ବିସିସିଆଇର ବଡ଼ ଆୟକାରୀ ପ୍ରତିଯୋଗିତାର ମାନ୍ୟତା ପାଇଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍
ଭୁବନେଶ୍ୱର,(ୱାଇଏନ୍ଏସ୍): ଲଳିତ ମୋଦିଙ୍କ ମାନସପୁତ୍ରରୁ ବିସିସିଆଇର ବଡ଼ ଆୟକାରୀ ପ୍ରତିଯୋଗିତାର ମାନ୍ୟତା ପାଇଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍। ୨୦୦୮ ମସିହାରୁ ଯାତ୍ରା ଆରମ୍ଭ କରିଥିବା ଏହି ଟି-୨୦ ପ୍ରତିଯୋଗିତା ଏବେ ବିଶ୍ବର ସବୁଠାରୁ ଆକର୍ଷଣୀୟ ଏବଂ ଲୋଭନୀୟ। ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ବିଜେତା ମୁକୁଟ ପିନ୍ଧିବା ପରେ ଆସନ୍ତୁ ଆଇପିଏଲ୍ର ବିଗତ ୧୩ ସଂସ୍କରଣ ଉପରେ ବିହଙ୍ଗାବଲୋକନ କରିନେବା। ଚଳିତ ବର୍ଷ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳା ଯାଇଥିବା ଫାଇନାଲରେ ପ୍ରଥମ ଥର ପାଇଁ ଟ୍ରଫି ଟକ୍କରରେ ଅବତୀର୍ଣ୍ଣ ହୋଇଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟ୍ରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ୍ ବିଜେତା ହୋଇଥିଲା। ନୂଆ ବଲ୍ରେ ଦିଲ୍ଲୀକୁ ଘାଇଲା କରିଥିବା ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ତେବେ କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ କେଏଲ୍ ରାହୁଲ (୬୭୦) ସର୍ବାଧିକ ରନ୍ ସଂଗ୍ରହ କରି ନାରଙ୍ଗୀ ଟ୍ରଫି ଜିତିଥିଲେ। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ରୁତ ବୋଲର କାଗିସୋ ରବାଦା (୩୦) ସର୍ବାଧିକ ୱିକେଟ୍ ଅକ୍ତିଆର କରି ବାଇଗଣୀ ଟୋପି ଜିତିବାର ଗୌରବ ଅର୍ଜନ କରିଥିଲେ। ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ନିଜ ୨୦୦ତମ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ।