ମରୈଗାଁ ପଞ୍ଚାୟତ ଅନିୟମିତତାର ତଦନ୍ତ କେବେ ?
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ମନରେଗା ଯୋଜନାରେ ନାହିଁ ନଥିବା ଦୁର୍ନିତି ହୋଇଥିବା ଅଭିଯୋଗ ହୋଇ ଅଳସୁଥିଲେବି ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଉନାହିଁ । ସୋସୋ ଓ ସୁଲଣ ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କା ହଡପ ଘଟଣାରେ ସଂପୃକ୍ତ ପଞ୍ଚାୟତର ପିଇଓଙ୍କୁ ନିଲମ୍ବିତ କରାଯାଇଥିବାବେଳେ ସରପଞ୍ଚଙ୍କ ନାମରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ମରୈଗାଁ ପଞ୍ଚାୟତରେ ହୋଇଥିବା ଦୁର୍ନିତିର ଆଜି ପର୍ଯ୍ୟନ୍ତ କୌଣସି ତଦନ୍ତ କରାନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ମରୈଗାଁ ପଞ୍ଚାୟତରେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ପାଇଖାନା ନିର୍ମାଣ ହେଉ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ଅଥବା ମନରେଗା ଯୋଜନା ସବୁଥିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ମାନ ଆସୁଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗତ ୨୦୧୬/୧୭ରେ ଜଣେ ବ୍ୟକ୍ତିଙ୍କୁ ଦୁଇ ଦୁଇଟି ଆବାସ ଯୋଜନା ଘର ଯୋଗାଇ ଦିଆଯାଇଛି । ଏପରିକି ସେହି ବର୍ଷରେ ତାଙ୍କର ଦୁଇଟିଯାକ ଘରର ପୁର୍ଣ୍ଣାଙ୍ଗ ବିଲ ମଧ୍ୟ କରାଯାଇଛି । ସେହିପରି ମନରେଗା ଯୋଜନାରେ ଫେକ୍ ଜବକାଡ ଧାରୀ ପ୍ରସ୍ତୁତ କରାଯାଇ ସେମାନଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ମୋ ପୋଖରୀ, ଲ୍ୟାଣ୍ଡ ଡେଭଲପମେଣ୍ଟ ଭଳି ମନରେଗା ଯୋଜନା କାର୍ଯ୍ୟରେ ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଛି । ଏପରିକି ଜଣେ ଜଣେ ବ୍ୟକ୍ତିଙ୍କ ନାମରେ ଦୁଇ ତିନୋଟି ଜବକାର୍ଡ ଭିନ୍ନ ଭିନ୍ନ ଗ୍ରାମରୁ କରାଯାଇ ସେମାନଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ଉଠାଇ ନିଆଯାଇଛି । ପଞ୍ଚାୟତର ଜି.ଆର.ଏସ ତାଙ୍କ ଭାଇ ଓ ସମ୍ପର୍କୀୟଙ୍କ ନାମରେ ଭିନ୍ନ ଭିନ୍ନ ଗ୍ରାମରୁ ଜବକାର୍ଡ କରି ସେମାନଙ୍କ ନାମରେ ବିଭିନ୍ନ ଯୋଜନାର ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ଘର ବାସ୍ତବ କ୍ଷେତ୍ରରେ ମରୈଗାଁ ହୋଇଥିବାବେଳେ ତାଙ୍କୁ ତେନ୍ତୁଲିନଣ୍ଡା, ଚଣ୍ଡି ବିରଞ୍ଚିପୁର ପ୍ରଭୃତି ଗ୍ରାମର ଦର୍ଶଯାଇ ଭିନ୍ନ ଭିନ୍ନ ଆଇଡିରେ ଜବକାର୍ଡ ଖୋଲି ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ମଜୁରୀ ଅର୍ଥକୁ ହଡପ କରିନେଇଥିବା ଅଭିଯୋଗ ହୋଇଛି । ଖାଲି ତାଙ୍କ ଭାଇ କି ସମ୍ପର୍କୀୟ ନୁହନ୍ତି ଏହି ପଞ୍ଚାୟତରେ ଶହଶହ ନକଲି ଲୋକଙ୍କ ନାମରେ ଫେକ ଜବକାର୍ଡ କରାଯାଇ ମନରେଗା ଯୋଜନାର ମଜୁରୀ ଅର୍ଥକୁ ହଡପ କରାଯାଇଛି । ସେହିପରି ପଞ୍ଚାୟତକୁ ଆସିଥିବା ଏସ.ଏଫ.ସି ଓ ଟିଏଫସି ଅନୁଦାନରୁ ଦୁଇବର୍ଷ ପୁର୍ବେ ପଞ୍ଚାୟତ ପାଚେରୀ ନିର୍ମାଣ ଓ ନଳକୂପ ଖନନ ନାମରେ ଅଗ୍ରୀମ ଆକରେରେ ୯ଲକ୍ଷ ୭୦ହଜାରରୁ ଉର୍ଦ୍ଧ ଟଙ୍କା ଉଠାଇ ନିଆଯାଇଛି ଯେ ନାଁ କୌଣସି କାମ ହେଉଛି ନା ପଞ୍ଚାୟତକୁ ଏହି ଟଙ୍କା ଫେରସ୍ତ ହେଉଛି । ଏ ସମ୍ପର୍କରେ କିଛି ୱାର୍ଡସଭ୍ୟସଭ୍ୟା ଅଭିଯୋଗ କରୁଥିଲେବି ସେମାନଙ୍କ ଅଭିଯୋଗକୁ ଅଧିକାରୀମାନେ ଗୁରୁତ୍ୱ ଦେଉନଥିବା ୱାର୍ଡସଭ୍ୟସଭ୍ୟା ମାନେ କହିଛନ୍ତି । ସେହିପରି କିଛିଦିନ ପୁର୍ବେ କାଣ୍ଡଗଡିଆ ସାହିରେ ଏକ ନଳକୂପ ବସାଯାଇଥିବାବେଳେ ସେଥିରୁ ପାଣି ବାହାରି ନଥିଲା । ଗାଁ ଲୋକଙ୍କ ଅସନ୍ତୋଷ ପରେ ମାତ୍ର ଏକମାସ ପରେ ପୁନର୍ବାର ସେହି ସ୍ଥାନରେ ଆଉଏକ ନଳକୂପ ବସାଯାଇ ଦୁଇ ଦୁଇଥର ବିଲ କରାଯାଇଥିବା ଅଭିଯୋଗ ହେଉଛି । ସେହିପରି ୮ନଂ ୱାର୍ଡରେ ମାତ୍ର ୨୫ମିଟର କଂକ୍ରିଟ ରାସ୍ତା ମରାମତି କରାଯାଇ ୨ଲକ୍ଷ ୮୪ହଜାର ଟଙ୍କା ବିଲ କରିନିଆଯାଇଛି ବୋଲି ଅଭିଯୋଗ ହୋଇଛି । ସେହିପରି ବିଭିନ୍ନ ଗ୍ରାମରେ ପୋଖରୀ ନକରାଯାଇ ମଧ୍ୟ ପୋଖରୀ ୍ନନ ନାମରେ ବ୍ୟାପକ ଅନୁଦାନ ହରିଲୁଟ ହୋଇଛି । ଏହି ଦୁର୍ନିତିକୁ ନେଇ ସୁଲଣ ଓ ସୋସୋ ପଞ୍ଚାୟତରେ ଓ ସରପଞ୍ଚଓ ପିଇଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାବେଳେ ମରୈଗାଁ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ କାହିଁକି ତଦନ୍ତ କରାଯାଉ ନାହିଁ ବୋଲି ଶ୍ରୀ ସେଠୀ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରେ ସେ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇଛନ୍ତି ବୋଲି କହିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏହି ପଞ୍ଚାୟତକୁ ତଦନ୍ତ ପରିସର ଭୁକ୍ତ କରାଇ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦ୍ୱାରା ତଦନ୍ତ କଲେ ବହୁ ଅନିୟମିତତାର ରହସ୍ୟ ଉନ୍ମୋଚନ ହୋଇ ପାରନ୍ତା ବୋଲି ତେନ୍ତୁଲିନଣ୍ଡା, ଶଙ୍ଖଣା, ମରୈଗାଁ, ଏଲକଣା ଗ୍ରାମର ଶତାଧିକ ବ୍ୟକ୍ତି ଦାବି କରିଛନ୍ତି ।


