ବାଘଛାଲ ଜବତ ଘଟଣା: କିଙ୍ଗ୍ପିନ୍ ତଲାସରେ ବନବିଭାଗ, ଅଟୋ ଚାଳକ ଓ ଶିକାରୀ କୋର୍ଟ ଚାଲାଣ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ବାଘଛାଲ ଜବତ ଘଟଣାରେ ଏବେ କିଙ୍ଗ୍ପିନ୍ ତଲାସରେ ବନ ବିଭାଗ। ଅନ୍ୟପକ୍ଷରେ ଏହି ଘଟଣାରେ ଫୁଲବାଣୀ ନିକଟସ୍ଥ ଗୁଦାରି ପଂଚାୟତ ମଲିକସାହି ନିକଟରେ ଗିରଫ ହୋଇଥିବା ଅଟୋ ଚାଳକ ଅର୍ଜୁନ ମୁଣ୍ଡା ଓ ଶିକାରୀ ତ୍ରିନାଥ ନାୟକକୁ ଆଜି ପଚରା ଉଚରା ପରେ କୋର୍ଟ ଚାଲାଣ କରାଯାଇଥିବା ଫୁଲବାଣୀ ବନାଞ୍ଚଳ ଅଧିକାରୀ ସଚିଦାନନ୍ଦ ସେଠୀ ସୂଚନା ଦେଇଛନ୍ତି। ତେବେ ଦୀର୍ଘ ୨୦ ଘଣ୍ଟା ଧରି ମାରାଥନ ଜେରା ପରେ ଏହି ଘଟଣାରେ ଆହୁରି ଅନେକ ସାମିଲ୍ ଥିବା ବେଳେ ଗିରଫ ମାନଙ୍କର ସୂଚନା ପ୍ରକାରେ ଏବେ ବନ ବିଭାଗ ଆରମ୍ଭ କରିଛି ତାହାର ମିଶନ୍। ଜେରା ପ୍ରକାରେ ଦୀର୍ଘଦିନ ହେଲା ଏହି ବାଘଛାଲ କାରବାର ଚାଲିଥିବା ମଧ୍ୟ ବନ ବିଭାଗ ଜାଣି ପାରିଛି। ତେବେ କେଉଁ ଠାରୁ ବାଘ ଛାଲ ଆସୁଥିଲା ତାହାର ମଧ୍ୟ ସନ୍ଧାନ ଆରମ୍ଭ କରିଛି ବନ ବିଭାଗ। ତେବେ ପ୍ରତ୍ୟେକ ବର୍ଷ ବାଘ ଗଣନା ହେଉଥିଲେ ମଧ୍ୟ ତାହା କିଭଳି ଭାବେ ହେଉଛି ଏଥିରୁ ସହଜେ ଅନୁମେୟ ବୋଲି ସାଧାରଣରେ ଆଲେଚାନା ଜୋର ଧରିଛି। ତେବେ ଦୀର୍ଘଦିନ ପରେ ବନ ବିଭାଗକୁ ଏଭଳି ବଡ଼ ସଫଳତା ମିଳିଥିବା ଯୋଗୁଁ ବନ ବିଭାଗ ବେଶ୍ ଉତ୍ସାହିତ ହୋଇ ଏହି ର୍ୟାକେଟର ଫର୍ଦାଫାସ୍ ପାଇଁ ବର୍ତ୍ତମାନ ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିଛି। ପ୍ରକାଶ ଯେ, ଫୁଲବାଣୀ ଡିଏଫ୍ଓ ଲକ୍ଷ୍ମୀକାନ୍ତ ବେହେରାଙ୍କ ନିର୍ଦ୍ଦେଶ ପ୍ରକାରେ,ଫୁଲବାଣୀ ବନାଞ୍ଚଳ ଅଧିକାରୀ ସଚିଦାନନ୍ଦ ସେଠୀଙ୍କ ନେତୃତ୍ୱରେ ଏକ ବନକର୍ମଚାରୀ ଟିମ୍ ଫୁଲବାଣୀ ନିକଟସ୍ଥ ଗୁଦାରି ପଂଚାୟତର ମଲିକ ସାହି ନିକଟରେ ଚଢାଉ କରି ଏକ ଅଟୋ ଜବତ କରିବା ସହିତ ସେଥିରେ ଥିବା ଏକ ବାଘଛାଲ ମଧ୍ୟ ଜବତ କରିଥିଲେ। ଜବତ ବାଘ ଛାଲର ମୂଲ୍ୟ ବଜାରରେ ପ୍ରାୟ ୬୦ ହଜାରରୁ ଊର୍ଦ୍ଧ୍ବ ହେବ, ଜବତ ବାଘ ଛାଲଟି ଏକ ଚିତା ବାଘର ବୋଲି ଜଣାପଡିଛି ।


