ବିଷ ପିୟୂଷ
ତୁମକୁ ଭରଷା
କରି ହେ ସାଆନ୍ତେ
ଆଉ ନ ପାରିବି ଚାଲି,
ଯାହା ଦେଇଥିଲ
ସବୁତ ନେଲଣି
ଆଉ ନାହିଁ କିଛି ଖାଲି ।
ସବୁ କାଢିନେଇ
କାଙ୍ଗାଳ ସଜାଇ
ବୁଲାଉଛ ବାରଦ୍ବାର,
ନୀଳଚକ୍ର ପରେ
ପତିତପାବନ
ବାନା ଉଡେ ଫର ଫର ।
ଚାହିଁକି ବସିଛ
ଗୁମୁଟ ଭିତରେ
ପତିତପାବନ ହୋଇ,
କାନେ କୁହାଉଛ
ଯାହା ଇଛା ମାଗ
ସିଂହଦ୍ବାରେ ଠିଆ ହୋଇ ।
ଯାର ତୁଟିଲାଣି
ସଂସାରରେ ଆଶା
ଆଉ ସେ ମାଗିବ କିସ,
ବିଛଣାରେ ପଡି
କନ୍ଦାଇ ଗଡାଇ
ମାରୁଛ ନ ଦେଇ ବିଷ ।
ମନରେ ତୁମ୍ଭର
କିସ ଇଛା ଅଛି
ସତ କୁହ ଜଗଦୀଷ,
ବିଷ ତ ତୁମ୍ଭରି
ପିୟୂଷ ତୁମ୍ଭରି
ମୋତେ ପିଆଇବ କିସ ।

ଗଦାଧର ସାହୁ,
ବ୍ରହ୍ମଗିରି, ପୁରୀ


