ସାଧାରଣ ବନ୍ଟନରେ ଅନିୟମିତତା ଅଭିଯୋଗ କରି ପନ୍ଚାୟତ ଅଫିସରେ ସରପନ୍ଚଙ୍କୁ ତାଲା ବନ୍ଦ କଲେ ଗ୍ରାମବାସୀ
ଯୋଡା, (ସମୀର କୁମାର ଦାସ) : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଚମକପୁର ଗ୍ରାମପଞ୍ଚାୟତ ରେ ସାଧାରଣ ବଣ୍ଟନକୁ ନେଇ ଗ୍ରାମବାସୀ ମାନେ ପଞ୍ଚାୟତ ଅଫିସ୍ ଭିତରେ ସରପନ୍ଚଙ୍କୁ ତାଲା ବନ୍ଦ କରିଥିବା ଖବର ହସ୍ତଗତ ହୋଇଛି । ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ, ଯୋଡା ବ୍ଲକ ଚମକପୁର ଗ୍ରାମପଞ୍ଚାୟତର ଧୋବା କୁଚୁଡା, ଗୁଗୁଦରି, ଶଙ୍କରପୁର ଗ୍ରାମବାସୀ ରବିବାର ପ୍ରାୟ ୧୦ ଘଟିକା ସମୟରେ ସ୍ଥାନୀୟ ସରପଞ୍ଚ ନରହରି ନାଏକଙ୍କୁ ୫ ଘଣ୍ଟା ଧରି ପଞ୍ଚାୟତ ଅଫିସ୍ ଭିତରେ ବନ୍ଦ ରଖିଥିଲେ । କାରଣ ହିତାଧିକାରୀଙ୍କୁ ପୁରୁଣା ପନ୍ଚାୟତ ଅଫିସ୍ରେ ସୋଲା ଚଣା ଓ କିରୋସିନ ଏବଂ ନୂତନ ଭାବେ ଶଙ୍କରପୁର ଠାରେ ହୋଇଥିବା ପନ୍ଚାୟତ ଅଫିସ୍ରେ ଚାଉଳ ବନ୍ଟନ କରାଯାଉଥିଲା । ଏହି ଦୁଇ ଗ୍ରାମ ମଧ୍ୟରେ ପ୍ରାୟ ୫ କିଲୋମିଟର ଦୂରତାରୁ ଅଧିକ ହେବ ଯାହାକି ହିତାଧିକାରୀ ମାନେ ଯିବା ଆସିବା କରିବାରେ ବହୁତ ଅସୁବିଧାର ସମୁଖୀନ ହେଉଥିଲେ । ଏହା ସହିତ ଗତ ଦୁଇ ତିନି ଦିନ ହେବ ହିତାଧିକାରୀ ମାନଙ୍କୁ ରାସନ ସାମଗ୍ରୀ ଦିଆଯିବା ପାଇଁ ସରପନ୍ଚଙ୍କୁ କୁହାଯାଇଥିଲେ ହେଁ, ସରପନ୍ଚ ଆଜି ହେବ କାଲି ହେବ କହି ବିଳମ୍ବ କରୁଥିଲେ । ରବିବାର ଉକ୍ତ ଗ୍ରାମର ହିତାଧିକାରୀ ମାନଙ୍କୁ ରାସନ ସାମଗ୍ରୀ ଦିଆଯିବା ପାଇଁ କୁହାଯାଇଥିବାରୁ ଶତାଧିକ ହିତାଧିକାରୀ ପନ୍ଚାୟତ ଅଫିସ୍କୁ ଯାଇଥିଲେ । ମାତ୍ର ସେମାନଙ୍କୁ ଗୋଟିଏ ସ୍ଥାନରେ ସମସ୍ତ ସାମଗ୍ରୀ ଦିଆନଯାଇ ସେମାନଙ୍କୁ ହଇରାଣ କରାଯାଉଥିବାରୁ ହିତାଧିକାରୀ ମାନେ ଅସନ୍ତୋଷ ହୋଇଥିଲେ ଏବଂ ସ୍ଥାନୀୟ ସରପନ୍ଚଙ୍କୁ ଏ ବାବଦରେ ଅଭିଯୋଗ କରିଥିଲେ ହେଁ, ପନ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅନୁପସ୍ତିତିରେ ସେ କିଛି କରିପାରିବେ ନାହିଁ ବୋଲି ହିତାଧିକାରୀ ମାନଙ୍କୁ କହିଥିଲେ । ଫଳରେ ହିତାଧିକାରୀ ମାନେ କ୍ରୋଧାନ୍ୱିତ ହୋଇ ସରପନ୍ଚ ନରହରି ନାଏକଙ୍କୁ ପନ୍ଚାୟତ ଅଫିସ ଭିତରେ ତାଲା ବନ୍ଦ କରି ରଖିଥିଲେ । ଏ ନେଇ ସରପନ୍ଚ ନରହରି ନାଏକଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ହିତାଧିକାରୀ ମାନଙ୍କୁ ନୋଟିସ୍ ମାଧ୍ୟମରେ ରାସନ ସାମଗ୍ରୀ ଦିଆଯାଏ, ଯେହେତୁ ରବିବାର ଛୁଟି ଦିନ ତେଣୁ ସେ ମଙ୍ଗଳବାର ଦିନ ରାସନ ସାମଗ୍ରୀ ଦେବାପାଇଁ ନୋଟିସ୍ ଜାରି କରିଛନ୍ତି । ହେଲେ ହିତାଧିକାରୀ ମାନେ କୌଣସି ୱାର୍ଡ ମେମ୍ବରଙ୍କ ଠାରୁ ରାସନ ସାମଗ୍ରୀ ବନ୍ଟନ କରାଯିବା ଶୁଣି ପନ୍ଚାୟତ କାର୍ଯ୍ୟାଳୟକୁ ଚାଲିଆସିଥିଲେ ଏବଂ ତାଙ୍କୁ ପନ୍ଚାୟତ ପରିସର ମଧ୍ୟରେ ତାଲା ବନ୍ଦ କରିଦେଇଥିବା ସେ କହିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠେ ଯେ ପନ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତିରେ କିପରି ସାଧାରଣ ବନ୍ଟନ କରାଯାଉଥିଲା ଏବଂ କେଉଁ ଉଦ୍ଧେଷ୍ୟ ନେଇ ଗୋଟିଏ ସ୍ଥାନରେ ସମସ୍ତ ରାସନ ସାମଗ୍ରୀ ବନ୍ଟନ କରାନଯାଇ ଭିନ୍ନ ଭିନ୍ନ ସ୍ଥାନରେ ରାସନ ସାମଗ୍ରୀ ରଖାଯାଇ ହିତାଧିକାରୀ ମାନଙ୍କୁ ହଇରାଣ କରାଯାଉଥିଲା ତାହା ସନ୍ଧେହ ଘେରରେ । ପ୍ରଶାସନ ଏହାର ଉପଯୁକ୍ତ ତଦନ କଲେ ଏହାର ସତ୍ୟାସତ୍ୟ ଲୋକ ଲୋଚନକୁ ଆସି ପାରନ୍ତା ବୋଲି ଚମକପୁର ପନ୍ଚାୟତ ବାସୀ ଦାବୀ କରିଛନ୍ତି ।


