ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ସମ୍ବଲପୁର ଖିଣ୍ଡାରେ ‘ମୋ ମୋଟି ମୋ ଦେଶ

ସମ୍ବଲପୁର,(ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ସମ୍ବଲପୁର ଜିଲ୍ଲା ଖିଣ୍ଡା ଗ୍ରାମରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହେବା ଅବସରରେ ତାଙ୍କର ମୂଲ୍ୟବୋଧକୁ ମନେପକାଇ ସଂଘର୍ଷ ଏବଂ ଜନ ଅଧିକାର ପାଇଁ ଏକାଠି ହେବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଅନ୍ତର୍ଗତ ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ଘରକୁ ଯାଇ ପରିବାରର ସଦସ୍ୟଙ୍କ ଠାରୁ ‘ଅମୃତ କଳସ’ରେ ମାଟି ସଂଗ୍ରହ କରିଥିଲେ । ପରେ ଗ୍ରାମାଞ୍ଚଳର ଘର ଘର ବୁଲି ଗୁରୁଜନ, ମାଆ, ଭଉଣୀ ଓ ଭାଇ ବନ୍ଧୁ ମାନଙ୍କ ଠାରୁ ମାଟି ସଂଗ୍ରହ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହା ପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ହୀରାକୁଦ ଡ୍ୟାମ ଓ କଳକାରଖାନା ନିର୍ମାଣ ପାଇଁ ଏହି ଅଞ୍ଚଳର ଲୋକମାନେ ବାରମ୍ବାର ବିସ୍ଥାପିତ ହୋଇଛନ୍ତି । ମାତ୍ର ଦୁର୍ଭାଗ୍ୟବଶତଃ ବ୍ୟବସ୍ଥା ଅନୁସାରେ ବିସ୍ଥାପିତଙ୍କ ପାଇଁ ଯେଉଁଭଳି ଭାବରେ କାର୍ଯ୍ୟ ହେବା କଥା, ସେତେ ମାତ୍ରାରେ ହୋଇନାହିଁ । ସ୍ଥାନୀୟ ସରକାର ଚଲାଉଥିବା ଲୋକମାନେ ବିସ୍ଥାପିତଙ୍କ ସ୍ୱାର୍ଥକୁ ଧ୍ୟାନ ନ ଦେଇ ଦାୟିତ୍ୱହୀନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବୀର ସୁରେନ୍ଦ୍ର ସାଏ ବ୍ରିଟିଶ ମାନଙ୍କ ବିରୁଦ୍ଧରେ ଲମ୍ବା ସମୟ ଲଢେଇ କରି ନିଜର ସାହସ ଓ ନୀର୍ଭିକତାର ପରିଚୟ ଦେଇଥିଲେ । ଆଜି ଦେଶ ଯେତେବେଳେ ସ୍ୱାଧୀନତାର ୭୫ ବର୍ଷ ପୁରଣ କରୁଛି ସେହି ସମୟରେ ସୁରେନ୍ଦ୍ର ସାଏଙ୍କ ମୂଲ୍ୟବୋଧକୁ ମନେପକାଇ ନୂଆ ଢଙ୍ଗରେ ସଂଘର୍ଷ, ଲଢେଇ ଓ ଲୋକାଧିକାର ପାଇଁ ଏକାଠି ହେବା, ଏହା ହିଁ ଆଜିର ସଂକଳ୍ପ । ସେହିପରି ଖିଣ୍ଡା ଗ୍ରାମର ସୌନ୍ଦର୍ଯ୍ୟକରଣ ସହ ଏହାକୁ ଏକ ଦର୍ଶନୀୟ କେନ୍ଦ୍ରରେ ପରିଣତ କରିବା ପାଇଁ ସାମୂହିକ ଉଦ୍ୟମ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶର ସବୁ ଗାଁ ବିଶେଷତଃ ମହାପୁରୁଷଙ୍କ ଜନ୍ମସ୍ଥାନରୁ ମାଟି ସଂଗ୍ରହ କରିବା ପାଇଁ ଆହ୍ୱାନ କରିଛନ୍ତି । ଆଜି ସଂଗ୍ରାମୀ ମାଟି ଖିଣ୍ଡା ଗ୍ରାମରୁ ସଂଗ୍ରହ ହୋଇଥିବା ପବିତ୍ର ମାଟି ଦିଲ୍ଲୀ ଯିବ ଏବଂ ସେଠାରେ କର୍ତ୍ତବ୍ୟ ପଥରେ ‘ଅମୃତ ବାଟିକା’ରେ ସ୍ଥାପିତ ହେବ । ମୋ ମାଟି ମୋ ଦେଶ ଆଜି ଦେଶବାସୀଙ୍କ ମନରେ ଏକତା ଭାବନା ଆଣିବା ସହ ନୂଆ ଜାଗରଣ ସୃଷ୍ଟି କରିଛି । ଏହି ଅବସରରେ ସମବେତ ଜନସାଧାରଣଙ୍କୁ ପଞ୍ଚ ପ୍ରଣର ଶପଥ ପାଠ ମଧ୍ୟ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ