ମୃତ୍ୟୁ ଏଠି ଅପରାଧ
ବିଶ୍ୱରେ କିଛି ଦେଶ ଅଛି, ଯେଉଁଠି ଇଚ୍ଛାମୃତ୍ୟୁକୁ ମିଳିଛି ଆଇନଗତ ସ୍ୱୀକୃତି । ହେଲେ ଏମିତି ଦେଶ ଅଛି, ଯେଉଁଠି ମୃତ୍ୟୁକୁ ଅପରାଧ ବୋଲି ବିବେଚନା କରାଯାଏ । କିଛି ଦେଶରେ ଆତ୍ମହତ୍ୟାକୁ ମଧ୍ୟ ଅପରାଧ ଭାବେ ଗ୍ରହଣ କରାଯାଇଥାଏ । ହେଲେ ନରୱେର ଲାଇମ୍ବଇୟରବେନ୍ରେ ରହିଛି ଅଜବ ପ୍ରଥା । ଏଠି ମୃତ୍ୟୁକୁ ଅପରାଧ ବୋଲି କୁହାଯାଇଥାଏ । ଏଠାକାର ଆଇନ ଅନୁଯାୟୀ, ଏଠି କେହି ମରିପାରିବେ ନାହିଁ । ତେବେ ଏମିତି ନିୟମ ପଛରେ ଏକ ବଡ଼ କାରଣ ଅଛି । ଏହିି ଗାଁରେ ୨ ହଜାର ଲୋକ ବସବାସ କରୁଥିବାବେଳେ ରହିଛି ଗୋଟିଏ ମାତ୍ର କବରସ୍ଥାନ । ଏହାଛଡ଼ା କବର ସ୍ଥାନଟି ଅତ୍ୟଧିକ ଥଣ୍ଡା ପରିବେଶରେ ରହିଛି । ଏଠାରେ ଯେଉଁମାନଙ୍କୁ କବର ଦିଆଯାଏ, ଅନେକ ଦିନ ପର୍ଯ୍ୟନ୍ତ ମୃତ ଶରୀରଟି ମାଟିରେ ନ ମିଶି ପଡ଼ିରହିଥାଏ । ତେଣୁ ଅନ୍ୟ ମୃତଦେହକୁ କବର ଦେବାକୁ ସ୍ଥାନର ଅଭାବ ପଡ଼ିଥାଏ । ଏପରି ସ୍ଥଳେ ଉକ୍ତ ଗାଁରେ ରହୁଥିବା ଲୋକମାନଙ୍କ ମଧ୍ୟରୁ ଯେଉଁମାନଙ୍କର ମୃତ୍ୟୁ ନିଶ୍ଚିତ ହୋଇଯାଏ ବା ଯେଉଁମାନେ ଅତ୍ୟଧିକ ଅସୁସ୍ଥ ହୋଇପଡ଼ନ୍ତି, ଆଉ ସୁସ୍ଥ ହେବାର ସମ୍ଭାବନା ନ ଥାଏ ସେମାନଙ୍କୁ ଗାଁଠାରୁ ଦୂରକୁ ନିଆଯାଇଥାଏ । ସେମାନଙ୍କର ଗାଁ ବାହାରେ ହିଁ ମୃତ୍ୟୁ ହୋଇଥାଏ । ଏହି ଅଜବ ପ୍ରଥା ଆଜି ବି ଏଠି ପାଳନ କରାଯାଉଛି । ତେଣୁ ଏଠାରେ ମୃତ୍ୟୁକୁ ଏକ ଅପରାଧ ଭାବେ ଗ୍ରହଣ କରାଯାଇଛି ।


