ମାର୍ଚ୍ଚ ୧ରୁ ଯାଞ୍ଚ କଡ଼ାକଡ଼ି
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧ ତାରିଖରୁ ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ପାଳନ କରାଯିବ । ଖିଲାପକାରୀଙ୍କୁ ଆଉ ନିସ୍ତାର ନାହିଁ । ପୂର୍ବରୁ ଦିଆଯାଇଥିବା ୬ ମାସର କଣ୍ଟ ପୂରିଯାଇଥିବାବେଳେ ଏଥର ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ୭୦ ପ୍ରତିଶତ ପୁଲିସ କର୍ମଚାରୀ ଗାଡ଼ି ମୋଟର ଯାଞ୍ଚ କରିବେ । ନୂଆ ମୋଟରଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ଅଧିକାଂଶ ଲୋକ କାଗଜପତ୍ର ଠିକ୍ କରିସାରିଲେଣି । ଆଉ ଭିଡ଼ ନାହିଁ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ପହିଲାରେ ଦେଶରେ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହୋଇଥିଲା। ବିଭିନ୍ନ ସ୍ଥାନରେ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ମୋଟା ଅଙ୍କର ଜୋରିମାନା ରାଶି ଆଦାୟ କରାଯାଇଥିଲା। ଏହାକୁ ନେଇ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଥିଲା। ପରେ ସଂଶୋଧିତ ମୋଟରଯାନ ଆଇନକୁ କୋହଳ କରିବା ପାଇଁ ବିଭିନ୍ନ ମହଲରୁ ଦାବି ମଧ୍ୟ ଉଠିଥିଲା। ପ୍ରଥମେ ତିନି ମାସ ଯାଏଁ ଓ ପରେ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ନିୟମକୁ କୋହଳ କରାଯାଇଥିଲା। ଗାଡିର ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ସାଧାରଣ ଲୋକଙ୍କୁ ୬ ମାସର କଣ୍ଟ ଦିଆଯାଇଥିଲା। ମାର୍ଚ୍ଚ ପହିଲାରେ ଏହି କଣ୍ଟ ଶେଷ ହେବାକୁ ଯାଉଛି। ତେଣୁ ପୁଣି ସଂଶୋଧିତ ମୋଟରଯାନ ଆଇନ କଡାକଡି ଭାବେ ଲାଗୁ କରାଯିବ।


