ବ୍ରିକ୍ଜିଟ୍ ତାରିଖ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଘୁଞ୍ଚଲା
ଲଣ୍ଡନ(ଏଜେନ୍ସି): ବ୍ରିଟେନ୍ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଆଲୋଚନା ପରେ ବ୍ରେକ୍ଜିଟ୍ (ୟୁରୋପ ସଂଘରୁ ବ୍ରିଟେନ୍ ବାହରିଯିବା) ତାରିଖ ଅକ୍ଟୋବର ୩୧ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ୟୁରୋପୀୟ ସଂଘ ଏବଂ ବ୍ରିଟେନ୍ ମଧ୍ୟରେ ଆଲୋଚନା ପରେ ସର୍ବସହମ୍ମତିରେ ଏହି ବୁଝାମଣା ହୋଇଥିବା ସୂଚନା ଦିଆଯାଇଛି । ଏନେଇ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଥେରେସା ମେ’ ଏବଂ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଡୋନାଲ୍ଡ ଟସ୍କ ଏକ ବୈଠକରେ ଦୀର୍ଘ ୫ ଘଣ୍ଟା ଧରି ଆଲୋଚନା କରିଥିଲେ । ବୈଠକ ପରେ ଡୋନାଲ୍ଡ ଟସ୍କ କହିଛନ୍ତି ଯେ, ବ୍ରିଟେନ୍ ୟୁରୋପୀୟ ସଂଘରୁ ବାହାରିବା ନିଷ୍ପତ୍ତି ଉପରେ ପୁନଃ ବିଚାର କରିବାକୁ ଚାହୁଁଛି । ଏଥିପାଇଁ ବ୍ରିକ୍ଜିଟ୍ ତାରିଖକୁ ଅକ୍ଟୋବର ୩୧ପର୍ଯ୍ୟନ୍ତ ବୃଦ୍ଧି କରଯାଇଛି । ପ୍ରକାଶଯୋଗ୍ୟ ଯେ ଏହା ପୂର୍ବରୁ ବ୍ରିକ୍ଜିଟ୍ ପାଇଁ ମାର୍ଚ୍ଚ ୩୧କୁ ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ ବ୍ରିଟେନ୍ ସାଂସଦମାନେ ୟୁରୋପୀୟ ସଂଘରୁ ବାହାରିବା ନିଷ୍ପତ୍ତି ନେଇ ସରକାରଙ୍କ ସର୍ତ୍ତକୁ ନାମଞ୍ଜୁର କରିଦେଇଥିଲେ । ଏହାପରେ ବ୍ରିକ୍ଜିଟ୍ ତାରିଖକୁ ଏପ୍ରିଲ ୧୨ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା । ବୁଝାମଣା ଅନୁସାରେ ବ୍ରିଟେନ୍ ଧାର୍ଯ୍ୟ ତାରିଖ ମଧ୍ୟରେ କୌଣସି ବି ସମୟରେ ୟୁରୋପୀୟ ସଂଘରୁ ବାହାରିପାରିବ ।


