ଜୁଆ ଆଡ୍ଡା ଚଢ଼ାଉ ସମୟରେ ପୋଲିସ୍ ଉପରେ ଆକ୍ରମଣ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁ୍ଥିବା ସମୟରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିବା ଯୋଗୁଁ ଜୁଆଡ଼ିମାନଙ୍କର ଆକ୍ରମଣ ଶିକାର ହୋଇଛନ୍ତି ତିନି ପୋଲିସ୍ କର୍ମଚାରୀ I ଏନେଇ ଏଏସ୍ଆଇ ଯୁଧିଷ୍ଠିର ମାଝୀଙ୍କ ଅଭିଯୋଗ ପ୍ରକାରେ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ ୮୦୧/୨୩ ରେ ଏକ ମାମଲା ରୁଜୁ କରାଯାଇ ତିନି ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ସୂଚନା ଦେଇଛନ୍ତି I ସୂଚନା ପ୍ରକାରେ ଗାଙ୍ଗପୁର ପୋଲିସ୍ ଗତ ମଙ୍ଗଳବାର ରାତ୍ରି ନଅ ଘଣ୍ଟା ସମୟରେ ପାଟ୍ରୋଲିଂ କରୁ୍ଥିବା ସମୟରେ ପାଲକଷଣ୍ଢା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା I ଏହି ସମୟରେ ସମ୍ପୃକ୍ତ ଜୁଆଡ଼ିମାନେ ପୋଲିସ୍ ଉପରେ ଆକ୍ରମଣ କରିବା ସହ ପୋଲିସ୍ ଗାଡ଼ି ଉପରକୁ ଟେକାପଥର ମାଡ଼ କରିଥିଲେ I ଏଥିରେ ଏଏସ୍ଆଇ ଯୁଧିଷ୍ଠିର ମାଝୀଙ୍କ ସମେତ ପୋଲିସ୍ କର୍ମଚାରୀ କୃଷ୍ଣଚନ୍ଦ୍ର ମଣ୍ଡଳ ଏବଂ ଅରୁଣ ନାହାକ ଆହତ ହୋଇଥିଲେ I ଘଟଣା ସ୍ଥଳରୁ ପୋଲିସ୍ ସେହି ଗ୍ରାମର ସୁଶାନ୍ତ କୁମାର ସ୍ୱାଇଁ, ହରପ୍ରସାଦ ବେହେରା ଏବଂ ଭଗବାନ ସ୍ଵାଇଁଙ୍କୁ ଗିରଫ କରିବା ସହିତ ନଗଦ ୩୬,୨୪୦ ଟଙ୍କା, ଦୁଇଟି ମୋବାଇଲ୍, ଗୋଟିଏ ଖଣ୍ଡା ଏବଂ ୫୨ ପଟ ତାସ୍ ଜବତ କରିଛି I ଆଜି ଗିରଫ ତିନି ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଆଗାମୀ ଦିନରେ ଜୁଆ ଖେଳ ଉପରେ କଡ଼ା ନଜର ରଖାଯାଇ ଜୁଆଡିମାନଙ୍କୁ ସାବାଡ୍ କରାଯିବ ବୋଲି ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ