ଭକ୍ତଙ୍କୁ ଅଲାରନାଥଙ୍କ ଅଣସର ଦର୍ଶନ ମନା
ପୁରୀ: ଶ୍ରୀଅଲାରନାଥ ଦେବଙ୍କ ୧୪ ଦିନିଆ ଅଣସର ନୀତି ଚଳିତ ମାସ ୬ ତାରିଖରୁ ଆରମ୍ଭ ହେବ । ତେବେ କରୋନା ଯୋଗୁଁ ଚଳିତ ବର୍ଷ ସାଧାରଣ ଭକ୍ତିଙ୍କୁ ଅଣସର ଦର୍ଶନ ମିଳିବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି । ମନ୍ଦିର ଚାରିପଟେ ବ୍ୟାରିକେଡ କରାଯିବା ସହିତ ଆବଶ୍ୟକ ପଡ଼ିଲେ ମନ୍ଦିର ଚାରିପଟେ ୧୪୪ ଧାରା ଜାରି ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ମନ୍ଦିର ପାଳିଆ ସେବକମାନେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତି କରିବା ପାଇଁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବା ଲାଗି ବୁଧବାର ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ସେବାୟତଙ୍କ ପକ୍ଷରୁ ମନ୍ଦିର ବେଢ଼ାରେ ଅନୁଷ୍ଠିତ ବୈଠକରେ ସ୍ଥିର କରାଯାଇଛି । ବ୍ରହ୍ମଗିରି ତହସିଲଦାର କିଶୋର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ଭବତାଚରଣ ସାହୁ ଯୋଗ ଦେଇ କହିଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବିଗତ ମାଚ୍ଚ ୨୦ ରୁ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି । ସରକାରଙ୍କ ଏହି ନିୟମକୁ ସମସ୍ତେ ମାନି ଅଲାରନାଥଙ୍କ ଅଣସର ଦର୍ଶନ ଉପରେ ଭକ୍ତଙ୍କ ପାଇଁ କଟକଣା କରାଯିବ । ଭକ୍ତମାନେ ମନ୍ଦିର ଭିତରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ନାହିଁ । ପରିଚୟ ପତ୍ର ପାଇଥିବା ସେବାୟତ ମନ୍ଦିର ଭିତରକୁ ଯାଇ ଶ୍ରୀଜୀଉଙ୍କ ନୀତିକାନ୍ତି କରିପାରିବେ ବୋଲି ବୈଠକରେ ସ୍ଥିର ହୋଇଛି ।


