ମୁକ୍ତି ସଂଗ୍ରାମର କର୍ଣ୍ଣଧାର ମହାତ୍ମା ଗାନ୍ଧୀ
ପୃଥିବୀ ଇତିହାସ ପୃଷ୍ଠାରେ ଯେଇଁ କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କର ନାମ ସ୍ୱର୍ଣ୍ଣାକ୍ଷରରେ ଉଲ୍ଲେଖ ଅଛି ସେମାନଙ୍କ ମଧ୍ୟରେ ମହାତ୍ମାଗାନ୍ଧୀ ଅନ୍ୟତମ । ଜାତିର ପିତା ମହାତ୍ମାଗାନ୍ଧୀ କେବଳ ଭାରତ ଇତିହାସରେ ନୁହେଁ ସମଗ୍ର ବିଶ୍ୱରେ ଜଣେ ମହାମାନବ ଭାବରେ ସୁପରିଚିତ । ଭାରତୀୟ ରାଜନୀତିରେ ମହାତ୍ମାଗାନ୍ଧୀଙ୍କ ପ୍ରବେଶ ଭାରତର ମୁକ୍ତି ସଂଗ୍ରାମକୁ ଏକ ନୁଆ ମୋଡ଼ ଦେଇଥିଲା । ଏହି ସଂଗ୍ରାମ ସମୟରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପ୍ରବର୍ତ୍ତନ କରିଥିଲେ । ଏହା ଏକ ଅଭିନବ ଅସ୍ତ୍ର ଯାହାର ପ୍ରୟୋଗରେ ରକ୍ତପାତ ନଥିଲା, କାହା ପାଖରେ ଲୁହ ନଥିଲା, ଅଥଚ ଯୁଦ୍ଧ ଜୟ ଥିଲା । ସେ ଦୃଷ୍ଟିରୁ ବିଚାର କଲେ ସେ ଥିଲେ ଶ୍ରେଷ୍ଠମାନଙ୍କ ମଧ୍ୟରେ ଶ୍ରେଷ୍ଠତମ । ବୋଧହୁଏ ବୁଦ୍ଧ ଓ ଯୀଶୁଙ୍କ ପରେ ମହାତ୍ମାଗାନ୍ଧୀ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ସମଗ୍ର ବିଶ୍ୱର ଜନଜୀବନରେ ଗଭୀର ପ୍ରଭାବ ସୃଷ୍ଟି କରିପାରିଥିଲେ ।
ବିଶିଷ୍ଟ ବୈଜ୍ଞାନିକ ଆଇନଷ୍ଟାଇନ୍ଙ୍କ ମତରେ – “ଆଗାମୀ ବଂଶଧର କ୍ୱଚିତ୍ ବିଶ୍ୱାସ କରତ୍ପାରନ୍ତିିଁ ଯେ ଏମିତିି ଜଣେ ରକ୍ତ-ମାଂସ ଧାରି ବ୍ୟକ୍ତି ଏ ପୃଥିବୀପୃଷ୍ଠରେ ପଦାର୍ପଣ କରିଥିଲେ ।”
ମହାତ୍ମାଗାନ୍ଧୀଙ୍କ ଆଦର୍ଶ ସମକାଳୀନ ବିଶ୍ୱରେ ଥିଲା ବିରଳ । ସତ୍ୟ ଓ ଅହିଂସା ଥିଲା ତାଙ୍କର ଅମୋଘ ଅସ୍ତ୍ର । ୧୮୯୩ ମସିହାରୁ ୧୯୧୪ ମସିହା ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ରହଣି ମଧ୍ୟରେ ଗାନ୍ଧିଜୀ ସେଠାକାର ଗୋରା ସରକାରଙ୍କ ବିରୋଧରେ ଯେଉଁ ଅମୋଘ ଅସ୍ତ୍ର ପ୍ରୟୋଗ କରିଥିଲେ ତାହା ସତ୍ୟାଗ୍ରହ ନାମରେ ପରିଚିତ । ଅହିଂସା ଆନ୍ଦୋଳନକୁ ଜାରି ରଖି ଦକ୍ଷିଣ ଆଫ୍ରିକାର ଜନସାଧାରଣମାନଙ୍କ ଅଧିକାର, ସମାନତା ଓ କଳାଗୋରା ଭେଦଭାବର ପରିସମାପ୍ତି ଘଟାଇଥିଲେ । ୧୯୧୫ ମସିହାରେ ଗାନ୍ଧିଜୀ ଭାରତକୁ ଫେରିଆସିଲେ । ସେ ଶାନ୍ତିର ଦେବଦୂତ ହୋଇଆସିଥିଲେ ।
ଭାରତୀୟ ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ଼ ଦେଇ ସେ ତାର ମଙ୍ଗୁଆଳ ସାଜିଥିଲେ । ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନ, ୧୯୩୦ରେ ଲବଣ ସତ୍ୟାଗ୍ରହ ଓ ଶେଷରେ ୧୯୪୨ରେ ଭାରତଛାଡ ଆନ୍ଦୋଳନର ଫଳସ୍ୱରୂପ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତବର୍ଷ ପରାଧୀନତାର ଶୃଙ୍ଖଳରୁ ମୁକ୍ତହେଲା । ପରାକ୍ରମୀ ଇଂରେଜ ସରକାର ତାଙ୍କ ପାଖରେ ପରାଜୟ ସ୍ୱୀକାର କଲେ । ଏହା ଥିଲା ସେହି ମହାମାନବଙ୍କ ଐକାନ୍ତିକ ନିଷ୍ଠା ଓ ନିରବଚ୍ଛିନ୍ନ ସାଧନାର ଫଳ । ସେଥିପାଇଁ ସେ ମହାମାନବର ଆସନରେ ଆସୀନ । ଗାନ୍ଧିଜୀଙ୍କ ବିଷୟରେ କାନ୍ତକବି ଲେଖିଛନ୍ତି –
“ହେ ମୋହନ! କି ମୋହନ ମନ୍ତ୍ର ଦେଲ ଚାଳି
ଭାରତର ବକ୍ଷେ ଦେଲ ଅଗ୍ନିଶିଖା ଜାଳି
ଜଗାଇଲ କୋଟି କୋଟି ପ୍ରାଣେ ଉଦ୍ଦୀପନା
ଖେଳିଗଲା ସାରାଦେଶେ ତପ୍ତ ଉନ୍ମାଦନା ।’
ସମୟ ଥିଲା ସଂଧ୍ୟା ଠିକ୍ ପାଞ୍ଚଟା ସତର ମିନିଟ୍ । ପ୍ରଥମ ଗୁଳିଟି ଗାନ୍ଧୀଙ୍କ ପାକସ୍ଥଳୀ ବିଦ୍ଧ କରିଥିବା ବେଳେ, ଦ୍ୱିତୀୟ ଓ ତୃତୀୟ ଗୁଳି ବିଦ୍ଧ କଲା କୋଟି ଜନତା ପାଇଁ ଦରଦ ଭରି ରହିଥିବା ଛାତିକୁ । ପରଦିନ ସାଢେ ଏଗାରଟା । ଶୋଭାଯାତ୍ରା ବାହାରିଲା । ବାପୁଙ୍କ ଡାହାଣପଟେ ତାଙ୍କ ପୁଅ ରାମ ଦାସ ଓ ବାମପଟେ ଦେବ ଦାସ । ଦେବଦାସ ବାପୁଙ୍କ ଶରୀରରେ ଚନ୍ଦନକାଠ ସଜାଡ଼ିଲେ । ରାମଦାସ ଦେଲେ ମୁଖାଗ୍ନି । ପଞ୍ଚଭୂତରେ ଲୀନ ହୋଇଗଲା ପାର୍ôଥବ ଶରୀର । ତାଙ୍କ ମତରେ ସବୁ ସମସ୍ୟା ସମାଧାନର ଚାବିକାଠି ସତ୍ୟ ଓ ଅହିଂସା । ସତ୍ୟ ହିଁ ସବୁଠାରୁ ସ୍ୱଳ୍ପ ଓ ବିନା ମୂଲ୍ୟରେ ହାସଲ କରାଯାଇପାରେ । ସତ୍ୟ ହିଁ ଈଶ୍ୱର ଓ ଶ୍ରମ ହେଉଛି ତାହାର ଉପାସନା । ସତ୍ୟ ନିକଟରେ ପହଞ୍ଚିବା ଅର୍ଥ ଈଶ୍ୱରଙ୍କ ନିକଟରେ ପହଞ୍ଚିବା । ସତ୍ୟର ନିକଟତର ହେବାର ମାର୍ଗ ହେଉଛି ଅହିଂସା । ଶାନ୍ତିର ଦେବଦୂତ, ଜାତିର ପିତା ମହାମାନବ ମହାତ୍ମାଗାନ୍ଧୀ । ଗାନ୍ଧିଜୀଙ୍କ ମୃତ୍ୟୁଥିଲା ବିଂଶ ଶତାବ୍ଦୀର ସବୁଠାରୁ ମର୍ମନ୍ତୁଦ ଓ ଦୁଃଖଦାୟକ ଘଟଣା । ସାରା ବିଶ୍ୱ ସ୍ତବ୍ଧ ହୋଇଗଲା । ସେଦିନ ସେଇଥିପାଇଁ ଶୋକାକୁଳ ଦେଶବାସୀଙ୍କୁ ଆକାଶବାଣୀ ମାଧ୍ୟମରେ ପଣ୍ଡିତ ଜବାହାରଲାଲ ନେହୁରୁ କହିଥିଲେ- ବନ୍ଧୁଗଣ! ଆଲୁଅ ଲିଭିଗଲା । ଏହା ଆମପାଇଁ ଏକ ସାଙ୍ଘାତିକ ଧକ୍କା । ମାତ୍ର ମୁକ୍ତିର ଯେଉଁ ଅଭିନବ ଆଲୋକ ସେ ଦେଖାଇ ଦେଇଯାଇଛନ୍ତି ତାହା ଯୁଗଯୁଗ ଧରି ସମସ୍ତଙ୍କୁ ଆଲୋକିତ କରୁଥିବ ।
ଗାନ୍ଧୀଙ୍କ ଆଦର୍ଶ ଓ ଦୃଷ୍ଟିକୋଣକୁ ନେଇ ଆମ ଦେଶ ସ୍ୱାଧୀନ ହେବାର ୨୦ ବର୍ଷ ପରେ ଏସିଆ ଓ ଆଫ୍ରିକାର ବହୁ ପରାଧୀନ ଦେଶ ଶାନ୍ତିପୂର୍ଣ୍ଣ ଉପାୟରେ ସ୍ୱାଧୀନତା ଲାଭ କରିବାରେ ସଫଳ ହେଲେ । ଅନ୍ୟ ଏକ ଦିଗରୁ ବିଚାରକଲେ ଆନ୍ନା ଅନଶନ ବେଶ୍ କିଛିଦିନ ପରେ ପ୍ରମାଣ କରିଛି ଯେ ‘ଗାନ୍ଧିବାଦ’ର ପ୍ରୟୋଗ ଯେକୌଣସି ସ୍ଥିତିରେ କରାଯାଇ ଆଖିଦୃଶିଆ ସଫଳତା ଆଶା କରାଯାଇପାରେ । କେବଳ ସ୍ୱାଧୀନତା ସଂଗ୍ରାମ ନୁହେଁ, ଧର୍ମନିରପେକ୍ଷତାର ଏକ ନିଚ୍ଛକ ପ୍ରତିଛବି ଥିଲେ ମହାତ୍ମାଗାନ୍ଧୀ । କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମର ଗଣ୍ଡି ଭିତରେ ବାନ୍ଧି ହୋଇନଥିଲେ ସେ । ସର୍ବଧର୍ମ ସମନ୍ୱୟ ଥିଲା ତାଙ୍କ ଜୀବନର ମୂଳମନ୍ତ୍ର । ସେଥିପାଇଁ ତାଙ୍କ ପ୍ରାର୍ଥନା ସଭାରେ ସବୁଧର୍ମର ସାରକଥା ଆଲୋଚିତ ହେଉଥିଲା । ସେ କହୁଥିଲେ ଆମେ ସମସ୍ତେ ପରମପିତାଙ୍କ ସନ୍ତାନ – ମାତ୍ର ଭିନ୍ନଭିନ୍ନ ଭାବରେ ତାଙ୍କୁ ଉପାସନା କରୁଛୁ ।
ଦେଶକୁ ପ୍ରଗତିପଥରେ ନେବାକୁ ଗାନ୍ଧିଜୀ ଚାହୁଁଥିଲେ । ସେ ଥିଲେ ଦରିଦ୍ର, ନିଷ୍ପେଷିତ, ଅବହେଳିତ ଜନତାର ଆଶା ଓ ଆକାଂକ୍ଷାର ପ୍ରତୀକ । ଗାନ୍ଧୀ ଆଧୁନିକ ମଣିଷର ଉପଭୋଗ ପାଗଳାମୀରେ ବିବ୍ରତ ହୋଇପଡ଼ିଥିଲେ । ସେଥିପାଇଁ ସେ ମୌଳିକ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଚାଲିଥିଲେ – ଏଥିରେ ସବୁ ରଚନାତ୍ମକ କାର୍ଯ୍ୟକ୍ରମକୁ ବ୍ୟବହାରିକ ରୂପ ଦେବାର ଚାବିକାଠି ରହିଛି । ନିଶା ନିବାରଣ ଉପରେ ମଧ୍ୟ ଗାନ୍ଧୀ ସର୍ବଦା ଗୁରୁତ୍ୱ ଦେଉଥିଲେ । ତାଙ୍କ ମତରେ ନିଶା ସେବନ ମଣିଷକୁ ବିପଥଗାମୀ କରିବା ସଙ୍ଗେ ସଙ୍ଗେ ତା’ର ଆର୍ôଥକ ଉନ୍ନତିରେ ଅନ୍ତରାୟ ହୋଇଥାଏ । ସ୍ୱାଧୀନତାର ୭୨ ବର୍ଷପରେ ବି କୌଣସି ରାଜ୍ୟ ସମ୍ପୂର୍ଣ୍ଣ ନିଶାମୁକ୍ତ ହୋଇପାରିଲା ନାହିଁ । ନାରୀଶିକ୍ଷା ଓ ନାରୀ ଜାଗରଣ ଉପରେ ଗାନ୍ଧିଜୀ ସର୍ବଦା ଗୁରୁତ୍ୱ ଦେଉଥିଲେ । ତାଙ୍କର ସ୍ୱପ୍ନର ଭାରତରେ ମହିଳାମାନଙ୍କୁ ପୁୁରୁଷମାନଙ୍କ ସହିତ ସମାନ ମର୍ଯ୍ୟାଦା ଦେବା ପାଇଁ ସେ ମଧ୍ୟ କହିଥିଲେ । ଆଜି ଭାରତରେ ନାରୀମାନେ ସବୁଠାରୁ ଅସୁରକ୍ଷିତ ବୋଲି କୁହାଯାଉଛି । ଦିଲ୍ଲୀଠାରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଏକ କଥା – ସବୁଠି ନାରୀ ନିର୍ଯାତନା, ଅତ୍ୟାଚାର ଓ ଗଣଦୁଷ୍କର୍ମର କରୁଣସ୍ୱର । ଏଥିସହିତ ଦୁର୍ନୀତି, ଭ୍ରଷ୍ଟାଚାର, ସାମ୍ପ୍ରଦାୟିକତା, ଜାତିବାଦ ତଥା ଅପରାଧୀ କରଣ ଆମ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟିକରିଛି । ବିଶ୍ୱର ବହୁ ଦେଶରେ ଗାନ୍ଧୀବାଦର ଅଭ୍ୟୁଦୟ ହୋଇଥିବା ବେଳେ ଆମ ଦେଶ ଗାନ୍ଧୀଦର୍ଶନଠାରୁ ଦୂରେଇଯାଉଥିବାର ଲକ୍ଷ୍ୟ କରାଯାଉଛି ।


