ଭାରତର ପ୍ରଥମ ସର୍ବସାଧାରଣ ବୈଦ୍ୟୁତିକ ଯାନ ଚାର୍ଜିଂ ପ୍ଲାଜା ଉଦଘାଟିତ
ନୂଆଦିଲ୍ଲୀ : ଇନ୍ଧନ ଦକ୍ଷତା ଏବଂ ଇ-ପରିବହନକୁ ପ୍ରୋତ୍ସାହନ ଉପରେ ଗୁରୁତ୍ୱାରୋପ କରି କେନ୍ଦ୍ର ଶକ୍ତି, ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ଆରକେ ସିଂ ଆଜି ନୂଆଦିଲ୍ଲୀର ଚେମ୍ସଫୋର୍ଡ କ୍ଲବ ଠାରେ ଭାରତର ପ୍ରଥମ ସର୍ବସାଧାରଣ ବୈଦ୍ୟୁତିକ ବାହନ ଚାର୍ଜିଂ ପ୍ଲାଜାର ଉଦଘାଟନ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ଏହି ବୈଦ୍ୟୁତିକ ବାହନ ଚାର୍ଜିଂ ପ୍ଲାଜା ଭାରତରେ ଇ-ପରିବହନକୁ ସୁଗମ କରିବା ଦିଗରେ ଏକ ନୂଆ ମାର୍ଗ ପ୍ରଶସ୍ତ କରିବ । ଏହିପରି ଅଭିନବ ପଦକ୍ଷେପ ଦେଶରେ ଇ-ପରିବହନ ଇକୋସିଷ୍ଟମ ବିକଶିତ କରିବା କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ । ଏଥିପାଇଁ ସେ ଇଇଏସଏଲ ଏବଂ ଏନଡିଏମସିକୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ଇଇଏସଏଲ ଭାରତରେ ବୈଦ୍ୟୁତିକ ବାହନ ଇକୋସିଷ୍ଟମ ବିକଶିତ କରିବା ଦିଗରେ ନେତୃତ୍ୱ ନେଉଛି । ଏଥିପାଇଁ ବୈଦ୍ୟୁତିକ ବାହନ ଚାହିଦା ବୃଦ୍ଧି ଏବଂ ସର୍ବସାଧାରଣ ଚାର୍ଜିଂ ଷ୍ଟେସନ ପିସିଏସକୁ କାର୍ଯ୍ୟକାରୀ କରିବା ଲାଗି ଅଭିନବ ବ୍ୟବସାୟ ମଡେଲକୁ ଚିହ୍ନଟ କରୁଛି । ଏନଡିଏମସିର ସହଭାଗିତାରେ ଇଇଏସଏଲ ପକ୍ଷରୁ କେନ୍ଦ୍ରୀୟ ଦିଲ୍ଲୀ ଠାରେ ଭାରତର ପ୍ରଥମ ବୈଦ୍ୟୁତିକ ବାହନ ଚାର୍ଜିଂ ପ୍ଲାଜା ପ୍ରତିଷ୍ଠା କରାଯାଇଛି । ଏହି ପ୍ଲାଜା ଏକକାଳୀନ ପୃଥକ ବୈଶିଷ୍ଟ୍ୟ ଥିବା ବୈଦ୍ୟୁତିକ ବାହନ ଚାର୍ଜରକୁ ଚାର୍ଜ କରିପାରିବ । ଶକ୍ତି ମନ୍ତ୍ରଣାଳୟର ସଚିବ ସଞ୍ଜୀବ ନନ୍ଦନ ସହାୟ କହିଥିଲେ ଯେ ଏହି ଚାର୍ଜିଂ ପ୍ଲାଜାରେ ବିଭିନ୍ନ ପ୍ରକାରର ବୈଦ୍ୟୁତିକ ବାହନ ଚାର୍ଜ କରିବାର ବ୍ୟବସ୍ଥା ସହିତ ଇ-ପରିବହନକୁ ପ୍ରୋତ୍ସାହନ ଦିଗରେ ବିଶେଷ ସହାୟକ ହୋଇପାରିବ । ଏହା ବୈଦ୍ୟୁତିକ ବାହନ ଚାର୍ଜିଂକୁ ବାଧାମୁକ୍ତ ଏବଂ ସୁବିଧାଜନ କରିବ । ଫଳରେ ଉପଭୋକ୍ତାମାନେ ଇ-ପରିବହନ ବ୍ୟବସ୍ଥାକୁ ଗ୍ରହଣ କରିବାରେ ଆଗ୍ରହୀ ହେବେ । ସେହିପରି କେନ୍ଦ୍ର ଶକ୍ତି ମନ୍ତ୍ରୀ ଷୋମବାର ଏକ ଜାତୀୟ କାର୍ଯ୍ୟକ୍ରମ “ନିରାପତ୍ତା ଓ ଦକ୍ଷତା ଲାଗି ଆଭ୍ୟନ୍ତରୀଣ ବାୟୁ ମାନର ଉନ୍ନତିକରଣ ନିମନ୍ତେ ରେଟ୍ରୋଫିଟ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା (ରେଜ)”ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୋର ବିଶ୍ୱାସ ଯେ ରେଜ ପଦକ୍ଷେପ ଦ୍ୱାରା କାର୍ଯ୍ୟସ୍ଥଳୀରେ ବାୟୁର ଗୁଣବତ୍ତା ସୁଧାରିବାରେ ବିଶେଷ ସହାୟତା ମିଳିପାରିବ ଏବଂ ଏଗୁଡ଼ିକୁ ସୁସ୍ଥ ଏବଂ ସବୁଜ କରିବା ଲାଗି ଏହା ଏକ ଅଭିନବ ପଦକ୍ଷେପ ଭାବେ ସାବ୍ୟସ୍ତ ହୋଇପାରିବ । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସେ ଇଇଏସଏଲ ଏବଂ ୟୁଏସଏଡକୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । କିଛିଦିନ ହେବ ଦେଶରେ ବାୟୁ ପ୍ରଦୂଷଣ ଏକ ଚିନ୍ତାଜନକ ପ୍ରସଙ୍ଗ ପାଲଟିଛି ଏବଂ ବିଶେଷ କରି କୋଭିଡ-୧୯ ମହାମାରୀ ସମୟରେ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଲୋକମାନେ ସେମାନଙ୍କ କାର୍ଯ୍ୟାଳୟ ଏବଂ ସର୍ବସାଧାରଣ ସ୍ଥାନକୁ ଫେରୁଥିବା ଦୃଷ୍ଟିରୁ ସେଠାକାର ଆଭ୍ୟନ୍ତରୀଣ ବାୟୁ ଗୁଣବତ୍ତା ବଜାୟ ରଖିବା ସେମାନଙ୍କ ପାଇଁ ତଥା ସାର୍ବଜନୀନ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହି ପରିପ୍ରେକ୍ଷୀରେ ଇଇଏସଲ ପକ୍ଷରୁ ଏହାର କାର୍ଯ୍ୟାଳୟ ଏୟାର କଣ୍ଡିସନିଂ ଏବଂ ଭେଣ୍ଟିଲେସନ ସିଷ୍ଟମରେ ଏକ ରେଟ୍ରୋଫିଟ ସଂଯୋଗ କରାଯାଇଛି । “ନିରାପତ୍ତା ଓ ଦକ୍ଷତା ଲାଗି ଆଭ୍ୟନ୍ତରୀଣ ବାୟୁ ଗୁଣବତ୍ତାର ଉନ୍ନତିକରଣ” ନିମନ୍ତେ ବ୍ୟାପକ ପ୍ରୟାସର ଏହା ଏକ ଅଂଶବିଶେଷ । ଯୁକ୍ତ ରାଷ୍ଟ୍ର ଆମେରିକାର ଏଜେନ୍ସି ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ୟୁଏସଏଆଇଡିର ମୈତ୍ରୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହାକୁ ବିକଶିତ କରାଯାଇଛି । ସ୍କୋପ କମ୍ପ୍ଲେକ୍ସରେ ଥିବା ଇଇଏସଏଲର କର୍ପୋରେଟ କାର୍ଯ୍ୟାଳୟରେ ଏକ ପାଇଲଟ ପ୍ରକଳ୍ପ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଇଛି । ପାଇଲଟ ପ୍ରକଳ୍ପକୁ ଇଇଏସଏଲ କାର୍ଯ୍ୟାଳୟର ଏୟାର କଣ୍ଡିସନିଂ ବ୍ୟବସ୍ଥାରେ ଆଭ୍ୟନ୍ତରୀଣ ବାୟୁ ଗୁଣବତ୍ତାରେ ସୁଧାର, ତାପ ନିୟନ୍ତ୍ରଣ ତଥା ଶକ୍ତି ଦକ୍ଷତା ନିମନ୍ତେ ଉପଯୋଗ କରାଯାଇଛି । ଇଇଏସଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପାଇଲଟ ପ୍ରକଳ୍ପରୁ ଉତ୍ସାହଜନକ ସଫଳତା ମିଳିଛି । ଏହାକୁ କାର୍ଯ୍ୟକାରୀ କରିବାରେ କୌଣସି ବାଧା ଉତ୍ପନ୍ନ ହୋଇନଥିବା ସମୟରେ ବାୟୁ ଗୁଣବତ୍ତା ମାନରେ ୮୦% ସୁଧାର ଆସିଛି । ଏହି ଉଭୟ ପଦକ୍ଷେପ ପରିବେଶ ସଂରକ୍ଷଣ ଏବଂ ଇନ୍ଧନ ସଞ୍ଚୟ ଅନୁକୂଳ ଅଟ୍ଟାଳିକା ନିର୍ମାଣ ଲାଗି ଇଇଏସଏଲ ଏବଂ ଏହାର ସମସ୍ତ ଅଂଶୀଦାରଙ୍କ ସଂକଳ୍ପକୁ ପ୍ରତିଫଳିତ କରୁଛି ଯାହାକୁ ସେମାନେ “ଆଇ କମିଟ” ନାମରେ ବିଶ୍ୱ ପରିବେଶ ଦିବସ ଅଭିଯାନ ସମୟରେ ନେଇଥିଲେ ।


