ମେଡିକାଲ୍ ବାରଣ୍ଡାରେ ରୋଗୀ : ଡ଼ାକ୍ତରଙ୍କ ଦେଖାନାହିଁ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଦିନକୁ ଦିନ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତରମାନଙ୍କ ମନମାନି ବୃଦ୍ଧି ପାଇବାରେ ଲାଗିଛି I ଏନେଇ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ମେଡିକାଲ୍ କର୍ତ୍ତୃପକ୍ଷ କିମ୍ବା ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗର ନିଦ ନ ଭାଙ୍ଗିବା ବେଲଗୁଣ୍ଠା ଅଞ୍ଚଳ ବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ସୃ୍ଷ୍ଟି କରିଛି I ଏନେଇ ବେଲଗୁଣ୍ଠା ଏନ୍ଏସିର ପ୍ରଥମ ବୈଠକରେ ମଧ୍ୟ କାଉନସିଲର୍ ମାନେ ଉଦ୍‌ବେଗ ପ୍ରକାଶ କରିଥିଲେ I ଖୁବ୍ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ୍ କର୍ତ୍ତୃପକ୍ଷ ଅବହେଳା ଯୋଗୁଁ ଏନ୍ଏସି କନିଷ୍ଠ ଯନ୍ତ୍ରୀ ବିଶ୍ୱରଂଜନ ଜେନା ଗୁରୁତର ହୋଇପଡିଥିବା ବେଳେ ଏବଂ ପାଣିରେ ବୁଡ଼ିଯାଇଥିବା ଦୁଇଟି ଶିଶୁ ମୃତ୍ୟୁ ବରଣ କରିଥିଲେ I ଆଜି ପୁଣି ଜଣେ ରୋଗୀ ଏହିପରି ଡ଼ାକ୍ତରୀ ଅବହେଳାର ଶିକାର ହୋଇ ରୋଗ ଯନ୍ତ୍ରଣାରେ ମେଡିକାଲ୍ ବାରଣ୍ଡାରେ ଛଟପଟ ହେଉଥିବା ବେଳେ କୌଣସି ଡାକ୍ତରଙ୍କ ଦେଖା ମିଳିନଥିଲା I ସୂଚନା ପ୍ରକାରେ ଗତକାଲି ରାତିରେ ବେଲଗୁଣ୍ଠା ବ୍ଲକ୍ ବିଜୟ ଲକ୍ଷ୍ମୀ ଶରଣପୁରର ସନ୍ତୋଷ ରଣା (40) ନାମକ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଦେଖାଯିବାରୁ ପରିବାର ଲୋକେ ତାଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I ତାଙ୍କୁ ସେଠାରେ ଏକ ସାଲାଇନ୍ ଦିଆଯାଇଥିଲେ ମଧ୍ଯ ସାହୁ ବାବୁ ନାମକ ଜଣେ ମେଡିକାଲ୍ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର ଦେଖାଇ ଘରକୁ ପଠାଇ ଦେଇଥିଲେ I ଆଜି ପୁଣି ସନ୍ତୋଷଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା I କିନ୍ତୁ ସେଠାରେ ସେ ଦୀର୍ଘ ସମୟ ଧରି ମେଡିକାଲ୍ ବାରଣ୍ଡାରେ ପଡ଼ି ଛଟପଟ ହେଉଥିଲେ ମଧ୍ୟ କୌଣସି ଡ଼ାକ୍ତର କିମ୍ବା ନର୍ସଙ୍କର ଦେଖା ନମିଳିବା ଘଟଣା ସନ୍ତୋଷଙ୍କ ଯନ୍ତ୍ରଣାକୁ ଦ୍ୱିଗୁଣିତ କରିଦେଇଥିଲା I ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବାରେ ଅବହେଳା ନେଇ ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ପ୍ରଶାସନ ଏ ଦିଗରେ ନୀରବ କାହିଁକି I କେତେଦିନ ଆଉ ବେଲଗୁଣ୍ଠା ଅଞ୍ଚଳ ବାସୀ କୌଣସୀ ରୋଗରେ ପଡିଲେ ଡାକ୍ତରଙ୍କ ଆଶା ଛାଡିଦେଇ ଭଗବାନଙ୍କ ଭରସାରେ ରହିବେ I କାୟାକଳ୍ପ ଟିମ୍ ଠାରୁ ବାହାବା ନେଇ ସ୍ଥାନୀୟ ମେଡିକାଲ୍ କର୍ତୃପକ୍ଷ ରୋଗୀ ସେବା କଥା ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି ବୋଲି ବେଲଗୁଣ୍ଠାର ଜନସାଧାରଣ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ