ବିଶ୍ୱ ହକି ଖେଳ ପାଇଁ ଉଠାଦୋକାନୀ ଉଚ୍ଛେଦକୁ ଜୋରଦାର ବିରୋଧ କରାଯିବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜଧାନୀ ଭୁବନେଶ୍ୱର ଏବଂ ରାଉରକଲାରେ ଜାନୁୟାରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ କପ୍ ହକି ଖେଳ ପାଇଁ ସାରା ବିଶ୍ୱରୁ ହକି ଖେଳାଳୀ, ଦର୍ଶକ ଏବଂ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ଓଡ଼ିଶା ଆଗମନକୁ ନେଇ ଏବେ ରାଜଧାନୀ ଭୁବନେଶ୍ୱରକୁ ସରସ, ସୁନ୍ଦର ଓ ସୌନ୍ଦର୍ଯ୍ୟକରଣ କରିବା ଆଳରେ ବିଏମ୍‌ସି, ବିଡ଼ିଏ, ଜିଏ, ଜାତୀୟ ରାଜପଥ ଏବଂ ପୋଲିସ୍ ପ୍ରଶାସନ ମିଳିତ ପ୍ରୟାସରେ ବସ୍ତିବାସିନ୍ଦା ଓ ଉଠାଦୋକାନୀମାନଙ୍କୁ ଯେଭଳି ଭାବରେ ଉଚ୍ଛେଦ କରାଯାଉଛି ତାହା କୌଣସି ଅମାନୁଷିକ ଘଟଣା ଠାରୁ କିଛି କମ୍ ନୁହେଁ । ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟରେ ଖେଳାଳୀମାନଙ୍କ ସ୍ୱାର୍ଥ ପାଇଁ ଗରିବ ଉଠାଦୋକାନୀ ଓ ବସ୍ତିବାସିନ୍ଦା ମାନଙ୍କ ଦାନା ପାଣି ମାରିବା ଏହି ଉଚ୍ଛେଦର ମୂଳ ଲକ୍ଷ୍ୟ ବୋଲି ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ ସାହୁ କ୍ଷୋଭର ସହ ପ୍ରକାଶ କରିଛନ୍ତି ।ଶ୍ରୀଯୁକ୍ତ ସାହୁ କହିଛନ୍ତି ଯେ, ଉଠାଦୋକାନୀମାନଙ୍କ ଥଇଥାନ ପାଇଁ ଆଇନ ଥିବା ବେଳେ ତାହାକୁ ନ ମାନି ଯେଉଁଭଳି ଭାବରେ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରାଯାଉଛି ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ସମ୍ବିଧାନର ଧାରା ୧୯(୧)(ଛ) ଆଇନ ଅନୁଯାୟୀ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର ରହିଛି ବେପାର ବୃତ୍ତି କରିବାର । ସେଥିରୁ କାହାକୁ ନିବୃତ୍ତ କରାଯାଇ ପାରିବ ନାହିଁ । କିନ୍ତୁ ରାଜ୍ୟ ସରକାର ଯେଉଁଭଳି ଭାବରେ ଉଚ୍ଛେଦ ପ୍ରକ୍ରି୍ରୟା ଚଳାଇଛନ୍ତି ଏବଂ ଆଗକୁ ଆହୁରି ଉଚ୍ଛେଦ କରିବାକୁ ଯୋଜନା ମଧ୍ୟ ରଖିଛନ୍ତି । ଯଦି ରାଜ୍ୟ ସରକାର ଉଠାଦୋକାନୀମାନଙ୍କୁ ଆଇନ ଅନୁଯାୟୀ ଥଇଥାନ ନକରି ଉଚ୍ଛେଦ ଜାରି ରଖନ୍ତି, ତେବେ ବାଧ୍ୟ ହୋଇ ଓଡ଼ିଶା ଉଠାଦୋକାନୀ ମହାସଂଘ ରାଜରାସ୍ତାକୁ ଓହ୍ଲାଇବା ସହ ଖେଳ ନୁହେଁ, ଭାତ ଚାହୁଁ, ସ୍ମାର୍ଟ ସିଟି ନୁହେଁ, ରୁଟି ଚାହୁଁ, ସୌନ୍ଦର୍ଯ୍ୟକରଣ ଆଳରେ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିବା ବନ୍ଦ କରାଯାଉ ଏବଂ ରୋଟି ମକାନ ଛଡ଼ାଇ ନେଲ, ଦେହରେ କପଡ଼ା ରହିବ କାହିଁ ଆଦି ସ୍ଲୋଗାନ ଦେଇ ନବୀନ ନିବାସ ଆଗରେ ଧାରଣା ଦେବା ସହ କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲା ଷ୍ଟାଡ଼ିୟମ ସମ୍ମୁଖରେ ହଜାର ହଜାର ଉଠାଦୋକାନୀ ଓ ବସ୍ତିବାସିନ୍ଦା ଧାରଣାରେ ବସିବେ ବୋଲି ଶ୍ରୀଯୁକ୍ତ ସାହୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ