ବେଆଇନ ଗୋ ଚାଲାଣ, ୭ ଗାଇ ଉଦ୍ଧାର : ୨ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ବେଆଇନ ଗୋଚାଲାଣ କରୁଥିବା ବେଳେ ହିଞ୍ଜିଳି ପୁଲିସ ଖବର ପାଇ ଚଢାଉ କରି ଏକ ଗାଇ ବୋଝେଇ ବୋଲେରୋ ପିକଅପ୍ (ଓଡି୦୭ଏଏ ୫୯୮୮)ରୁ ୭ ଗାଇକୁ ଉଦ୍ଧାର କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମର ବାୟା ମାଝି ଓ ଖଣ୍ଡରା ଗ୍ରାମର କବିରାଜ ବେହେରା । ଏ ନେଇ ହିଞ୍ଜିଳି ଥାନାରେ ନଂ- ୩୦୦/୨୨ରେ ଏକ ମାମଲା ରୁଜୁ କରି ଗିରଫ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ହିଞ୍ଜିଳିକାଟୁରେ ସାପ୍ତାହିକ ଶନିବାର ହାଟ ଅନୁଷ୍ଠିତ ହେଉଛି । ପୂର୍ବରୁ ସାପ୍ତାହିକ ହାଟରେ ନିୟନ୍ତ୍ରିତ ବଜାର କମିଟି ପରିସରରେ ଗୋରୁ ହାଟ ଅନୁଷ୍ଠିତ ହେବା ସହ ଗୋରୁ କିଣାବିକା ହୋଇ ଆସୁଥିଲା । ନିୟନ୍ତ୍ରିତ ବଜାର ପରିସରରେ ଉପଖଣ୍ଡ ଚିକିତ୍ସାଳୟ ସ୍ଥାପନ ପରେ ଗୋରୁ ହାଟକୁ ସ୍ଥାନୀୟ ବ୍ଳକ ରାଳବ ଗ୍ରାମକୁ ସ୍ଥାନାନ୍ତରିତ କରାଯାଇଥିଲା । ପ୍ରତ୍ୟହ ଶନିବାର ସନ୍ଧ୍ୟାରେ ଗୋରୁ ଦଲାଲ ମାନେ ହାଟରୁ ଗାଇଗୋରୁକୁ କିଣି ଗୋମାସଂ ସକାଶେ ସୂଦୁର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ରାଜ୍ୟକୁ ରପ୍ତାନି କରି ଆସୁଥିଲେ । ଗାଇଗୋରୁଙ୍କ ଠାରେ ଚର୍ମବିଣ୍ଡି ରୋଗର ଲକ୍ଷଣ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରୁ ଗୋରୁ ହାଟକୁ ସମ୍ପୁର୍ଣ୍ଣ ବନ୍ଦ କରି ଦିଆଯାଇଥିଲା । ଫଳରେ ଗୋଦଲାଲ ମାନେ ଗ୍ରାମାଞ୍ଚଳରେ ନଜର ପକାଇଥିଲେ । ଗୋ ଦଲାଲ ମାନେ ବିଭିନ୍ନ ସମୟରେ ଗାଁ ଗାଁ ବୁଲି ଗାଇକୁ କିଣି ଗୋମାସଂ ସକାଶେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ରାଜ୍ୟକୁ ରପ୍ତାନି କରୁଥିବା ନଜିର ରହିଛି । ସ୍ଥାନୀୟ ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ଗତ କିଛି ମାସ ଧରି ସ୍ଥାନୀୟ ଅଞ୍ଚଳରୁ ଗୋଚାଲାଣ ବନ୍ଦ ରହିଥିଲା । ସୋମବାର ରାତି ପ୍ରାୟ ୧୦ଟାରେ ୨ ଦଲାଲ ପିତଳ ଗ୍ରାମରୁ ୭ଟି ଗାଇଙ୍କୁ ଏକ ବୋଲେରୋ ପିକଅପ ଗାଡିରେ କାଞ୍ଚିଲି ଅଭିମୁଖେ ଚାଲାଣ କରୁଥିବା ବେଳେ ଖବର ପାଇ ହିଞ୍ଜିଳି ପୋଲିସ ଚଢାଉ କରି ହିଞ୍ଜିଳି ଥାନା ଚାନ୍ଦୁଲି ନିକଟରୁ ଗୋରୁ ଗାଡିକୁ ଜବତ କରିଥିଲା ।


