ବେଆଇନ ପଥର ବୋଝେଇ ପାଇଁ ଯାଇଥିବା ଟ୍ରାକ୍ଟର ଜବଦ
ହାଟଡିହି, (ବିକାଶ ବିଶ୍ୱାଳ) :-ବଉଳା ଅଞ୍ଚଳରୁ ବେଆଇନ ପଥର ବୋଝେଇ କରି ଆଣିବାପାଇଁ ଯାଇଥିବା ଟ୍ରାକ୍ଟରକୁ ସୋସୋ ପୁଲିସ ଜବଦ କରିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ନୁଆସାହି ଇମ୍ଫା ଡମ୍ପରୁ ବେଆଇନ ଭାବେ ପଥର ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । କିଛି ପଥର ମାଫିଆ ଏହି ପଥର ଚୋରା ଚାଲାଣ କରି ମାଲେମାଲ ହେଉଥିଲେ । ଗତକାଲି ଦୁଇଟି ଟ୍ରାକ୍ଟର ପଥର ଲୋଡିଂ କରିବାପାଇଁ ଯାଇଥିବାବେଳେ ସୋସୋ ପୁଲିସ ଅତର୍କିତ ଚଢ଼ାଉ କରି ଗୋଟିଏ ଟ୍ରାକ୍ଟରକୁ ଜବଦ କରିଥିଲା । କିନ୍ତୁ ଚାଳକ ଖସି ପଳାଇଥିଲା । ପୁଲିସ ଗାଡିଟିକୁ ଥାନାକୁ ନେବାପାଇଁ ଯୋଜନା କରୁଥିବା ସମୟରେ କେହି ପଥର ଗୁଡିକୁ ଅନଲୋଡ କରିଦେବାରୁ ପୁଲିସ କେବଳ ଟ୍ରାକ୍ଟରଟିକୁ ଧରି ଥାନାକୁ ଆସିଥିଲା । ଏହି ଟ୍ରାକ୍ଟରରୁ ଦୁଇ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ଥାନା ଅଧିକାରୀ ଉପେନ୍ଦ୍ର ନାଥ ଦାଶ ସୁଚନା ଦେଇଛନ୍ତି ।


