ଭାରତ ଆସୁଛନ୍ତି ଜର୍ମାନ୍ ଚାନସେଲର୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ ରକ୍ଷା କରି ପଞ୍ଚମ ଦ୍ୱିବାର୍ଷିକ “ଇଣ୍ଟର୍ ଗଭର୍ଣ୍ଣମେଣ୍ଟାଲ୍ କନସ୍ଲେଟସ୍ନସ୍’ରେ ଯୋଗ ଦେବା ନିମନ୍ତେ ନଭେମ୍ବର ପହିଲା ଦିନ ଜର୍ମାନ୍ ଚାନସେଲର୍ ଆଙ୍ଗେଲା ମେର୍କେଲ୍ ଭାରତ ଗସ୍ତରେ ଆସିବେ ବୋଲି ଶୁକ୍ରବାର ଦିନ ସରକାର ଘୋଷଣା କରିଛନ୍ତି । ତାଙ୍କ ସହ ଥିବେ ସଂଘୀୟ ସରକାରଙ୍କର କେତେକ ମନ୍ତ୍ରୀ ଓ ରାଷ୍ଟ୍ର ସଚିବ ତଥା ଉଚ୍ଚ-କ୍ଷମତାସମ୍ପନ୍ନ ବ୍ୟାବସାୟିକ ପ୍ରତିନିଧି ଦଳ । “ଆଇଜିସି’ ରୀତି ଅନୁସାରେ ଉଭୟ ଦେଶର ପ୍ରତିପକ୍ଷ ମନ୍ତ୍ରୀମାନେ ପରସ୍ପର ଦାୟିତ୍ୱ କ୍ଷେତ୍ର ସଂକ୍ରାନ୍ତରେ ପ୍ରାଥମିକ ଆଲାଚନା କରିବେ । ଏହି ଆଲାଚନାର ଫଳାଫଳ ସଂକ୍ରାନ୍ତରେ “ଆଇଜିସି’ର ଯୁଗ୍ମ ଅଧ୍ୟକ୍ଷତା କରୁଥିବା ପ୍ରଧାନମନ୍ତ୍ରୀ ଏବଂ ଫେଡେରାଲ୍ ଚାନସେଲର୍ ଅଫ୍ ଜର୍ମାନୀଙ୍କୁ ରିପୋର୍ଟ କରାଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଏକ ବିବୃତିରେ କହିଛି । ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଘଟଣାବଳୀକୁ ଜର୍ମାନି ଭାରତର ଅଭ୍ୟନ୍ତରୀଣ ବ୍ୟାପାର ଦୃଷ୍ଟିରୁ ଦେଖୁଥିଲେ ବି ସେଠାରୁ ଶୀଘ୍ର କଟକଣା ଉଠାଇବାକୁ କହିଛି । ଦୁଇ ନେତା ମଧ୍ୟ ପୃଥକ୍ ଭାବେ ଉଭୟ ଦେଶର ସିଇଓ ଏବଂ ଅଗ୍ରଣୀ ବ୍ୟବସାୟୀଙ୍କ ସହ ଆଲାଚନା କରିବେ । “ଆଇଜିସି’ ସମୟରେ ଦୁଇ ପକ୍ଷ ପରିବହନ, ଦକ୍ଷତା ବିକାଶ ଏବଂ ଶକ୍ତି ଭଳି ପାରମ୍ପରିକ କ୍ଷେତ୍ରର ସହଯାଗିତା ଦୃଢ଼ତର କରିବା ନିମନ୍ତେ ଆଲୋଚନା କରିବେ ।


