ଯୋଗାଣ ବିଭାଗର ମନମାନି
ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ଯୋଗାଣ ବିଭାଗର ମନମାନି ଓ ପାତର ଅନ୍ତର ମନୋଭାବ ସାଧାରଣ ଜନତାଙ୍କ ପାଖରେ ଧରାପଡିଛି । ରାଜ୍ୟ ସରକାର ଗରିବ ଖଟିଖିଆ ଦିନ ମଜୁରିଆଙ୍କ ପାଇଁ ମାଗଣାରେ ଚାଉଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ଜଗତସିଂହପୁର ଯୋଗାଣ ବିଭାଗ ଅଣ୍ଟା ଭିଡ଼ି ସାଧାରଣ ଲୋକଙ୍କ ପାଖରେ ନିନ୍ଦିତ ହୋଇଛି । ଜିଲ୍ଲା ଯୋଗାଣ ବିଭାଗ ଜଗତସିଂହପୁରର ସାରଳା ରାଇସ୍ ମିଲ୍ ଓ ରହାମା ସ୍ଥିତ ଏକ ରାଇସ୍ ମିଲ୍ ରୁ ଚାଉଳ ଉଠାଇ ବାଲିକୁଦା ଅଞ୍ଚଳର କେତେକ ପଞ୍ଚାୟତକୁ ଦେଉଛି । ଯେଉଁ ଚାଉଳ ଯୋଗାଇ ଦିଆଯାଉଛି ସେଥିମଧ୍ୟରୁ 40 ଭାଗ ମଲା ଓ ନାଲି ଚାଉଳ ରହିଛି । ଯାହାକୁ ନେଇ ହିତାଧିକାରୀ ଅସନ୍ତୋଷ ଭାବ ପ୍ରକାଶ କରିଛନ୍ତି । ଏହି ଭଳି ଏକ ଘଟଣା ବାଲିକୁଦା ଅଞ୍ଚଳର ମୁଳୁଗାଁ ପଞ୍ଚାୟରେ ଘଟିଥିବାର ଅଭିଯୋଗ ହୋଇଛି । ହଜାର ହଜାର ହିତାଧିକାରୀ ଉକ୍ତ ଚାଉଳ ନେଇ ହନ୍ତ ସନ୍ତ ହୋଇଛନ୍ତି । ପାଖ ପଡ଼ୋଶୀ ପଞ୍ଚାୟତ କୃଷ୍ଣଦିସପୁର ଅନ୍ଯ ଜିଲ୍ଲାର ରାଇସ୍ ମିଲ୍ ଚାଉଳ ଆଣିଥିଲା । ତାଙ୍କ ଚାଉଳ ଭଲ ବୋଲି ହିତାଧିକାରୀ କହିଛନ୍ତି ।ବାଲିକୁଦା ବ୍ଲକର ବିଭିନ୍ନ ପଞ୍ଚାୟତ ତରଫରୁ ଏହିପରି ଅଭିଯୋଗ ଆସିଛି । ଚାଉଳ ସଂଗ୍ରହ ପୂର୍ବରୁ ଚାଉଳର ମାନ ପରୀକ୍ଷଣ କରିବା ଯୋଗାଣ ବିଭାଗର ଦାଇତ୍ୱ । କିନ୍ତୁ ଏହା ପଛରେ କଣ ରହସ୍ୟ ରହିଛି ଯେଉଁଥିପାଇଁ ମଲାଚାଉଳ ହିତାଧିକାରୀଙ୍କୁ ଦିଆଗଲା । ଯାହା ଭାତ ପାଇଁ ଅନୁପଯୁକ୍ତ ତହାକୁ ତଦନ୍ତ କରି ଜିଲ୍ଲା ପ୍ରଶାସନ ଏଥିରେ ସଂପୃକ୍ତ ଥିବା ବ୍ୟକ୍ତି ବିଶେଷ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଲିକୁଦା ଅଞ୍ଚଳର ହିତାଧିକାରୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।


