ମହିଳା ଟି-୨୦ ଚ୍ୟାଲେଞ୍ଜ ଟ୍ରଫି, ଟ୍ରେଲ୍ବ୍ଲେଜର୍ସ ନୂଆ ବିଜେତା
ନୂଆଦିଲ୍ଲୀ: ହରମନପ୍ରୀତ କୌରଙ୍କ ସୁପରନୋଭାସର ହ୍ୟାଟ୍ରିକ୍ ମହିଳା ଟି-୨୦ ଚ୍ୟାଲେଞ୍ଜ ଟ୍ରଫି ଜିତିବା ସ୍ବପ୍ନକୁ ଟ୍ରେଲବ୍ଲେଜର୍ସ ଭାଙ୍ଗି ଦେଇଛି। ସ୍ମୃତି ମନ୍ଧାନାଙ୍କ ଟ୍ରେଲବ୍ଲେଜର୍ସ ସୋମବାର ୧୬ ରନ୍ରେ ସୁପରନୋଭାସକୁ ହରାଇ ଏହି ୩ ଦଳିଆ ପ୍ରତିଯୋଗିତାର ନୂଆ ବିଜେତା ହୋଇଛି। ଆଜିର ଲୋ ସ୍କୋରିଂ ଫାଇନାଲ୍ରେ ଟସ୍ ହାରି ବ୍ୟାଟିଂ କରିଥିବା ଟ୍ରେଲବ୍ଲେଜର୍ସ ପାଇଁ ଡେଣ୍ଡ୍ରା ଡଟିନ ଓ ସ୍ମୃତି ମନ୍ଧାନା ପ୍ରଥମ ୱିକେଟ୍ରେ ୭୧ ରନ୍ ଯୋଡ଼ି ଭଲ ଆରମ୍ଭ କରିଥିଲେ। ଡଟିନ୍ (୨୦)ଙ୍କୁ ପୂନମ ଯାଦବ ଆଉଟ୍ କରି ସୁପରନୋଭାସକୁ ପ୍ରଥମ ସଫଳତା ଦେଇଥିଲେ। ୧୪.୫ ଓଭରରେ ଦଳୀୟ ସ୍କୋର୍ ୧୦୧ ଥିଲା ବେଳେ ସ୍ମୃତି (୬୮, ୪୯ ବଲ୍, ୫ ଚୌକା, ୩ ଛକା)ଙ୍କୁ ଶଶିକଳା ଶିରିବର୍ଦ୍ଦନେ ୱିକେଟ୍ରକ୍ଷିକା ତାନିଆ ଭାଟିଆଙ୍କ ହାତରେ କ୍ୟାଚ୍ କରାଇ ଦଳକୁ ଦ୍ବିତୀୟ ସଫଳତା ଦେଇଥିଲେ। ଭଲ ଆରମ୍ଭ ସତ୍ତ୍ବେ ରାଧା ଯାଦବଙ୍କ ଘାତକ ସ୍ପିନ୍କୁ ସାମ୍ନା କରି ନପାରି ଟ୍ରେଲବ୍ଲେଜର୍ସ ନିର୍ଧାରିତ ୨୦ ଓଭରରେ ୧୧୮/୮ କରିଥିଲା। ରାଧା ୪-୦-୧୬-୫ ବୋଲିଂ ଚିତ୍ର ପାଇଥିଲେ । ଜବାବରେ ସୁପରନୋଭାସ ନିର୍ଧାରିତ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୦୨ ରନ୍ କରିବାକୁ ସମର୍ଥ ହୋଇଥିଲା। ଅଧିନାୟିକା ହର୍ମନପ୍ରୀତ ୩୦ (୩୬ ବଲ୍, ୨ ଚୌକା) ଓ ଶଶିକଳା ଶିରିବର୍ଦ୍ଦନେ ୧୯ (୧୮ ବଲ୍, ୧ ଚୌକା) କିଛିଟା ଲଢ଼ିଥିଲେ। ସୁପରନୋଭାସ ପକ୍ଷରୁ ସଲ୍ମା ଖାତୁନ ୩ ୱିକେଟ୍ ନେଇଥିଲା ବେଳେ ଦୀପ୍ତି ଶର୍ମା ୩-୦-୯-୨ ମିତବ୍ୟୟୀ ରହିଥିଲେ। ଥାଇଲାଣ୍ଡରୁ ଆସିଥିବା ନତାକନ୍ ଚାନ୍ତନଙ୍କ ଚମତ୍କାର କ୍ଷେତ୍ରରକ୍ଷଣ ମଧ୍ୟ ସୋମବାର ମ୍ୟାଚ୍ର ଅନ୍ୟତମ ଆକର୍ଷଣ ଥିଲା।


