ବେଆଇନ ପଥର ଖାଦାନ କ୍ବାରୀ ଉପରେ ତହସିଲଦାରଙ୍କ ଚଢ଼ାଉ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ ଅଧିନସ୍ଥ ଆଙ୍କୋରଡା ମୌଜା ଚୁଡଙ୍ଗପୁର କ୍ରସର ନିକଟସ୍ଥ ପାହାଡ଼ରେ ବେଆଇନ ଭାବେ ପଥର ଖାଦାନ ଚାଲିଥିବା ବେଳେ ବୁଧବାର ସକାଳୁ ତହସିଲଦାର ସିପକ କୁମାର ପାତ୍ର ଅତର୍କିତ ଚଢ଼ାଉ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ଉକ୍ତ କ୍ବାରୀ ନିକଟରୁ କମ୍ପ୍ରେସର ମେସିନ ସହ ହିଟାଚି ଗାଡ଼ିକୁ ଜବତ ମଧ୍ୟ କରାଯାଇଛି । ସୂଚନା ପ୍ରକାରେ ତହସିଲ ଅଧିନସ୍ଥ ଉକ୍ତ ସ୍ଥାନରେ ପୂର୍ବରୁ ବେଆଇନ ଭାବେ ପଥର ଖୋଦେଇ କରାଯାଇ ଆସୁଥିବା ବେଳେ ପୂର୍ବତନ ତହସିଲଦାର ଅଦୈତ କୁମାର ସ୍ୱାଇଁ ୫ ମାସ ତଳେ ଚଢ଼ାଉ କରି ଏହାକୁ ବନ୍ଦ କରିଦେଇଥିଲେ । ତେବେ ଆଜି ପୁଣିଥରେ ଉକ୍ତ ସ୍ଥାନରେ ପଥର କଟାଯାଉଥିବା ବିଶେଷ ସୁତ୍ରରୁ ଖବରପାଇ ତହସିଲଦାର ଶ୍ରୀ ପାତ୍ର ସମେତ ରାଜସ୍ୱ ନିରୀକ୍ଷକ ଅକ୍ଷୟ ମଲ୍ଲିକ ଓ ଫକୀରମୋହନ ରାଉତ ପହଞ୍ଚି ଚଢ଼ାଉ କରିଥିବା ଜବତ ମେସିନ ଓ ଗାଡ଼ିକୁ ତହସିଲ କାର୍ଯ୍ୟାଳୟରେ ଅଟକ ରଖିଥିବା ଜଣାପଡିଛି ।


