‘ମୋ ସରକାର’ରେ ସାମିଲ ହେବ କୋଭିଡ ପରିଚାଳନା
ଭୁବନେଶ୍ୱର: ମାଡ଼ି ଚାଲିଛି କରୋନା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ଫଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିବାରେ ଲାଗିଛି । ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି । ଏହାରି ଭିତରେ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ତାହା ହେଲା ଏଣିକି କୋଭିଡ ପରିଚାଳନା ‘ମୋ ସରକାର’ରେ ସାମିଲ ହେବ । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି । କୋଭିଡ ପରିଚାଳନାକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହି ଅବସରରେ ରୋଗୀ ଓ କୋଭିଡ ଯୋଦ୍ଧାଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଫିଡବ୍ୟାକ ସଂଗ୍ରହ ପାଇଁ ଜିଲ୍ଲା କୋଭିଡ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ ଫିଡବ୍ୟାକ ସଂଗ୍ରହ କରିପାରିବେ । ଫିଡବ୍ୟାକ ଦ୍ୱାରା ବ୍ୟବସ୍ଥାରେ ଉନ୍ନତି ଆସିବ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସଂକ୍ରମଣରୁ ବର୍ତ୍ତିବା ପାଇଁ କରୋନା ଯୋଦ୍ଧାଙ୍କୁ ତାଲିମ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥିସହ ମାସ୍କ ବ୍ୟବହାର ନକଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।


