ନିଖୋଜ ଫାର୍ମାସିଷ୍ଟ ଛାତ୍ରଙ୍କ ମୃତଦେହ କୂଅରୁ ଉଦ୍ଧାର ଘଟଣା; ଅପରାଧିକୁ ଗିରଫ ଦାବିରେ ୭ ଘଣ୍ଟା ଧରି ରାସ୍ତାରୋକ, ଥାନା ଘେରାଉ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ଅନ୍ତର୍ଗତ ସାରଙ୍ଗଡ଼ ଅଞ୍ଚଳରେ ଗତ ଦିନରେ ଘଟିଥିବା ଏକ ଘଟଣାକୁ ନେଇ ଶୁକ୍ରବାର  ସାରଙ୍ଗଡ଼ରେ ଦେଖାଯାଇଥିଲା ଚାପା ଉତ୍ତେଜନା। ନିଖୋଜ ଫାର୍ମାସିଷ୍ଟ ଛାତ୍ରଙ୍କ ମୃତଦେହ ଉଦ୍ଧାର ଘଟଣାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବୀରେ ସାରଙ୍ଗଡ ଅଞ୍ଚଳର ବାହାଡାପଦର ଗ୍ରାମର ଶହ ଶହ ମହିଳା ଓ ପୁରୁଷ ଆସିଥିଲେ ରାଜ ରାସ୍ତାକୁ। ଦୀର୍ଘ ୭ଘଣ୍ଟା ଧରି ରାସ୍ତା ରୋକ ଯୋଗୁଁ ଯାନ ବାହାନ ଚଳାଚଳରେ ନାହିଁ ନ ଥିବା ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଏହି ଅବସରରେ ଗ୍ରମାବାସୀମାନେ ସାରଙ୍ଗଡ ଥାନାକୁ ମଧ୍ୟ ଘେରାଉ କରି ରଖିଥିଲେ। ଫୁଲବାଣୀ-ବାଲିଗୁଡ଼ା ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସକାଳ ପ୍ରାୟ ୯ ଘଟିକାଠାରୁ ଏହି ରାସ୍ତା ଅବରୋଧ ହେବା ସହିତ ଉତ୍ୟକ୍ତ ଜନତା ବିଭିନ୍ନ ଦାବିନେଇ ରାସ୍ତା ଅବରୋଧ କରିଥିଲେ।ଆନ୍ଦୋଳନକାରୀ ମାନଙ୍କ ଦାବି ପ୍ରକାରେ, ଏହି ଘଟଣାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ସେମାନଙ୍କୁ ଆଇନ ଅନୁସାରେ ଦଣ୍ଡ ଦେବାକୁ ଦାବୀ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ, ଗତ ୧୪ ତାରିଖରେ ସେମାନଙ୍କ ଗ୍ରାମର ଶରଣ ପଞ୍ଜର ନାୟକ ଓରଫ୍‍ କାହ୍ନା ନାମକ ଜଣେ ଯୁବକ ଘରୁ ବାହାରି ନିଖୋଜ ହୋଇଥିଲା। ଘର ଲୋକେ ତାକୁ ଖୋଜାଖୋଜି କରିବାପରେ ମଧ୍ୟ ତାର କୌଣସି ଖୋଜ ଖବର ନପାଇବାରୁ ପରିବାର ପକ୍ଷରୁ ସାରଙ୍ଗଡ ଥାନାରେ ଯୁବକ ଜଣକ ନିଖୋଜ ଥିବା ନେଇ ଏକ ଅଭିଯୋଗ ହୋଇଥିଲା। ହେଲେ ୧୭ ତାରିଖରେ ସାରଙ୍ଗଡ ଅଂଚଳର ଜଣେ ବ୍ୟକ୍ତିଙ୍କ ବାରି ପଟରେ ଥିବା କୁଅ ଭିତରେ ଗୋଟିଏ ଶବ ଭାସୁଥିବା ଖବର ପାଇ ନିଖୋଜ ଯୁବକର ପରିବାର ଲୋକେ ଏବଂ ଗ୍ରାମବାସୀ ମାନେ ପୋଲିସକୁ ଖବର ଦେବାପରେ ସେଠାରୁ ଯୁବକର ଶବକୁ ଉଦ୍ଧାର କରାଯାଇଥିଲା। ଘଟଣା ପରେ ସେଠାରେ ପୋଲିସ ବିଭାଗର ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ପହଂଚି ତଦନ୍ତ କରିଥିଲେ। ତେବେ ନିଖୋଜ ଥିବା ଯୁବକର ଶବ ପଡିଥିବା କୁଅର ମାଲିକଙ୍କ ପରିବାରର କିଛି ଲୋକଙ୍କ ସମେତ ପ୍ରାୟ ୬ ଜଣକୁ ଗତ କିଛିଦିନ ହେଲା ପୁଲିସ ଥାନାକୁ ଆଣି ପଚରାଉଚୁରା କରିଥିଲେ ମଧ୍ୟ ଗତକାଲି ଛାଡ଼ିଦେବା ପରେ ଆଜି ଉତ୍ୟକ୍ତ ଜନତା ଅଭିଯୁକ୍ତ ମାନଙ୍କ ଗିରଫ ଦାବିରେ ଆସିଥିଲେ ରାଜ ରାସ୍ତାକୁ। ଏପରିକି ଆଜିସୁଦ୍ଧା ଏହି ସଂକ୍ରାନ୍ତରେ ପୋଲିସ କାହାକୁ ଗିରଫ ନ କରିବାରୁ ଗ୍ରାମବାସୀ ଏହି ପଦକ୍ଷେପ ନେଇଥିବା କହିଛନ୍ତି। ଦିନ ତମାମ୍‍ ସାରଙ୍ଗଡ଼ରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ଘୁ.ଉଦୟଗିରି ଏସଡିପିଓ ଡିଟିଆର ପଟ୍ଟନାୟକ ଓ ସାରଙ୍ଗଡ ଥାନା ଅଧିକାରୀ ଅନିତା କିଡୋ ପ୍ରମୁଖ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ ସଂନ୍ଧ୍ୟା ପର୍ଯ୍ୟନ୍ତ ଜାରୀ ରହିଥିଲା। ଖବର ପାଇ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରାୱାଲ ଘଟଣା ସ୍ଥଳରେ ପହଁଚି ଆନ୍ଦୋଳନ କାରୀ ମାନଙ୍କୁ ବୁଝାସୁଝା କରିବା ସହିତ ମୃତ ଯୁବକର ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସଂନ୍ଧ୍ୟା ପ୍ରାୟ ୬ଟା ବେଳେ ରାସ୍ତା ଅବରୋଧ ହଟିଥିଲା। ତେବେ ଏହି ଘଟଣାରେ ପୁଲିସ୍‍ ୬ ଜଣଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲେ ମଧ୍ୟ କୌଣସି ପ୍ରକାର ତଥ୍ୟ ନପାଇବାରୁ ସେମାନଙ୍କୁ ଛାଡି ଦିଆଯାଇଥିବା ନେଇ ପୁଲିସ୍‍ ପ୍ରକାଶ କରିଛି। ପୋଷ୍ଟ ମର୍ଟମ ରିପୋର୍ଟ ଆସିବାପରେ ସେହି ଅନୁସାରେ ଘଟଣାର ତଦନ୍ତ କରାଯାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଘୁ.ଉଦୟଗିରି ଏସ.ଡି.ପି.ଓ ଡିଟିଆର ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ ଆଜି ଉତ୍ତେଜନକାକୁ ଦୃଷ୍ଟିରେ ରଖି ପୁଲିସ୍‍ ଛାଡ଼ ପାଇଥିବା ୬ ଜଣଙ୍କୁ ମଧ୍ୟରୁ ପୁଣି ୨ ଜଣକୁ ଆଣି ଅଧିକ ପଚରା ଆରମ୍ଭ କରିଥିବା ଏକ ବିଶେଷ ସୂତ୍ରରୁ ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ