୪ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ
ହାଟଡିହି (ଓ୍ବାଇଏନଏସ) ବୈତରଣୀ ନଦୀର ଆମ୍ବୋ ଘାଟରୁ ୪ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବଦ କରିଛି ନନ୍ଦିପଦା ପୋଲିସ। ଏହି ବାଲିଘାଟ ସରକାରୀ ସ୍ତରରେ ଲିଜ ଦିଆ ଯାଇ ନଥିବା ବେଳେ ପ୍ରତିଦିନ ଏହି ଘାଟରୁ ଶହ ଶହ ଟ୍ରାକ୍ଟର ବେଆଇନ ଭାବେ ବାଲି ପରିବହନ କରୁଛନ୍ତି। କିଛି ଗାଁ ଲୋକ ଏକଜୁଟ ହୋଇ ଏହି ଘାଟରୁ ବେଆଇନ ବାଲି ଉତ୍ତୋଳନ କରି ମାଲେ ମାଲ ହେଉଛନ୍ତି। ଶହ ଶହ ଟ୍ରାକ୍ଟର ଯାତାୟାତ କରିବା ଦ୍ୱାରା ଗ୍ରାମବାସୀ ମାନେ ନାନା ସମସ୍ୟା ଭୋଗୁଛନ୍ତି। ଏନେଇ ପୂର୍ବରୁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ପୋଲିସ ଓ ଖଣି ବିଭାଗ ନିକଟରେ ଅଭିଯୋଗ ହେଉଥିଲେ ବି ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉ ନଥିବାରୁ ଖୁଲାମ ଖୁଲା ବାଲି ମାଫିଆ ମାନେ ବାଲି ଲୁଟ କରିବାରେ ସଫଳ ହୋଇଆସୁଥିଲେ। ଆଜି ସକାଳେ ନନ୍ଦିପଦା ପୋଲିସ ଅତର୍କିତ ଚଢ଼ାଉ କରି ୪ଟି ବାଲି ବୋଝେଇ ଟ୍ରାକ୍ଟର କୁ ଜବଦ କରିଛି। ଏପରିକି ମାଫିଆ ଓ ଦଲାଲ ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଡି ଗୁଡିକ ଛାଡି ନଥିଲେ। ପରେ ପୋଲିସ ଗାଡି ଗୁଡିକୁ ଜବଦ କରି ଥାନାକୁ ଆଣିଛି। ନିୟମିତ ଘାଟରେ ଚଢ଼ାଉ କରାଯାଇ ବେଆଇନ ବାଲି ଘାଟକୁ ବନ୍ଦ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


