ଭୋକିଲାଙ୍କ କ୍ଷୁଧା ନିବାରଣ କରୁଛି “ହାପି ଫ୍ରିଜ୍’
ରାଜଧାନୀ ଭୁବନେଶ୍ୱରରେ ଏମିତି ଅନେକ ଲୋକ ରହିଛିନ୍ତି ଯେଉଁମାନଙ୍କର ରାତି ଭୋକରେ କଟୁଛି । ଅନେକ ଗରିବ ଲୋକ ରହିଛନ୍ତି ଯେଉଁମାନେ ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ଅନ୍ୟପଟେ ଏଠାରେ କିଛି ଧନୀ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ବସବାସ କରୁଛନ୍ତି ଯେଉଁମାନଙ୍କ ପାଖରେ ଅନେକ ସମୟରେ ଖାଦ୍ୟ ବଳକା ପଡ଼ିଯାଉଛି । ସେମାନେ ସେହି ବଳକା ଖାଦ୍ୟକୁ ଫିଙ୍ଗି ଦେଉଛନ୍ତି । ଏଭଳି ପରିସ୍ଥିତିରେ ଖାଦ୍ୟର ସଠିକ୍ ଉପଯୋଗ କରିବା ପାଇଁ ପ୍ରସ୍ତୁତ ହୋଇଛି “ହାପି ଫ୍ରିଜ୍’ । ନିକଟରେ ଭୁବନେଶ୍ୱରର ଷ୍ଟେସନ୍ ବଜାର ନିକଟ ରାସ୍ତା କଡ଼ରେ ଏହି ଫ୍ରିଜ୍ ରହିଛି । ଏହି ଫ୍ରିଜ୍କୁ ଏଠାରେ ରଖିବାର ଉଦ୍ଦେଶ୍ୟ ହେଉଛି, ଯଦି ଆପଣଙ୍କ ଘରେ କିମ୍ବା ଭୋଜିରେ କିଛି ଖାଦ୍ୟ ବଳକା ରହିଯାଉଛି ତେବେ ଆପଣ ସେ ଖାଦ୍ୟକୁ ଫୋପାଡିବା ପରିବର୍ତ୍ତେ ଏହି ଫ୍ରିଜ୍ରେ ରଖିଦେଇପାରିବେ । ଭୋକିଲା କିମ୍ବା ଗରିବ ଲୋକ ଯେଉଁମାନେ ଖାଇବାକୁ ପାଉନାହାନ୍ତି ସେମାନେ ଏଠାରୁ ଖାଦ୍ୟ ନେଇ ଖାଇପାରିବେ । ଏହି ଦେବାନେବା ପ୍ରକ୍ରିୟାରେ କିଛି ଟଙ୍କା ଲାଗିବ ନାହିଁ । ଅର୍ଥାତ୍ ଖାଦ୍ୟ ଖାଇବା ପାଇଁ ଗରିବ ଲୋକଙ୍କୁ କିଛି ଟଙ୍କା ଦେବାକୁ ପଡ଼ିବନାହିଁ । ଏହି ଫ୍ରିଜ୍ରେ କେବଳ ନିରାମିଷ ଖାଦ୍ୟ ରଖାଯାଉଛି । ଯେହେତୁ ଆମିଷ ଖାଦ୍ୟ ଅଧିକ ଦିନ ପର୍ଯ୍ୟନ୍ତ ରହିବ ନାହିଁ, ତେଣୁ ଏହି ଫ୍ରିଜ୍ରେ ଆମିଷ ରଖିବାକୁ ମନାକରାଯାଇଛି । “ଫିଡିଂ ଇଣ୍ଡିଆ’ ଏବଂ “ଷ୍ଟେସନ୍ ବଜାର କମିଟି’ର ମିଳିତ ଉଦ୍ୟମରେ ଏହି “ହାପି ଫ୍ରିଜ୍’ ପ୍ରତିଷ୍ଠା ହୋଇଛି । ଲୋକମାନେ ଆଗକୁ ଏହି ଫ୍ରିଜ୍ରେ ଖାଦ୍ୟ ରଖିବାରେ ଅଭ୍ୟସ୍ତ ହୋଇଗଲେ । ଏପରି କିଛି “ହାପି ଫ୍ରିଜ୍’ ଅନ୍ୟ ଅଞ୍ଚଳରେ ରଖାଯିବ ବୋଲି “ଫିଡିଂ ଇଣ୍ଡିଆ’ର ଫାଉଣ୍ଡର କହିଛନ୍ତି । ସୂଚନାଯୋଗ୍ୟ ଯେ ଦି’ ବର୍ଷ ତଳେ ଭୁବନେଶ୍ୱରର ସୈନିକ ସ୍କୁଲ ପାଖରେ ମଧ୍ୟ ହାପି ଫ୍ରିଜ୍ ଏଭଳି ଏକ ଉଦ୍ୟମ ଆରମ୍ଭ କରିଥିଲା ।


