ଯୁବଶକ୍ତିକୁ ସଶକ୍ତ କରୁଛି ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଯୁବ ସମାଜ ହେଉଛି ରାଷ୍ଟ୍ରର ଶକ୍ତି । ଛାତ୍ରଛାତ୍ରୀମାନେ ହେଉଛନ୍ତି ଦେଶ ପ୍ରଗତିର ମେରୁଦଣ୍ଡ । ରାଜ୍ୟର ନେତୃତ୍ୱ ଓ ଓଡ଼ିଶା ବିକାଶର ଦାୟିତ୍ୱ ଯୁବପିଢ଼ୀଙ୍କ ହାତରେ । ତତ୍ସହିତ ବିଦ୍ୟାର୍ଥୀଙ୍କ ମଧ୍ୟରେ ଅନେକ ଲୁକ୍କାୟିତ ପ୍ରତିଭା ରହିଛି । ଏହାର ପରିପ୍ରକାଶ ନୂଆ- ‘ଓ’, ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା ଉତ୍ସବର ଉଦ୍ଯାପନୀ ଉତ୍ସବରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଉପ-ଶାସନ ସଚିବ ଡ. ରମେଶ ଚନ୍ଦ୍ର ବେହେରା ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବିଦ୍ୟାଳୟର ଛାତ୍ରୀମାନେ ବେଦମନ୍ତ୍ର ପାଠ କରିଥିଲେ । ବେଦର ଏହି ମନ୍ତ୍ର ଧ୍ୱନିରେ କମ୍ପି ଉଠିଥିଲା ମହାବିଦ୍ୟାଳୟ । ମହାବିଦ୍ୟାଳୟର ଗଭର୍ଣ୍ଣିଂବଡ଼ିର ସଭାପତି ସୁନିଲ୍ କୁମାର ରଥଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଏସ୍.ଏନ୍.ଏମ୍ ଗ୍ରୁପ୍ର ଅଧ୍ୟକ୍ଷ ଡ. ପ୍ରଦୀପ୍ତ ମହାନ୍ତି ଯୋଗଦେଇ ସରକାରଙ୍କ ଏହି ଅଭିନବ ପ୍ରୟାସ ମାଧ୍ୟମରେ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ । ଏହା ବିଦ୍ୟାର୍ଥୀଙ୍କ ଅନ୍ତର୍ନିହିତ ପ୍ରତିଭାକୁ ସଶକ୍ତ କରୁଛି ବୋଲି ସେ କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଦେବଯାନୀ ସିଂ ବାର୍ଷିକ ବିବରଣୀ ପାଠ କରିଥିଲେ । ଉପସ୍ଥିତ ଅତିଥିମାନଙ୍କ କରକମଳରେ ମହାବିଦ୍ୟାଳୟର ବାର୍ଷିକ କ୍ୟାଲେଣ୍ଡର ଓ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା, ନୃତ୍ୟ, ସଙ୍ଗୀତ, କ୍ରୀଡ଼ା ଆଦି ପ୍ରତିଯୋଗିତା ସହ ରକ୍ତଦାନ ଶିବିର, କନ୍ୟା ଭୃଣ ହତ୍ୟା ସମ୍ପର୍କରେ ସାମାଜିକ ସଚେତନତାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ଉପସ୍ଥିତ ଅତିଥି ପୁରସ୍କୃତ କରିଥିଲେ । ଏହି ଅବସରରେ ବିଦ୍ୟାର୍ଥୀଙ୍କ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ସମର୍ପଣ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମର ନୋଡ଼ାଲ ଅଧିକାରୀ ତଥା ଦର୍ଶନ ବିଭାଗର ଅଧ୍ୟାପିକା ଡଃ. ମୃଣ୍ମୟୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପିକା ସ୍ମିତା ବିଶ୍ୱାଳ, ଶାଶ୍ୱତି ସ୍ୱାଗତିକା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


