ମାଳତୀରା ଦେବୀସାହିରେ ଶାରଦୀୟ ଦୁର୍ଗା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ମାଳତୀରା ଦେବୀ ସାହି ଠାରେ ପ୍ରାୟ ଶହେ ବର୍ଷରୁ ଉର୍ଦ୍ଧ୍ୱ ହେବ ଅନୁଷ୍ଠିତ ହୋଇଆସୁଥିବା ଶାରଦୀୟ ଦୂର୍ଗା ପୂଜା ଚଳିତ ବର୍ଷ ମହାସମାରୋହରେ ପାଳିତ ହେଉଛି । ନିକଟସ୍ଥ ଗୋପାଳ ପୋଖରୀରୁ କଳସ ଅଣାଯାଇ ଘଟ ସ୍ଥାପନ କରାଯାଇଥିଲା । କାହ୍ନୁ ଚରଣ ରାମ, ନେପାଳ ଦାସ କଳସ ଆଣିଥିବା ବେଳେ ପୂଜକ ଭାବେ ଭାସ୍କର ଚନ୍ଦ୍ର ଶତପଥି, ଶଶୀକାନ୍ତ ମହାପାତ୍ର ଓ ସହଯୋଗୀ ଭାବେ ପଦ୍ମନାଭ ପଣ୍ଡା, କୃପାସିନ୍ଧୁ ରଣା ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି । ଶୁକ୍ରବାର ଷଷ୍ଠାଧିକଳ୍ପ ଓ ବିଲ୍ୱବରଣ, ଶନିବାର ଘଟସ୍ଥାପନ ଓ ସପ୍ତମୀ ବିହିତ ପୂଜା, ରବିବାର ଅଷ୍ଟମୀ ବିହିତ ପୂଜା ଓ ସନ୍ଧି ପୂଜା, ସୋମବାର ନବମୀ ବିହିତ ପୂଜା, ବଳି ଉତ୍ସର୍ଗ, ମଙ୍ଗଳବାର ଦଶମୀ ବିହିତ ପୂଜା, ଅପରାଜିତା ପୂଜା ଓ ପୂର୍ଣ୍ଣାହୂତି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂଜା କାର୍ଯ୍ୟରେ କମିଟିର ସଭାପତି ନାରାୟଣ ଚନ୍ଦ୍ର ସାହୁ, ଉପସଭାପତି ନରହରି ଜେନା, ସଂପାଦକ ସୁଧାଂଶୁ ଶେଖର ମହାନ୍ତି, ସହ ସଂପାଦକ ରମାକାନ୍ତ ଜେନା, କୋଷାଧ୍ୟକ୍ଷ ଅକ୍ଷୟ ଅନନ୍ତ କର, ପୂର୍ବତନ ସଂପାଦକ ପ୍ରଫୁଲ୍ଲ କୁମାର ସାହୁ, ବୁଦ୍ଧିରାମ ଜେନା, ଅଭିମନ୍ୟୁ ପଣ୍ଡା, ପଞ୍ଚାନନ ସୁତାରଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି । ଆସନ୍ତା ବୁଧବାର ଭସାଣୀ ଉତ୍ସବ ହେବ ବୋଲି କମିଟି ପକ୍ଷରୁ ଜଣାଯାଇଛି । ସେହିପରି ତରାଗୋ, ବସନ୍ତିଆ, ଓଡଙ୍ଗ, ପାରାବନ୍ଧ, ସାବିତ୍ରୀଆଡି, ତୋଡଗାଁ, ରାମକୃଷ୍ଣପୁର ଆଦି ସ୍ଥାନରେ ମା’ଙ୍କ ପୂଜା ଆରମ୍ଭ ହୋଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବନ୍ତ ଥାନା ଓ କେନ୍ଦୁଆପଦା ଫାଣ୍ଡି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।


