ମେନନ୍‌ଙ୍କୁ ପିସ୍ତଲ ଦେଖାଇଥିଲେ ଯୋଧପୁର ରାଜା

୧୯୪୮ ସୁଦ୍ଧା ଇଂରେଜ ସରକାର ଭାରତ ଛାଡ଼ିବ ବୋଲି ଘୋଷଣା କରାଗଲା । ପରେ ନିଷ୍ପତ୍ତି ବଦଳାଇ ୧୯୪୮ ନୁହଁ, ୧୯୪୭ ମସିହା ଅଗଷ୍ଟ ୧୫ରେ ଭାରତ ଛାଡ଼ିବେ ବୋଲି ସ୍ପଷ୍ଟ କଲେ ମାଉଣ୍ଟ ବ୍ୟାଟେନ୍ । ବ୍ରିଟିଶ୍ ଇଣ୍ଡିଆ ଭାରତ ଛାଡ଼ିବ ସତ, ହେଲେ ଅଖଣ୍ଡ ଭାରତ ଦ୍ୱିଖଣ୍ଡିତ ହୋଇ ହିନ୍ଦୁସ୍ତାନ-ପାକିସ୍ତାନ, ଦୁଇଟି ଦେଶ ସୃଷ୍ଟି ହେବ ନା ସୃଷ୍ଟି ହେବ ୫୬୫ଟି ଦେଶ, ଏଇ ଚିନ୍ତା ସମସ୍ତଙ୍କୁ ଘାରିଥିଲା । କାରଣ ବ୍ରିଟିଶ୍ ଇଣ୍ଡିଆରେ ସେତେବେଳେ ଛୋଟବଡ଼ ୫୬୫ଟି ରାଜ୍ୟ ରହିଥିଲା । ରାଜା-ମହାରାଜାମାନେ ସେଇ ରାଜ୍ୟକୁ ଶାସନ କରୁଥିଲେ । ଦେଶ ସ୍ୱାଧୀନ ହେବ । ବିଭାଜନ ବି ହେବ । ହେଲେ ନା ଭାରତ ନା ପାକିସ୍ତାନ, କାହା ସହ ନ ମିଶି ନିଜ ରାଜ୍ୟକୁ ସ୍ୱାଧୀନ ଦେଶ ଭାବେ ଘୋଷଣା କରିବା ପାଇଁ ଶତାଧିକ ରାଜା-ମହାରାଜା ନିଷ୍ପତ୍ତି ନେଲେ । ୧୯୪୭ ମସିହା ଜୁନ୍ ୧୨ ତାରିଖରେ ଏକ ଅଲଗା ବିଭାଗ ଗଠନ କରାଗଲା । ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ସେଇ ବିଭାଗର ମନ୍ତ୍ରୀ ହେଲେ ଏବଂ ସଚିବ ହେଲେ ଭିପି ମେନନ୍ । ଏ ହେଉଛନ୍ତି ସେଇ ମେନନ୍ ସାହେବ, ଯିଏ ସାରା ଜୀବନ ଇଂରେଜ ସରକାରଙ୍କ ପାଖରେ ଚାକିରି କରିଥିଲେ ଏବଂ ଶେଷବେଳକୁ ମାଉଣ୍ଟ ବ୍ୟାଟେନଙ୍କ ସଚିବ ଥିଲେ । ସେ ଅବସର ନେବାକୁ ଚାହୁଁଥିଲେ, ମାତ୍ର ଦେଶର ପରିସ୍ଥିତିକୁ ଆଖି ଆଗରେ ରଖି ସର୍ଦ୍ଦାର ପଟେଲ ତାଙ୍କୁ ଅବସର ସୁଯୋଗ ନ ଦେଇ ସମ୍ପୂର୍ଣ୍ଣ ଭାରତ ଗଠନରେ ସହଯୋଗ କରିବାକୁ ଆମନ୍ତ୍ରଣ କଲେ । ଜୁଲାଇ ୫ ତାରିଖ, ୧୯୪୭ ମସିହାୟ ଦେଶ ସ୍ୱାଧୀନ ହେବାକୁ ୪୦ ଦିନ ବାକି । ସାରା ଦେଶ ଜଳୁଥିଲା । ଜମ୍ମୁ-କାଶ୍ମୀର, ଭୋପାଳ, ଜୁନାଗଡ଼ ଭଳି ଦେଶୀୟ ରାଜାମାନଙ୍କର ଅସହଯୋଗ ଆରମ୍ଭ ହୋଇଯାଇଥିଲା । ଅଗଷ୍ଟ ୧୫ରେ ହାଇଦ୍ରାବାଦ ଏକ ସ୍ୱତନ୍ତ୍ର ରାଷ୍ଟ୍ର ହେବ ବୋଲି ନିଜାମ ଘୋଷଣା କରିଦେଲେ । ବହୁସ୍ଥାନରେ ଦଙ୍ଗା ଆରମ୍ଭ ହୋଇଗଲା । ଠିକ୍ ସେତିକିବେଳେ ଭାରତ ସହ ମିଶି ଏକ ବୃହତ୍ ଦେଶ ଗଠନ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ ସର୍ଦ୍ଦାର ପଟେଲ୍ । ପାକିସ୍ତାନ କିମ୍ବା ଭାରତ ସହ ନ ମିଶି ସ୍ୱତନ୍ତ୍ର ସ୍ୱାଧୀନ ରାଷ୍ଟ୍ର ଗଠନ ନିଷ୍ପତ୍ତି ନେଇ ସାରିଥିଲେ ଯୋଧପୁରର ମହାରାଜ ହନ୍‌ୱନ୍ତ ସିଂ । ଅଗଷ୍ଟ ୬ ତାରିଖରେ ବିକାନେର ରାଜକୁମାରଙ୍କ ସହ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ଭେଟିଲେ ହନ୍‌ୱନ୍ତ । କରାଚୀ ବ୍ୟବସାୟିକ ବଜାର ହେବ, ଦଙ୍ଗା ହେଲେ ପାକିସ୍ତାନ ସହାୟତା ଦେବ ଏବଂ ଯୋଧପୁର-କରାଚୀ ରେଳପଥ ତାଙ୍କ କବ୍‌ଜାରେ ରହିବ ବୋଲି ସର୍ତ୍ତ ବାଢ଼ିଥିଲେ ହନ୍‌ୱନ୍ତ ସିଂ । ଏମିତି ଯଦି ଘଟିଥାଆନ୍ତା, ତାହେଲେ ଯୋଧପୁରର ୩୬ ହଜାର ବର୍ଗ କିଲୋମିଟର ଅଞ୍ଚଳ ଭାରତଠାରୁ ବିଚ୍ଛିନ୍ନ ରହିଥାଆନ୍ତା । ପରେ ଏଇ ଅଞ୍ଚଳକୁ ପାକିସ୍ତାନ କବ୍‌ଜା କରିନେଇଥିଲେ, କେମିତି ହୋଇଥାଆନ୍ତା ଭାରତର ଭୌଗୋଳିକ ଚିତ୍ର, ତାହା ସହଜରେ ଅନୁମାନ କରିହେବ । ଜିନ୍ନାଙ୍କୁ ଭେଟିବା ଖବର ପାଇ ହନ୍‌ୱନ୍ତ ସିଂଙ୍କୁ ଦିଲ୍ଲୀ ଡାକିଲେ ମାଉଣ୍ଟ ବ୍ୟାଟେନ୍ । ଅଗଷ୍ଟ ୧୦ ତାରିଖରେ ସର୍ଦ୍ଦାର ପଟେଲଙ୍କୁ ଦେଖା କଲେ ହନ୍‌ୱନ୍ତ । ସର୍ଦ୍ଦାର ପଟେଲ୍ ସଫା ସଫା ଶୁଣାଇଦେଲେ, ତୁମେ ପାକିସ୍ତାନରେ ମିଶିଯାଅ କି ସ୍ୱାଧୀନ ଦେଶ ତିଆରି କର ଆମର କିଛି କହିବାର ନାହିଁ । କିନ୍ତୁ ଭବିଷ୍ୟତରେ ଯଦି ଯୋଧପୁରବାସୀ ବିଦ୍ରୋହ କରନ୍ତି, ତେବେ ଭାରତ ସରକାରଠାରୁ କୌଣସି ସହାୟତା ଆଶା କରିବନି । ଠିକ୍ ତିନିଦିନ ପରେ ଅଗଷ୍ଟ ୧୩ ତାରିଖରେ ଲର୍ଡ଼ ମାଉଣ୍ଟ ବ୍ୟାଟେନଙ୍କ ବାସଭବନରେ ପହଞ୍ଚିଥିଲେ ହନ୍‌ୱ ସିଂ । ତାଙ୍କୁ ଏବଂ ତାଙ୍କ ରାଜ୍ୟ ଯୋଧପୁରକୁ ଅସୁବିଧାରେ ପକାଇବା ମୂଳରେ ଭିପି ମେନନ୍ ହିଁ ମୁଖ୍ୟ କାର୍ପଟ୍‌ଦାର, ଏଇ କଥା ଭାବି ନେଇଥିଲେ ହନ୍‌ୱନ୍ତ । ମେନନ୍ ସାହେବଙ୍କୁ ଦେଖିବାମାତ୍ରେ ତାତି ଉଠି ପିସ୍ତଲ ବାହାର କରି ହତ୍ୟା ଉଦ୍ୟମ କରିଥିଲେ ହନ୍‌ୱନ୍ତ । ହୋହଲ୍ଲା ଶୁଣି ଉପର ମହଲାରୁ ମାଉଣ୍ଟ ବ୍ୟାଟେନ୍ ଓହ୍ଳାଇ ଆସିଲେ ଏବଂ ହନ୍‌ୱନ୍ତଙ୍କ ପାଖରୁ ଗୁଳିଭରା ପିସ୍ତଲ ନେଇଯାଇଥିଲେ । ନିଜ ରାଜ୍ୟକୁ ନେଇ କ’ଣ କରିବେ, କ’ଣ ନ କରିବେ, ୧୯୪୯ ମସିହା ଫେବୃଆରୀ ୧୦ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ପାରି ନ ଥିଲେ ହନ୍‌ୱନ୍ତ ସିଂ । ଶେଷରେ ସେୟା ହେଲା, ଯାହା ଦେଶବାସୀ ଚାହୁଁଥିଲେ । ଭାରତ ସହ ମିଶିବାର କିଛି ମାସ ପରେ ଯୋଧପୁରରୁ ନିର୍ବାଚନ ଲଢ଼ିବାପାଇଁ ମେନନ୍ ସାହେବଙ୍କୁ ଅନୁରୋଧ କରିଥିଲେ ହନ୍‌ୱନ୍ତ ସିଂ । କିନ୍ତୁ ମେନନ୍ ସାହେବ ବିନମ୍ରତାର ସହିତ ଏଇ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ