ବେଲଗୁଣ୍ଠା ବ୍ଳକର ରେକର୍ଡ;୧୬୬୧ ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା,୧୪ ପଜିଟିଭ୍

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ):ଗଞ୍ଜାମରେ କରୋନା ସ୍ଥିତି ସଙ୍ଗୀନ ଥିବା ବେଳେ କରୋନାର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି ।ଏବଂ ଏହାର ସଫଳ ରୁପାୟନ ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକରେ ।ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀଭୂଷଣ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତ ଦଶ ଦିନ ଧରି ବ୍ଳକ ଅଧିବାସୀଙ୍କ ଆଣ୍ଟିଜେନ୍ ପରୀକ୍ଷା ଜାରି ରହିଛି ।ଫଳରେ ଦଶ ଦିନ ମଧ୍ୟରେ ଦଶଟି ପଞ୍ଚାୟତରେ ମୋଟ ୫୦୧୦ ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା ହୋଇଛି ।ତନ୍ମଧ୍ୟରୁ ୪୫୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୬୪ ଜଣ ସୁସ୍ଥ ହେଇଥିବା ଏବଂ ଆଉ ୮୮ ଜଣଙ୍କ ମଧ୍ୟରୁ କିଛି କୋଭିଡ କେୟାର ହୋମ୍ ଏବଂ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର ଜଣାଇଛନ୍ତି ।ଗତ ଦୁଇ ଦିନ ମଧ୍ୟରେ ବ୍ଳକର ଗାଙ୍ଗପୁର ଓ ବଡବୋରସିଂ ପଞ୍ଚାୟତରେ ରେକର୍ଡ ସଂଖ୍ୟକ ୧୬୬୧ ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା ହୋଇଥିବା ବେଳେ ଏହା ସମଗ୍ର ଓଡ଼ିଶାରେ ସର୍ବାଧିକ ।ଗାଙ୍ଗପୁର ପଞ୍ଚାୟତରେ ୮୯୫ ଜଣଙ୍କ ଆଣ୍ଟିଜେନ୍ ପରିକ୍ଷା ହୋଇଥିବା ବେଳେ ୬ ଜଣ ପଜିଟିଭ୍ ଓ ବଡବୋରସିଂ ପଞ୍ଚାୟତରେ ୭୬୬ ଜଣଙ୍କ ହୋଇଥିବା ବେଳେ ୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ।ଓଡ଼ିଶାର କିଛି ଜିଲ୍ଲାରେ ମୋଟ ପରୀକ୍ଷା ଏତେ ସଂଖ୍ୟକ ହୋଇନଥିବା ବେଳେ ବେଲଗୁଣ୍ଠା ବ୍ଳକର ଗୋଟିଏ ପଞ୍ଚାୟତରେ ୮୯୫ ଜଣଙ୍କ ପରୀକ୍ଷା ହୋଇଥିବା ଓଡ଼ିଶାରେ ରେକର୍ଡ ।ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାନଯାଇ ସଂପୃକ୍ତ ବ୍ୟକ୍ତି ରହୁଥିବା ସାହି କିମ୍ବା ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ କରାଯାଉଥିବା ବିଡ଼ିଓ ଜଣାଇଛନ୍ତି ।ପୁର୍ବରୁ ଲୋକେ ପରୀକ୍ଷା କରିବା ପାଇଁ ଭୟ କରୁଥିବା ବେଳେ ବର୍ତ୍ତମାନ ସବୁ ବର୍ଗର ଏବଂ ସବୁ ଶ୍ରେଣୀର ଲୋକେ ସ୍ୱତଃପ୍ରବୃତ ଭାବେ ପରୀକ୍ଷା କରାଉଥିବା ଦେଖିବାପାଇଁ ମିଳିଛି ।ବଡବୋରସିଂ ଠାରେ ସରପଞ୍ଚ ପ୍ରତିନିଧି ଏସ.ରାମେଶ୍ୱର ପାତ୍ର, ସମିତି ସଭ୍ୟା ମମତା ଭୋଳଙ୍କ ସମେତ ଆଶା,ଅଙ୍ଗନବାଡି ମାନେ ସହଯୋଗ କରିଥିଲେ ।ସେହିପରି ଆଜି ଗାଙ୍ଗପୁର ଠାରେ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ,ସମିତି ସଭ୍ୟ ତୁଷାର ବିଷୋୟୀ ଏବଂ ଆଶା ଅଙ୍ଗନବାଡି ସମେତ ବହୁ ସ୍ବେଚ୍ଛାସେବୀ ସହଯୋଗ କରିଥିଲେ ।ସରପଞ୍ଚ ଶ୍ରୀ ଡାକୁଆ ସମସ୍ତଙ୍କୁ ମାସ୍କ ଏବଂ ପାଣି ବୋତଲ ଦେଇ ଉତ୍ସାହିତ କରି ସଚେତନତା ସୃଷ୍ଟି କରିଥିଲେ ।ସମସ୍ତ ପଞ୍ଚାୟତରେ କିପରି ଅଧିକ ସଂଖ୍ୟକ ପରୀକ୍ଷା କରାଯିବ ଏ ଦିଗରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି ବୋଲି ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଏବଂ ବିଡ଼ିଓ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ