ମଥୁରା ଷ୍ଟେଟ ବ୍ୟାଙ୍କରୁ ଚୋରୀ ଉଦ୍ୟମ ଘଟଣା : ଦୁଇ ଅଭିଯୁକ୍ତ ଗିରଫ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ପୋଲସରା ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଚୋରୀ ଉଦ୍ୟମ ସହ କଳମ୍ବ ଗ୍ରାମରେ ହୋଇଥିବା ଚୋରୀ ଘଟଣାରେ ପୋଲସରା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ତିନୋଟି ଘଟଣାରେ ସଂପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ବୁଧବାର ଦିନ ସାମ୍ବାଦିକ ସମ୍ମିଳନୀରେ ପୋଲସରା ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଚୋରି ଅଭିଯୋଗରେ ଗିରଫ ଦୁଇଜଣ ହେଲେ ରମ୍ଭା ଥାନା ଅନ୍ତର୍ଗତ ନାଉପୁଟ ଗ୍ରାମର ମିଥୁନ ପାତ୍ର (୨୨) ଓ ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମର ମୁନ୍ନା ପାତ୍ର (୨୪) । ସେମାନଙ୍କ ନିକଟରୁ ନଗଦ ଦଶହଜାର ଟଙ୍କା, ତାଲା ଭାଙ୍ଗିବାରେ ବ୍ୟବହୃତ ଲୁହା ଗୁନିଆ ଓ ପାନ ଦୋକାନରୁ ଚୋରୀ କରିଥିବା ଖାଦ୍ୟ ସାମଗ୍ରୀକୁ ପୋଲିସ ଜବତ କରିଛିନ୍ତି । ସୁଚନା ଯୋଗ୍ୟ ଯେ, ଗତ ନଭେମ୍ବର ୧୨ ତାରିଖରେ କଳମ୍ବ ଗ୍ରାମରେ ଏକ ପାନ ଦୋକାନରୁ ୫୦ହଜାର ଟଙ୍କା ଓ ଖାଦ୍ୟ ସାମଗ୍ରୀ ଚୋରୀ ହୋଇଥିବା ନେଇ ଦିବ୍ୟାଙ୍ଗ ଦୋକାନ ମାଲିକ ମମତା କୁମାରୀ ପ୍ରଧାନ ୧୩ ତାରିଖରେ ପୋଲସରା ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲସରା ଥାନାରେ ୪୦୬/୨୧ରେ ଏକ କେଶ୍ ରୁଜ୍ଜୁ ହୋଇଥଲା । ଏହାପରେ ଚଳିତ ଡିସେମ୍ବର ମାସ ୧୫ ତାରିଖରେ ପୋଲସରା ମଥୁରା ଗ୍ରାମରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ତାଲା ଭାଙ୍ଗି ଲୁଟ୍ ଉଦ୍ୟମ ହୋଇଥିଲା । ସମାନ ଦିନରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଚୋରୀ ଉଦ୍ୟମ ହୋଇଥଲା । ମଥୁରା ବ୍ୟାଙ୍କ ଓ ଆରଆଇ ଅଫିସର ମୁଖ୍ୟ ପ୍ରବେଶ ଦ୍ଵାରର ସଟରରେ ପଡ଼ିଥିବା ତାଲାକୁ ଦୁର୍ବୃତ୍ତଦ୍ୱୟ କାଟି ଦେଇଥିଲେ । ଏନେଇ ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ ଓ ପୋଲସରା ତହସିଲଦାର ପୋଲସରା ଥାନାରେ ପୃଥକ୍ ଭାବେ ଏତଲା ଦେଇଥିଲେ । ପୋଲିସ ଏହି ଦୁଇଟି ଘଟଣାରେ ଯଥାକ୍ରମେ ୪୪୧/୨୧ ଓ ୪୪୨/୨୧ ରେ ଦୁଇଟି କେଶ୍ ରୁଜ୍ଜୁକରି ତଦନ୍ତ ଆରମ୍ଭ କରିଥିଲା । ପୋଲସରା ଥାନା ଅଧିକାରୀ ଜୀତେନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏସଆଇ ସମୀର କୁମାର ବେହେରା ଓ ଅନ୍ୟ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରା ଯାଇଥିଲା । ବ୍ୟାଙ୍କର ସିସି ଟିଭି ଫୁଟେଜ ଯାଞ୍ଚ କରିବା ପରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାକୁ ସାହାଯ୍ୟ ହୋଇଥିଲା । ଦୁଇ ଦିନ ବ୍ୟାଙ୍କ୍ ଧର୍ମଘଟ ଥିବାରୁ ଏହାର ସୁଯୋଗରେ ଲୁଟ୍ ଉଦ୍ୟମ କରିଥିଲେ ଓ ସେମାନେ କଳମ୍ବ ପାନ ଦୋକାନରୁ ଚୋରୀ କରିଥିବା ନେଇ ପୋଲିସ ଜେରା କରିବା ସମୟରେ ସ୍ଵୀକାର କରିଥିଲେ। ଗିରଫ ଦୁଇଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଥାନା ଅଧିକାରୀ ଜୀତେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ