ମଦ ଦୋକାନ ବିଜ୍ଞପ୍ତିକୁ ବିରୋଧ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହେଲେ ମହିଳା ଓ ଗ୍ରାମ୍ୟ କମିଟିର ସଦସ୍ୟ

ଛତ୍ରପୁର, (ଦେବଦତ୍ତ ମହାରଣା) : ଗ୍ରାମରେ ପୁଣି ବିଦେଶୀ ମଦ ଓ ଦେଶି ମଦ ଦୋକାନ ଖୋଲିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁୁ ବିରୋଧ କରି ଗ୍ରାମରୁ ମଦ କାରାବାରକୁ ସମ୍ପୁର୍ଣ୍ଣ ଉଚ୍ଛେଦ କରିବା ନିମନ୍ତେ କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବରିଡା ଗ୍ରାମର ଗ୍ରାମବାସୀ ମାନେ ଶନିବାର ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରି ଖେସ୍ ଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସୂଚନା ଥାଉ କି, ଗତ ଏକ ବର୍ଷ ତଳେ ମଦ ବିକ୍ରି ହେଉଥିବାରୁ ଗ୍ରାମର ମହିଳା ମାନେ ଗ୍ରାମରେ ଥିବା ମଦ ଭାଟିକୁ ନିଆଁ ଲଗାଇ ପୋଡିଦେଇଥିଲେ । ଗ୍ରାମରେ ମଦ୍ୟପ ମାନଙ୍କ ଦୌରାତ୍ମ୍ୟ ଯୋଗୁଁ ଅନେକଥର ସାମାଜିକ ବିଶୃଙ୍ଖଳା ଘଟୁଥିଲା । ଆଉ ଏହା ଶିକ୍ଷିତ ବର୍ଗର ଲୋକଙ୍କ ଉପରେ କୁପ୍ରଭାବ ପଡୁଛି । ଏହା ବ୍ୟତୀତ ଉକ୍ତ ଗ୍ରାମର କିଛି କମ୍ ବୟସର ଛୋଟ ପିଲାମାନେ ଏହି କୁପ୍ରଭାବର ଶିକାର ହେଉଛନ୍ତି । ମଦ୍ୟପାନ ଦ୍ୱାରା ଗ୍ରାମରେ ବିଭିନ୍ନ ପ୍ରକାର ଚୋରି, ଡକାୟତି ଭଳି ବିଭିନ୍ନ ହତ୍ୟାକାଣ୍ଡ ମଧ୍ୟ ହେଉଛି । ଗ୍ରାମରେ ଥିବା ମଦ ଦୋକାନ ନିକଟରେ ସବୁ ସମୟରେ କିଛି ଅସାଧୁ ବ୍ୟକ୍ତି ମାନେ ରହି କୋଳାହଳ ସହ ଗଣ୍ଡଗୋଳ ମଧ୍ୟ କରୁଛନ୍ତି । ଯାହାକି, ଗ୍ରାମର ମହିଳା ମାନେ ସୁରକ୍ଷିତ ମଣୁନାହାନ୍ତି । ଏହା ସହିତ ଏହି ମଦ ଦୋକାନ ଗ୍ରାମର ଶ୍ରୀ ଦଧିବାମନ ନୋଡାଲ୍ ଉଚ୍ଚ ବିଦ୍ୟାଳୟର ଅତି ନିକଟପଛ ପାଶ୍ୱର୍ରେ ପ୍ରାୟ ୫୦ ମିଟର ଦୁର ତଥା ବାଘୁଆ ନଦୀ ସଡକ ଉପରେ ଥିବା ଯୋଗୁଁ ସେହି ରାସ୍ତା ଦେଇ ବିଦ୍ୟାଳୟକୁ ଆସୁଥିବା କୋମଳମତି ଶିଶୁ ମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ବୋଲି ସେମାନେ ଏହି ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି । ଏଣୁ ବର୍ତ୍ତମାନ ଗ୍ରାମରେ ପୁଣି ଥରେ ମଦ ଦୋକାନ ଖୋଲିବାର ବିଜ୍ଞପ୍ତି ପ୍ରକାଶ ପାଇବା ଖବର ପାଇ ସେମାନେ ଶନିବାର ଗ୍ରାମରେ ଦେଶୀ ଓ ବିଦେଶୀ ମଦ ଦୋକାନକୁ ନ ଖୋଲିବା ନିମନ୍ତେ ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି । ଆଗାମୀ ଦିନରେ ଯଦି ଏଥି ପ୍ରତି ଦୃଷ୍ଟି ନ ଦିଆଯାଏ ତେବେ ଗ୍ରାମର ଗ୍ରାମବାସୀ, ବୁଦ୍ଧିଜିବୀ, ଶିକ୍ଷାବିତ୍ , ଛାତ୍ରଛାତ୍ରୀ, ଯୁବ ଗୋଷ୍ଠୀ ମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଉକ୍ତ ଦାବି ପତ୍ର ରେ ଦର୍ଶାଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ମହିଳା ଗୋଷ୍ଠୀର ମହିଳା ମାନଙ୍କ ସମେତ ଗ୍ରାମ୍ୟ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ