ମୁକ୍ତ ଅବାଧ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ବୁଥ୍ ବୁଲିଲେ…
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ ମୋଟ ୫ଗୋଟି ପର୍ଯ୍ୟାୟରେ ଚଳିତ ମାସ ଫେବୃୟାରୀ ଯଥା ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ଅନୁଷ୍ଠିତ ହେବ । ହେଲେ ଗତକାଲି ବୁଧବାର ପ୍ରଥମ ପର୍ଯ୍ୟାୟରେ ମୋହନା ବ୍ଲକର ୩ଗୋଟି ଜିଲ୍ଲାପରିଷଦ ଜୋନ୍ ଓ ୩୯ପଞ୍ଚାୟତ, ସମିତି ଓ ୱାର୍ଡ ମେମ୍ବରଙ୍କ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନ ପ୍ରକ୍ରିୟା କିପରି ଶାନ୍ତି ଶୃଙ୍ଖଳା ଓ ମୁକ୍ତ ଅବାଧ ନିର୍ବାଚନ ଅନୁଷ୍ଠିତ ହେଉଛି ତାହାର ତଦାରଖ କରିବାପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୋହନା ବ୍ଲକର ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କରିଥିବାର ଜଣାପଡିଛି । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ସାଧାରଣ ପର୍ଯ୍ୟବେକ୍ଷକ (ନିର୍ବାଚନ) ବିଶ୍ୱ ମୋହନ ରାୟ ମଧ୍ୟ ଉପସ୍ଥିତ ଥିଲେ । ଅଡବା ଗ୍ରାମ ଠାରେ ଅଡବା ହାଇସ୍କୁଲ ଏବଂ ମାଣ୍ଡିମେରା ଗ୍ରାମ ଠାରେ ଥିବା ବୁଥ୍ ଗୁଡିକୁ ପରିଦର୍ଶନ କରି କିପରି ନିର୍ବାଚନ ପରିଚାଳନା ହେଉଛି ଆଦିକୁ ନେଇ ବିଭିନ୍ନ ତଥ୍ୟ ସମ୍ପର୍କରେ ପୋଲିଂ ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ତେବେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ହେଉଥିବାର ଦେଖି ସନ୍ତୋଷ ବ୍ୟକ୍ତ କରିଥିବାର ଜଣାପଡିଛି । ସେହିପରି ମୋହନା ବ୍ଲକ ସଦରର ଭୋଟ ବକ୍ସ ବିତରଣ ଓ ଗ୍ରହଣ କେନ୍ଦ୍ରକୁ ଯାଇ ତଦାରଖ କରିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ମୋହନା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ପ୍ରମୁଖଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତଥିଲେ ।


