ବୁଗୁଡା ବ୍ଲକର ଭିନ୍ନକ୍ଷମ ଛାତ୍ର ଜିଲ୍ଲା ସ୍ତରରେ ପ୍ରଥମ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ସ୍ତରୀୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଛତ୍ରପୁରରେ ଅନୁଷ୍ଠିତ ହୋଇଥିଲା। ସେଥି ମଧ୍ୟରୁ ବୁଗୁଡା ବ୍ଳକର ଭିନ୍ନକ୍ଷମ ଛାତ୍ର ରୁଦ୍ର ପ୍ରସାଦ ସେଠୀ ଜିଲ୍ଲା ସ୍ତରରେ ଦୌଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ବୁଗୁଡା ବ୍ଲକ ପାଇଁ ଗୌରବ ଆଣିପାରିଛନ୍ତି। ବୁଗୁଡା ବିଇଓ ଚିନ୍ମୟ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଗୋଷ୍ଠୀ ସମ୍ବଳ ବ୍ୟକ୍ତି ସୋନାଲିନ ପଣ୍ଡା ଓ ସୁଶାନ୍ତ କୁମାର ଡାକୁଆଙ୍କ ତତ୍ତ୍ୱାବଧାନରେ ବୁଗୁଡା ବ୍ଲକରୁ ୧୫ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଦୌଡ ପ୍ରତିଯୋଗିତାରେ ବିଷ୍ଣୁଚକ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ର ରୁଦ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ବୁଗୁଡା ବ୍ଳକର ଭିନ୍ନକ୍ଷମ ଛାତ୍ରଛାତ୍ରୀ ବୃନ୍ଦ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଦର୍ଶକଙ୍କୁ ମୁଗ୍ଧ କରିପାରିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭି. କୀର୍ତ୍ତି ଭାସନ, ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା, ଅତିରିକ୍ତ ଜିଲ୍ଲାପାଳ ମିନା କୁମାରୀ ଖେସ, ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା କୁମାରୀ ପଟ୍ଟନାୟକ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ଯୋଗଦେଇ କୃତିତ୍ୱ ଅର୍ଜନ କରିଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ