ରଥଯାତ୍ରାକୁ ଭୁଲିଗଲା କେନ୍ଦ୍ର
ଭୁବନେଶ୍ୱର/ ପୁରୀ: ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର କୁମ୍ଭ ମେଳା ସ୍ଥାନ ପାଇଲା । ପଶ୍ଚିମବଙ୍ଗର ଦୁର୍ଗା ପୂଜା ତାଲିକାରେ ରହିଲା । ଆସାମର ଜୋନବିଲ ମେଳା ବି । କିନ୍ତୁ ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କିପରି ବିଶେଷଜ୍ଞମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିଲା ନାହିଁ? ଶହ ଶହ ବର୍ଷର ରଥଯାତ୍ରାର ସାଂସ୍କୃତିକ ଐତିହ୍ୟ କେଉଁ ଦୃଷ୍ଟିରୁ କମିଗଲା? ଗତ ୧୮ ତାରିଖ ବିଶ୍ୱ ଐତିହ୍ୟ ଦିବସରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ’ଇନଟାଞ୍ଜିବଲ କଲଚରାଲ ହେରିଟେଡ’ ତାଲିକାକୁ ନେଇ ଏମିତି ପ୍ରଶ୍ନ ଉଠିଛି ଓଡ଼ିଶାରେ । ବର୍ଷ ବର୍ଷ ଧରି ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଭାବରେ ଜଣାଶୁଣା ରଥଯାତ୍ରାକୁ କେମିତି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏଡ଼ାଇଗଲା, ତାହାର ଉତ୍ତର କେହି ପାଉନାହାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ଓଡ଼ିଶାକୁ ଏତେ ବଡ଼ ଧକ୍କା ହୋଇଥିଲେ ବି ରାଜ୍ୟ ସଂସ୍କୃତି ବିଭାଗ ନିରବ ରହିଛି । କେନ୍ଦ୍ରକୁ ଏହି ପ୍ରସଙ୍ଗରେ ଚିଠିଟିଏ ଲେଖି ଦାବି ଉପସ୍ଥାପନ କରିନି ।
ଅବଶ୍ୟ ଓଡ଼ିଶାର ତିନିଟି ସାଂସ୍କୃତିକ ଐତିହ୍ୟ ଏହି ତାଲିକାରେ ସ୍ଥାନ ପାଇଛି । ତାହା ହେଲା ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣଛାୟା । ଓଡ଼ିଶାର ସାଂସ୍କୃତିକ ଦୁନିଆରେ ଏହି ତିନିଟି ଐତିହ୍ୟର ନିଶ୍ଚିତ ଗୁରୁତ୍ୱ ରହିଛି ।


