ସୂର୍ଯ୍ୟ ମନ୍ଦିର ବେଢା ଚତୁଃପାର୍ଶ୍ଵ ପ୍ରାଚୀର ନିର୍ମାଣ ନିର୍ଦ୍ଧିଷ୍ଟ ଠିକାଦାର ଓ ଅଧିକାରୀ ଙ୍କ ସଲାସୁତୁରା ରେ ଚାଲିଛି ନିମ୍ନ ମାନର କାର୍ଯ୍ୟ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ବେଢାର ଚତୁଃପାର୍ଶ୍ଵରେ କେନ୍ଦ୍ର ସରକାରଙ୍କ ଏଏସଆଇ କର୍ତୃପକ୍ଷଙ୍କ ପକ୍ଷରୁ କାର୍ଯ୍ୟାଦେଶ ପାଇଥିବା ଠିକାଦାରଙ୍କ ଦ୍ବାରା ନିର୍ମାଣଧୀନ ପ୍ରାଚୀର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇ କାର୍ଯ୍ୟ କରାଯାଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଖବରରୁ ପ୍ରକାଶ ଯେ ସୂର୍ଯ୍ୟମନ୍ଦିର ବେଢାର ଚତୁଃପାର୍ଶ୍ଵରେ କେନ୍ଦ୍ର ସରକାରଙ୍କ ଏଏସଆଇ କର୍ତୃପକ୍ଷଙ୍କ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଶଶାଙ୍କ ଶେଖର ନାୟକଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏହି ପ୍ରାଚୀର ନିର୍ମାଣ କାର୍ଯ୍ୟ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏଏସଆଇ କର୍ତୃପକ୍ଷଙ୍କ ପକ୍ଷରୁ ୨୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମଞ୍ଜୁର କରାଯାଇଛି। ଏହି ନିର୍ମାଣ କାର୍ଯ୍ୟରେ ନିମ୍ନମାନର ପଥର, ଲୁଣି ବାଲି, ନିମ୍ନମାନର ସିମେଣ୍ଟ ସହ ନିକୃଷ୍ଟ ମାନର ରଡ ବ୍ୟବହାର କରାଯାଇ ସୂର୍ଯ୍ୟ ମନ୍ଦିର ବେଢା ଚତୁଃପାର୍ଶ୍ଵରେ ପ୍ରାଚୀର ନିର୍ମାଣ କାର୍ଯ୍ୟ କରାଯାଉଥିବାରୁ ଏହାର ସ୍ଥାୟୀତ୍ବ ନେଇ କୋଣାର୍କ ଅଞ୍ଚଳର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ସଂସ୍କୃତି ପ୍ରେମୀ ନାଗରିକ ଓ ଅଂଚଳବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ବିଶ୍ବ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର ନିଜର ଐତିହ୍ୟ, ସଂସ୍କୃତି, ସ୍ଥାପତ୍ୟ ଓ କଳାକୃତି ପାଇଁ ବିଶ୍ବ ବିଦିତ। ଏହି ବିଶ୍ବ ସ୍ତରୀୟ ଐତିହ୍ୟ ସ୍ଥଳୀର ସୁରକ୍ଷା ପାଇଁ ଏଏସଆଇ ପକ୍ଷରୁ ମନ୍ଦିର ବେଢାର ଚତୁଃ ପାର୍ଶ୍ଵସ୍ଥ ପ୍ରାଚୀର ନିର୍ମାଣ କାର୍ଯ୍ୟ ଦାୟିତ୍ଵରେ ଥିବା ସ୍ଥାନୀୟ ଏଏସଆଇ କର୍ତୃପକ୍ଷଙ୍କ ଅନୁପସ୍ଥିତ ଓ ଦାୟିତ୍ବହୀନତା ଖାମଖିଆଲି ମନୋଭାବ ଯୋଗୁଁ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇ କାର୍ଯ୍ୟ କରାଯାଉଛି ବୋଲି କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀ ଓ ସଂସ୍କୃତି ବିଶାରଦ ମହଲରେ ନାପସନ୍ଦ କରାଯାଇଛି। ସୁରକ୍ଷା ପାଇଁ ଏଏସଆଇ ପ୍ରାଚୀର ନିର୍ମାଣ କାର୍ଯ୍ୟ କରୁଥିବା ବେଳେ କୋଣାର୍କ ଏଏସଆଇ ସ୍ଥାନୀୟ ଅଧିକାରୀ ଓ କାର୍ଯ୍ୟାଦେଶ ପାଇଥିବା ଠିକାଦାରଙ୍କ ମଧୁଚନ୍ଦ୍ରିକା ନୀତି ଯୋଗୁଁ ମନ୍ଦିର ସୁରକ୍ଷା ପାଇଁ କରାଯାଉଥିବା ପ୍ରାଚୀର ଧର୍ମ କୁ ଆଖିଠାର ସଦୃଶ ବୋଲି ସଂସ୍କୃତି ବିଶାରଦ ମାନେ ମତବ୍ୟକ୍ତ କରିଛନ୍ତି। ଏହି ଠିକାଦାର ଜଣଙ୍କ ଦୀର୍ଘ ଦିନ ଧରି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ବିଭିନ୍ନ ସମୟରେ କିଭଳି ଭାବେ ସମସ୍ତ ଉନ୍ନୟନ କାର୍ଯ୍ୟମାନ କାହା ସୁପାରିଶରେ କରୁଛନ୍ତି ତାହା ଏଏସଆଇ କର୍ତୃପକ୍ଷଙ୍କ ଉଚ୍ଚ ଅଧିକାରୀଙ୍କ ସଂପୃକ୍ତ ଠିକାଦାରଙ୍କ ପ୍ରତି ଅହେତୁକ ଅନୁକମ୍ପା ଓ ଦୃଢ ସମର୍ଥନ ରହିଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ଏହି ନିମ୍ନମାନର ପ୍ରାଚୀର ନିର୍ମାଣ କାର୍ଯ୍ୟ ସହ ସଂପୃକ୍ତ ଠିକାଦାରଙ୍କ ଦ୍ବାରା ସୂର୍ଯ୍ୟ ମନ୍ଦିର ପରିସରରେ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟର ବର୍ତ୍ତମାନ ସୁଦ୍ଧା ସ୍ଥିତି କଣ ରହିଛି ତାହାର ଏଏସଆଇ ମହାନିର୍ଦ୍ଦେଶକ , ପୁରୀ ସର୍କଲ ସୁପରିଟେଣ୍ଡେଣ୍ଟ ଓ ପୁରୀ ଜିଲ୍ଲାପାଳଙ୍କ ଦ୍ବାରା ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ, ଗବେଷକ, ସଂସ୍କୃତି ବିଶାରଦ ଓ କୋଣାର୍କ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ