ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ

ବନ୍ତ,(ଚାନ୍ଦିନୀ ମହାନ୍ତି): ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଉପଲକ୍ଷେ ଭଦ୍ରକ ଟାଉନ୍ ହଲ୍‌ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ‘ଟିକୁ ସ୍ୱାଇଁ ସ୍ମୃତି ପରିଷଦ’କୁ ମାନପତ୍ର, ଟ୍ରଫି ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଭଦ୍ରକ ଜିଲ୍ଲାର ରକ୍ତଦାନ ଓ ସମାଜସେବା କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ଜଣାଶୁଣା ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଯୋଗ ଦେଇ ଉପସ୍ଥିତ ସମସ୍ତ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା ଜଣେ ଜଣେ ଯୋଦ୍ଧା ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ୍, ଏଡିଏମ୍ ରବିନାରାୟଣ ସାହୁ, ଏଡିପିଏଚ୍‌ଓ ସନ୍ତୋଷ କୁମାର ପୃଷ୍ଟି, ବିବିଓ ବିମଳା ମିଶ୍ର,ସିଡିଏମ୍‌ଓ ପ୍ରମୋଦ କୁମାର ପ୍ରହରାଜ, ରତିକାନ୍ତ ବଳ ଓ ଲିଲିମା ସ୍ୱାଇଁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଞ୍ଚାସୀନ ଥିଲେ । ରତିକାନ୍ତ ବଳ ସଭା ପରିଚାଳନା କରିଥିଲେ। ଟିକୁ ସ୍ୱାଇଁ ସ୍ମୃତି ପରିଷଦର ରକ୍ତଦାନ କାର୍ଯ୍ୟକ୍ରମକୁ ସ୍ମରଣ କରି ଶ୍ରୀ ବଳ କହିଥିଲେ ଯେ, ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗ ଯୋଗୁଁ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଥିବା ସମୟରେ ବନ୍ତ ମେଡିକାଲରେ ବିଦ୍ୟୁତ ସେବା ମଧ୍ୟ ବିଚ୍ଛିନ୍ନ ଥିଲା । ଲାଇଟ୍ ଜଳୁନଥିଲା,ଏସି ଓ ଫ୍ୟାନ୍ ଚାଲୁନଥିବା ଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଟିକୁ ସ୍ୱାଇଁ ସ୍ମୃତି ପରିଷଦର ସଭାପତି ଲାଲା ସ୍ୱାଇଁଙ୍କ ସହଯୋଗ ଓ ଉଦ୍ୟମରେ ରକ୍ତଦାତାମାନେ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସି ୮୦ ୟୁନିଟ୍ ରକ୍ତଦାନ କରିଥିଲେ। ଏଭଳି ପ୍ରତିକୂଳ ପରିସ୍ଥିତିରେ ରକ୍ତଦାତାଙ୍କ ମାନବିକତା ଓ ସେବା ମନୋଭାବକୁ ସେ ପ୍ରଶଂସା କରିଥିଲେ । ଏହି ଅବସରରେ ଭଣ୍ଡାରିପୋଖରୀ ବିଧାୟକଙ୍କ ପ୍ରତିନିଧି ତଥା ଟିକୁ ସ୍ୱାଇଁ ସ୍ମୃତି ପରିଷଦର ସଭାପତି ସ୍ମୃତିରଞ୍ଜନ ସ୍ୱାଇଁ (ଲାଲା) ନିଜ ବକ୍ତବ୍ୟରେ ରକ୍ତଦାନକୁ ଏକ ମହାପୁଣ୍ୟ ଓ ମାନବିକ କାର୍ଯ୍ୟ ବୋଲି ଅଭିହିତ କରିଥିଲେ । ସେ କହିଥିଲେ, “ରକ୍ତଦାନ ଜାତି, ଧର୍ମ କିମ୍ବା ରାଜନୈତିକ ପରିଚୟ ଦେଖେ ନାହିଁ। ରକ୍ତ ହିନ୍ଦୁ-ମୁସଲିମ କିମ୍ବା ବିଜେଡି-ବିଜେପି ଚିହ୍ନେ ନାହିଁ; ଏହା କେବଳ ଜଣେ ମଣିଷର ଜୀବନ ବଞ୍ଚାଏ।” ଯୁବପିଢ଼ିଙ୍କୁ ଆହ୍ୱାନ ଜଣାଇ ସେ କହିଥିଲେ ଯେ, ରାଜନୈତିକ ସଭା, ସମାବେଶ ଓ ମୋଟରସାଇକେଲ୍ ରାଲିରେ ଯୁବକମାନେ ଯେପରି ଶହ ଶହ ସଂଖ୍ୟାରେ ଉତ୍ସାହର ସହ ଆଗେଇ ଆସୁଛନ୍ତି, ସେହିପରି ମଣିଷର ଜୀବନ ବଞ୍ଚାଇବା ପାଇଁ ସ୍ୱେଚ୍ଛାକୃତ ରକ୍ତଦାନରେ ମଧ୍ୟ ଆଗକୁ ଆସିବା ଆବଶ୍ୟକ। “ରକ୍ତଦାନ ପାଇଁ ସାହସ, ସେବା ଓ ମାନବିକତା ଦରକାର; ଜଣେ ସାହସୀ ଯୋଦ୍ଧା ହିଁ ନିଜ ରକ୍ତ ଦେଇ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇବାର ସଂକଳ୍ପ ନେଇପାରେ,” ବୋଲି ସେ ମତବ୍ୟକ୍ତ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ