ଯୁବ ବିଜେଡି ସଭାପତି
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ବଡମହିଷଗୋଠ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଯୁବ ମାନସର ପ୍ରତୀକ ସତ୍ୟ ସାଧନ ବେଜଙ୍କୁ ୩ୟ ଥର ପାଇଁ ବନ୍ତ ବ୍ଲକ ଯୁବ ବିଜେଡି ସଭାପତି ଭାବେ ରାଜ୍ୟ ବିଜୁ ଜନତା ଦଳର ସଭାପତି ବ୍ୟୋମକେଶ ରାୟଙ୍କ ଅନୁମୋଦନରେ ଜିଲା ଯୁବ ବିଜେଡି ସଭାପତି ମୁକୁନ୍ଦ ଦେବ ସାମଲ ନିଯୁକ୍ତି ପ୍ରଦାନ କରିଥିବା ଜଣାଯାଇଛି । ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ସତ୍ୟ ସାଧନ ବିଦ୍ୟାଳୟରେ ଅଧ୍ୟୟନ ସମୟରୁ ନେତୃତ୍ୱ ବିକଶିତ ହୋଇଥିଲା । ସେ ଜଣେ ସୁବକ୍ତା ଭାବେ ନିଜର ପରାକାଷ୍ଠା ପ୍ରତିପାଦନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଗତ ୨୦୧୨ ମସିହାରେ ଚାକିରୀ ଛାଡି ବଡ ମହିଷଗୋଠ ପଞ୍ଚାୟତରେ ବିଜେଡି ସମର୍ଥୀତ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ସରପଞ୍ଚ କାର୍ଯ୍ୟ ସୂଚାରୁରୂପେ ସଂପାଦନ କରିବା ସହ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁ୍ଲ୍ଲ ସାମଲଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ସାମର୍ଥ୍ୟ ପ୍ରତିପାଦନ କରିଥିଲେ । ଗତ ୨୦୧୭ ମସିହାରେ ତାଙ୍କୁ ବ୍ଲକ ଯୁବ ବିଜେଡି ସଭାପତି ଦାୟୀତ୍ୱ ଦିଆଯାଇଥିଲା । ଯୁବବର୍ଗଙ୍କୁ ସଂଗଠିତ କରିବାରେ ପ୍ରମୁଖ ଭୂମିକା ନେଇଆସୁଥିଲେ । ପୂନର୍ବାର ତାଙ୍କୁ ଗତ ୨୦୨୦ମସିହାରେ ଯୁବ ସଭପତି ଭାବେ ନିଯୁକ୍ତ କରାଯାଇଥିଲା । ଗତ ୨୦୨୨ ମସିହାରେ ପଞ୍ଚାୟତ ନିର୍ବାଚନରେ ବିଧାୟକ ଓ ତାଙ୍କ ପ୍ରତିନିଧିଙ୍କ ନିର୍ଦ୍ଦେଶ ଏବଂ ସହଯୋଗରେ ପ୍ରାର୍ଥୀ ଚୟନ, ନିର୍ବାଚନ ପରିଚାଳନାରେ ପ୍ରମୁଖ ଭୂମିକା ନେଇ ଦଳ ପାଇଁ ଅଶାତୀତ ସଫଳତା ଆଣିବାରେ ପରାକାଷ୍ଠା ଦେଖାଇଥିଲେ । ୩ୟ ଥର ପାଇଁ ବିଜେଡି ତାଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ବ୍ଲକ ଯୁବ ସଭାପତି ଭାବେ ନିଯୁକ୍ତି ଦେଇଥିବାରୁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି । ଏହି ନିଯୁକ୍ତି ପାଇଁ ବ୍ଲକର ଜନସାଧାରଣ, ରାଜ୍ୟ ବିଜେଡି ସଭାପତି, ବିଧାୟକ, ବିଧାୟକଙ୍କ ପ୍ରତିନିଧି, ରାଜ୍ୟ ଯୁବ ବିଜେଡି ସଭାପତି, ଜିଲା ସଭାପତି, ଜିଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷଙ୍କୁ ଶ୍ରୀ ବେଜ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ଯୁବ ଗୋଷ୍ଠୀଙ୍କୁ ଅଧିକ କ୍ରିୟାଶୀଳ କରିବାକୁ ଉଦ୍ୟମ ଜାରି ରଖିବେ ବୋଲି ସେ କହିଛନ୍ତି ।


