ଭେସ୍ଲି୍ନର ଅନ୍ୟାନ୍ୟ ପ୍ରୟୋଗ
ଶୀତ ଦିନ ଆସିବା ମାତ୍ରେ ଖୋଜା ପଡ଼େ ଭେସ୍ଲି୍ନ୍ । ଏହା ସାଧାରଣ କ୍ରିମ୍ ଓ ଲୋସନ୍ ତୁଳନାରେ ଭଲ । ଭେସଲିନ୍ ହେଉଛି ପେଟ୍ରୋଲିଅମ୍ ଜେଲି, ଯାହାକୁ ଲଗାଇଲେ ତ୍ୱଚାରେ ନମନୀୟତା ଆସିଥାଏ ଓ ତ୍ୱଚାରୁ ଶୁଷ୍କତା ଦୂର ହୋଇଥାଏ । ତେବେ ଏତିକିରେ କେବଳ ଭେସଲିନ୍ର ଉପକାରିତା ସରି ନାହିଁ । ଯଦି ଆପଣ ଚାହୁଁଛନ୍ତି ନିଜର ମୁହଁ ଗ୍ଲୋ କରୁ, ତେବେ ଭେସଲିନ୍ରେ ଅଳ୍ପ ଲୁଣ ମିଶାଇ ତ୍ୱଚାରେ ମାଲିସ୍ କରନ୍ତୁ । ଦେଖିବେ ମୁହଁ ଚମକିବ । ଯଦି ଦେହରେ ପରଫ୍ୟୁମ୍ର ବାସ୍ନା ଅଧିକ ସମୟ ଯାଏଁ ରହୁ, ତେବେ ବେକରେ ଓ ହାତରେ ପରଫ୍ୟୁମ୍ ସହିତ ଅଳ୍ପ ଭେସଲିନ୍ ଲଗାଇ ଘଷନ୍ତୁ । ଏହା ଫଳରେ ପରଫ୍ୟୁମ୍ର ବାସ୍ନା ବେଶି ସମୟ ଯାଏଁ ରହିବ । ଯଦି କେଶ ଝଡୁଥାଏ, ତେବେ ଆପଣ ଦୁଇ ହାତରେ ଭେସଲିନ୍ ଲଗାଇ କେଶରେ ହାଲୁକା ଭାବେ ଘଷିଲେ, ସେହି ସମସ୍ୟା ଦୂରେଇ ଯାଇଥାଏ । ପୁରୁଣା ଜୋତାରେ ଅଳ୍ପ ଭେସଲିନ୍ ଲଗାଇ ବ୍ରସ୍ କଲେ, ତାହା ଚମକିବ ଓ ଜୋତା ନୂଆ ଭଳି ଦିଶିବ । ଯଦି ଶୀତ ଋତୁରେ ଓଠ ଫାଠୁଥାଏ ଓ ଶୁଷ୍କ ହେଉଥାଏ, ତେବେ ଆପଣ ଭେସଲିନ୍ ସହିତ କିଛି ଚିନି ମିଶାଇ ଲିପ୍ଷ୍ଟିକ୍ ଭଳି ବ୍ୟବହାର କରିପାରିବେ । ଭେସଲିନ୍କୁ ମେକଅପ୍ ରିମୁଭର ଭାବେ ମଧ୍ୟ ଉପଯୋଗ କରିପାରିବେ ।


