ଏହିଭଳି କେତେକ ନିଶ୍ଚିହ୍ନ ହୋଇଯାଇଥିବା ସହର ବିଷୟରେ ।
ପମ୍ପେଇ: ଖ୍ରୀଷ୍ଟପୂର୍ବ ୭୯ ପରର ଏହି ରୋମାନ ସହର ଆଗ୍ନେୟଗିରିରୁ ଭୀଷଣ ଲାଭା ଉଦ୍ଗୀରଣ ହେବାରୁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା । ସେତେବେଳେ ଏହାର ଜନସଂଖ୍ୟା ୨୦ ହଜାର ଥିଲା ଓ ଏହାକୁ ରୋମର ପର୍ଯ୍ୟଟନ ସ୍ଥଳ କୁହାଯାଉଥିଲା । ୧୭୪୮ ମସିହାରେ ଏହି ସହରକୁ ପୁନରୁଦ୍ଧାର କରାଯାଇଥିଲା ।
ଟ୍ରୟ: ବାରମ୍ବାର ଯୁଦ୍ଧ ଯୋଗୁଁ ତୁର୍କୀର ଏହି ସହର ସମ୍ପୂର୍ଣ୍ଣ ବିନାଶ ହୋଇଯାଇଥିଲା । ୧୮୭୦ ମସିହାରେ ହେନରିଚ ସାଲମାନନ ମାଟି ଖୋଳି ଏହି ସହରକୁ ଖୋଜିବା ଆରମ୍ଭ କରି୍ଥିଲେ । ଏହି ସହର ସ୍କେମେଣ୍ଡର ନଦୀ ତଟରେ ଗଢ଼ି ଉଠିଥିଲା ବୋଲି କୁହାଯାଏ ।
ଜାଡେ: ବ୍ରାଜିଲର ଘନ ଜଙ୍ଗଲରେ ଗଢ଼ି ଉଠିଥିବା ଏହି ସହର ବିଶ୍ୱର ଆଧୁନିକ ସହର ମଧ୍ୟରେ ଖୁବ ପ୍ରସିଦ୍ଧ ଥିଲା । ଏଠାରେ ଉତ୍ତମ ସଡକ ସହିତ ପୋଲ, ମନ୍ଦିର ଥିବାର କୁହାଯାଏ । ୧୭୫୩ ମସିହାରେ ପ୍ରଥମେ ପର୍ତ୍ତୁଗୀଜମାନେ ଏହି ସହରର ସନ୍ଧାନ ପାଇଥିଲେ । ପରେ ଏହା ଗବେଷକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ୧୯୨୫ ମସିହାରେ ଫାବାସେଟ ନାମକ ଜେଣ ପାର୍ସି ଗବେଷକ ଏହି ସହର ସନ୍ଧାନରେ ଯାଇ ନିଖୋଜ ହୋଇଯାଇଥିଲେ । ପରେ ଏହି ସହର ଆଉ ଥରେ ଅନ୍ଧାର ଭିତରକୁ ଚାଲିଯାଇଥିଲା । ପୁଣି ଥରେ ଏହି ସହରକୁ ଆମାଜନ ଜଙ୍ଗଲରୁ ସନ୍ଧାନ କରାଯାଇଛି ।
ଆଙ୍ଗାକୋର: ଖ୍ରୀଷ୍ଟପୂର୍ବ ୮୦୦ ପରେ କମ୍ବୋଡିଆରେ ଗଢ଼ି ଉଠିଥିଲା ଏହି ସହର । ୧୪୩୧ରେ ଥାଇ ସେନାର ଆକ୍ରମଣରେ ଏହି ସହର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା । ଏହାକୁ ବୌଦ୍ଧ ମନ୍ଦିରର ପେଣ୍ଠସ୍ଥଳୀ ମଧ୍ୟ କୁହାଯାଉଥିଲା । ୧୮୦୦ ମସିହା ପର୍ଯ୍ୟନ୍ତ ସହରର କୌଣସି ଖୋଜ ଖବର ନଥିଲା । ଏହା ପରେ ଫ୍ରେଞ୍ଚ ପତ୍ନତତ୍ତ୍ୱବିତମାନେ ଏହି ସହରକୁ ଖୋଜି ପାଇଥିଲେ ।
ମାମ୍ଫିସ: ଖ୍ରୀଷ୍ଟପୂର୍ବ ୩୧୦୦ରେ ସ୍ଥାପନ କରାଯାଇଥିବା ଏହି ସହର ପ୍ରାଚୀନ ଇଜିପ୍ଟର ରାଜଧାନୀ ଥିଲା । ବର୍ଷ ବର୍ଷ ଧରି ଏହା ଇଜିପ୍ଟ ସଭ୍ୟତାର କେନ୍ଦ୍ରସ୍ଥଳ ଥିଲା । ପ୍ରାଚୀନ କାଳରେ ଏହାକୁ ପାଖାପାଖି ୩୦ ହଜାର ବିଶାଳ ଜନସଂଖ୍ୟା ବିଶିଷ୍ଟ ସହର କୁହାଯାଉଥିଲା । କାଳକ୍ରମେ ଏହି ସହରଟି ବିଲୁପ୍ତ ହେବାକୁ ଲାଗିଲା । କିନ୍ତୁ ୧୭୦୦ ମସିହାରେ ମେପୋଲିଓନିକ ଗବେଷକମାନେ ଏହାକୁ ଖୋଜି ବାହାର କରିଥିଲେ ।
ଆଟଲାଣ୍ଟିସ: ଏହା ସବୁଠାରୁ ପୁରୁଣା ସହର ଥିଲା । କାଳକ୍ରମେ ଏହି ସହର ସମୁଦ୍ର ଗର୍ଭରେ ବିଲୀନ ହୋଇଯାଇଥିଲା । ଏହାକୁ ୟୁରୋପର କେନ୍ଦ୍ର ମଧ୍ୟ କୁହାଯାଉଥିଲା । ଏଯାବତ ଏହି ସହରର କୌଣସି ଖୋଜ ଖବର ମିଳିପାରିନାହିଁ ।
ପେଟ୍ରା:ବିଶ୍ୱର ସବୁଠାରୁ ସୁନ୍ଦର ସହରଗୁଡିକ ମଧ୍ୟରେ ଜୋର୍ଡାନ ପେଟ୍ରା ଖୁବ ପରିଚିତ ଥିଲା । ଖ୍ରୀଷ୍ଟପୂର୍ବ ୩୬୩ର ଭୟଙ୍କର ଭୂମିକମ୍ପରେ ସହର ଧ୍ୱଂସ ହୋଇଯାଇଥିଲା । ପ୍ରାଣ ବିକଳରେ ଲୋକମାନେ ଏଠାରୁ ପଳାଇଯାଇଥିଲେ । ୧୮୧୨ ମସିହାରେ ଗବେଷକ ସ୍ୱିସ ପୁଣି ଥରେ ଏହି ସହରକୁ ଖୋଜି ପାଇଥିଲେ ।
ସିଟି ଅଫ୍ ଦି ସିଜର୍ସ: ଏହା ଏକ ପୌରାଣିକ ସହର । ଏହା ଦକ୍ଷିଣ ଆମେରିକାର ପେଟାଗୋନିଆ ଅଞ୍ଚଳରେ ଅବସ୍ଥିତ ବୋଲି କୁହାଯାଇଥାଏ । ତେଣୁ ଏହାକୁ ସିଟି ଅପ ଦି ପେଟାଗୋନିଆ ମଧ୍ୟ କୁହାଯାଇଥାଏ । ଏଯାବତ କଳ୍ପନାରେ ରହିଥିବା ଏହି ସହରକୁ ନେଇ ଅନେକ କିମ୍ବଦନ୍ତୀ ରହିଛି । କିନ୍ତୁ ଏହାକୁ କେବେ ଖୋଜିବାର ପ୍ରୟାସ କରାଯାଇନାହିଁ । ଏହାକୁ ଭୂତଙ୍କ ସହର ବୋଲି କୁହାଯାଇଥାଏ ।
ଏଲ ଡୋର୍ଡୋ: ଏହା ମଧ୍ୟ ଏକ ପୌରାଣିକ ସହର । ଦକ୍ଷିଣ ଆମେରିକାର ଏଲ ଡୋର୍ଡୋ ରାଜା ଏହି ସହରରେ ଶାସନ କରୁଥିଲେ । ଏହାର ଏକ ପାଶ୍ୱର୍ରେ ସୁନାର ନଗର ଥିବା ସନ୍ଦେହ କରାଯାଉଥିଲା । ୧୫୪୧ରେ ଗୋଞ୍ଜାଲୋ ପିଜାରୋଙ୍କ ନେତୃତ୍ୱରେ ହଜାର ହଜାର ଲୋକ ଓ ସୈନିକ ଆମେରିକୀୟ ସୈନିକ ଏହି ସହରକୁ ଖୋଜିବାକୁ ପ୍ରୟାସ କରି ଅସଫଳ ହୋଇଥିଲେ ।
ମାଚୁ ପିଚୁ: ଦକ୍ଷିଣ ଆମେରିକାର ପେରୁ ସ୍ଥିତ ଏହି ସହରକୁ ବିଶ୍ୱର ସବୁଠାରୁ ରହସ୍ୟମୟ ସ୍ଥଳ ବୋଲି କୁହାଯାଏ । ଏଣ୍ଡିଜ ପର୍ବତ ଉପରେ ଗଢ଼ି ଉଠିଥିବା ଏହି ସହର ଦୁନିଆର ସାତଟି ଆଶ୍ଚର୍ଯ୍ୟଙ୍କ ମଧ୍ୟରେ ଗୋଟିଏ । ୧୯୧୧ ମସିହାରେ ଆମେରିକା ଗବେଷକ ହିରାମ ସିଙ୍ଘମ ଏହାକୁ ଖୋଜି ବାହାର କରିଥିଲେ ।


